Latest Odisha News

BREAKING NEWS

୧୯୬୨ ଚୀନ-ଭାରତ ଯୁଦ୍ଧ ଓ ଗୋଦାବରୀଶ ମହାପାତ୍ରଙ୍କ ‘ନିଆଁଖୁଣ୍ଟା’

ପ୍ରତି ମଙ୍ଗଳବାର କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ

ଆଜି ଭାରତର ଉତ୍ତରାକାଶେ
ଚୀନା ରାହୁ ଚୀନା ଡ୍ରାଗନ ଦିଶେ
କୁଆରେ, ପଶୁବଳରେ ମାତି
ସର୍ବହରା ନାମେ ତେକେ କେ ଛତି!!

ପତ୍ରିକାର ନାମ ‘ନିଆଁଖୁଣ୍ଟା’। ନଭେମ୍ବର-୧୯୬୨ ସଂଖ୍ୟାରେ ପତ୍ରିକାର ସମ୍ପାଦକ ଗୋଦାବରୀଶ ମହାପାତ୍ର ସ୍ଵାଭାବିକ ଭାବରେ ଚୀନ –ଭାରତ ଯୁଦ୍ଧକୁ ମୁଖ୍ୟ ପ୍ରସଙ୍ଗ ଭାବରେ ନେଇଛନ୍ତି । ଅକ୍ଟୋବର ଓ ନଭେମ୍ବର ୧୯୬୨, ଭାରତ ଓ ଚୀନ ଭିତରେ ଯୁଦ୍ଧର ସମୟ। ସେହି ସମୟରେ ଓଡିଆ ସାମ୍ବାଦିକତାର ସବୁଠୁ ଶାଣିତ ଓ ତୀର୍ଯ୍ୟକ ସ୍ଵର ଗୋଦାବରୀଶ ମହାପାତ୍ରଙ୍କ ପ୍ରସିଦ୍ଧ ବ୍ୟଙ୍ଗ ପତ୍ରିକା ‘ନିଆଁଖୁଣ୍ଟା’ର ଲୋକପ୍ରିୟ ସ୍ତମ୍ଭ ‘ଡାମରାକାଉ’ରେ ଡାମରାକାଉ ର ଆରମ୍ଭ ଥିଲା ଏମିତି। ଏହି ସଂଖ୍ୟାରେ ଏକାଧିକ ଲେଖା ଯୁଦ୍ଧକୁ ନେଇ ଛାପା ଯାଇଥିଲା। ଯୁଦ୍ଧର ମହାନାୟକ ଭାବରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁଙ୍କୁ ପ୍ରବଳ ସମ୍ମାନ ଓ ସମର୍ଥନ ଦେବାରେ ‘ନିଆଁଖୁଣ୍ଟା’ କାର୍ପଣ୍ୟ କରିନାହିଁ। ସମ୍ପାଦକୀୟରେ ଗୋଦାବରୀଶ ଲେଖିଥିଲେ- “ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଏ ମଧ୍ୟରେ ଦେଶବାସୀଙ୍କୁ ଯେ ଆହ୍ଵାନ ଦେଇଛନ୍ତି ସେ ଆହ୍ଵାନ ହିମାଳୟର ହୁଙ୍କାର। ହିମାଳୟ ଯୁଗ ଯୁଗ ଧରି ଭାରତର ସଙ୍କେତ, ଭାରତର ଗୌରବ ଟୀକା, ଭାରତୀୟ ବିଶାଳତାର ପ୍ରତୀକ ଏବଂ ଭାରତୀୟ ଉଦାରତାର ମହିମାମୟ ଶକ୍ତି”। ଅନ୍ୟ ସବୁ ସଂଖ୍ୟାରେ ପ୍ରଧାନମନ୍ତ୍ରୀଙ୍କୁ କଟୁ ସମାଲୋଚନା କରିବାରେ ପଶ୍ଚାତ୍ପଦ ନଥିବା ଏହି ମହାନ ସମ୍ପାଦକ ଚୀନ ବିରୋଧରେ ପଣ୍ଡିତ ନେହେରୁଙ୍କୁ ଅଟଳ ହିମାଳୟ ସହିତ ତୁଳନା କରିଛନ୍ତି।

ଅଧିକ ପଢନ୍ତୁ: ଯୁଦ୍ଧୋନ୍ମାଦନାର ଉତ୍ପାତରେ ଅଶାନ୍ତ ଏସିଆ

‘ନିଆଁଖୁଣ୍ଟା’ ର ଭାଷାରେ- “ ଏ ଜାତିର ଶ୍ରେଷ୍ଠତମ ନେତା, ବିଶ୍ଵର ଅନ୍ୟତମ ମନୀଷୀ, ବିଶ୍ଵଶାନ୍ତିର ପ୍ରତୀକ, ସାମ୍ୟ, ମୈତ୍ରୀ, ସହାବସ୍ଥାନ, ଶାନ୍ତି ଓ ଅହିଂସାର ଉପାସକ ପଣ୍ଡିତ ଜୱାହରଲାଲ ଦେଶବାସୀଙ୍କୁ ଆହ୍ଵାନ ଦେଇଛନ୍ତି।“ ମନେ ରଖନ୍ତୁ- ଏ ବାକ୍ଯର ଲେଖକ ସିଏ, ଯିଏ ଜୀବନ ତମାମ କଂଗ୍ରେସକୁ ଓ କଂଗ୍ରେସ ସରକାରକୁ ଅଠି ପହର ପାଣି ପିଆଇବାରେ ମାହିର ଥିଲେ।

