Latest Odisha News

BREAKING NEWS

୧୦ ବର୍ଷ ପରେ ମିଳିଲା ନ୍ୟାୟ: ନବରଙ୍ଗପୁର ବାଉଁଶବେଡ଼ା ଟ୍ରିପଲ ମର୍ଡର ମାମଲାରେ ୧୯ ଜଣଙ୍କୁ ଆଜୀବନ ଜେଲ

ନବରଙ୍ଗପୁର: ନ୍ୟାୟ ବିଳମ୍ବ ହୋଇପାରେ, କିନ୍ତୁ ଅନ୍ଧ ନୁହେଁ। ପାଖାପାଖି ଦଶନ୍ଧି ଧରି ନ୍ୟାୟ ଅପେକ୍ଷାରେ ଥିବା ପୀଡ଼ିତ ପରିବାରକୁ ଶେଷରେ ମିଳିଛି ନ୍ୟାୟ। ନବରଙ୍ଗପୁର ଜିଲ୍ଲାର ବହୁଚର୍ଚ୍ଚିତ ବାଉଁଶବେଡ଼ା ଟ୍ରିପଲ ମର୍ଡର ଏବଂ ପୋଡ଼ାଜଳା ମାମଲାରେ ଉମରକୋଟ କୋର୍ଟ ଆଜି ଏକ ଐତିହାସିକ ରାୟ ଶୁଣାଇଛନ୍ତି। ଦୀର୍ଘ ବର୍ଷର ଆଇନଗତ ଲଢ଼େଇ ପରେ ଅଦାଲତ ଏହି ଲୋମହର୍ଷଣକାରୀ ଘଟଣାରେ ସମ୍ପୃକ୍ତ ଥିବା ୧୯ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

 

ଘଟଣାଟି ଥିଲା କିଛି ଏମିତି। ଆଜକୁ ପ୍ରାୟ ୧୦ ବର୍ଷ ତଳେ ବାଉଁଶବେଡ଼ା ଅଞ୍ଚଳରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା। କୌଣସି ପୂର୍ବ ଶତ୍ରୁତା ଓ ବିବାଦକୁ କେନ୍ଦ୍ର କରି ଗାଁରେ ଏକ ପ୍ରକାର ଆତଙ୍କରାଜ ଖେଳାଇ ଦିଆଯାଇଥିଲା। ଅତି ନିର୍ମମ ଭାବେ ୩ ଜଣଙ୍କୁ ହତ୍ୟା କରିବା ସହ ବ୍ୟାପକ ପୋଡ଼ାଜଳା ଓ ହିଂସାକାଣ୍ଡ ଘଟାଇଥିଲେ ଦୁର୍ବୃତ୍ତ। ଏହି ଘଟଣା ସେତେବେଳେ କେବଳ ନବରଙ୍ଗପୁର ନୁହେଁ, ବରଂ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଘଟଣାର ଗମ୍ଭୀରତାକୁ ଦେଖି ପୋଲିସ ମଧ୍ୟ ତୁରନ୍ତ ଆକ୍ସନ୍ ମୁଡ୍‌କୁ ଆସିଥିଲା।

 

ଏତଲା ଏବଂ ଛାନ୍‌ଭିନ୍ ପରେ ପୋଲିସ ଏକାଧିକ ଲୋକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ବର୍ଷ ବର୍ଷ ଧରି ଚାଲିଥିବା ଏହି ସମ୍ବେଦନଶୀଳ ମାମଲାରେ ଅନେକ ସାକ୍ଷୀଙ୍କ ବୟାନ ରେକର୍ଡ କରାଯିବା ସହ ପୋଲିସ ଦ୍ୱାରା ଦାଖଲ ହୋଇଥିବା ବିଭିନ୍ନ ଫରେନ୍ସିକ୍ ତଥା ପାରିପାର୍ଶ୍ୱିକ ପ୍ରମାଣକୁ କୋର୍ଟ ଟିକିନିଖି ଯାଞ୍ଚ କରିଥିଲେ। ସମୟ ଗଡ଼ିବା ସହ ଲାଗୁଥିଲା ଯେମିତି ମାମଲାଟି ଧିମେଇ ଯାଇଛି। କିନ୍ତୁ ଶେଷରେ ସମସ୍ତ ପ୍ରମାଣ ଏବଂ ସାକ୍ଷ୍ୟକୁ ଭିତ୍ତି କରି ଉମରକୋଟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।

Leave A Reply

Your email address will not be published.