୧୯୬୨ ଚୀନ ଭାରତ ଯୁଦ୍ଧ ବେଳେ ପଣ୍ଡିତ ନେହେରୁଙ୍କୁ ସେତେବେଳର ଖବର କାଗଜ ଓ ପତ୍ରପତ୍ରିକାରେ ପ୍ରଚୁର ସମାଲୋଚନା କରାଯାଇଛି। ‘ନିଆଁଖୁଣ୍ଟା’ ତାର ବ୍ୟତିକ୍ରମ ନଥିଲା। ହେଲେ ଚୀନର ବିଶ୍ଵାସଘାତ ବିରୋଧରେ ପଣ୍ଡିତଜୀଙ୍କର ଟାଣୁଆ ନେତୃତ୍ବକୁ ସେତେବେଳେ ସମାଲୋଚକମାନେ ମଧ୍ୟ ସଲାମ କରିଛନ୍ତି। ସେହି ବର୍ଷ ନଭେମ୍ବର ରେ ଚୀନ ଯୁଦ୍ଧରେ ଭାରତୀୟ ସେନାବାହିନୀର ସୈନିକମାନଙ୍କ ସହିଦ ହେବା ଘଟଣାରୁ ପ୍ରତିରକ୍ଷା କୃଷ୍ଣମେନନ ଇସ୍ତଫା ଦେଇଥାନ୍ତି।

ଅଧିକ ପଢନ୍ତୁ: ଭାରତ ଚୀନ୍ ସହିତ ବ୍ୟାବସାୟିକ ସଂପର୍କ ଛିନ୍ନ କରିପାରିବ କି?

କୃଷ୍ଣମେନନଙ୍କ ଇସ୍ତଫା ପରେ ସେ ଦେଇଥିବା ଭାଷଣ ପ୍ରତି ତୀବ୍ର କଟାକ୍ଷ କରି ‘ନିଆଁଖୁଣ୍ଟା’ ଲେଖିଥିଲା- “ଚଳିତ ନଭେମ୍ବର ୬ ତାରିଖ ଦିନ ପ୍ରତିରକ୍ଷା ଉତ୍ପାଦନ ମନ୍ତ୍ରୀ ଶ୍ରୀ ଭି.କେ.କୃଷ୍ଣମେନନ ଦିଲ୍ଲୀଠାରେ ଏକ ଜନସଭାରେ ବକ୍ତୃତା କରି କହିଛନ୍ତି-ତାଙ୍କର ଗୋଟିଏ ମାତ୍ର ଆନୁଗତ୍ୟ ଅଛି, ତାହା ହେଉଛି ମାତୃଭୂମି ପ୍ରତି।

ମାତୃଭୂମିର ସମ୍ମାନ ରକ୍ଷା ପାଇଁ କୌଣସି ତ୍ୟାଗ ସ୍ଵୀକାର ବଡକଥା ନୁହେଁ। ମୁଁ ସଂସଦର ସଦସ୍ୟ ବି ରହି ନପାରେ, ହୁଏତ ଗୋଟେ କ୍ୟାଣ୍ଟିନ ବି ଚଳାଇପାରେ।……..ଚୀନ ଆକ୍ରମଣରେ ଯେଉଁ ଅବସ୍ଥା ଘଟିଛି ତାହା କେବଳ ମେନନଙ୍କ ପାଇଁ ଘଟିଛି ବୋଲି ପାର୍ଲାମେଣ୍ଟାରି ଦଳର କେତେଜଣ ଦାବି କଲେ। ତାଙ୍କୁ ଯିଏ କ୍ଷମା ଦେଉ ନା କାହିଁକି ପଣ୍ଡିତ ନେହେରୁ ଏବେ ତାଙ୍କ ଠାରୁ ସମସ୍ତ ଅସ୍ତ୍ରଶସ୍ତ୍ର ମାଗି ନେଇଛନ୍ତି। ଅର୍ଥାତ ତାଙ୍କର ଇସ୍ତଫା ଗ୍ରହଣ କରି ନେଇଛନ୍ତି।”

ଯୁଦ୍ଧ ଏବଂ ଜାତୀୟ ସଙ୍କଟ ସମୟରେ ସାମ୍ବାଦିକତାର ଦାୟିତ୍ଵ କଣ, ସେ କଥା ଗୋଦାବରୀଶ ମହାପାତ୍ର ସ୍ପଷ୍ଟ ଭାବରେ ଦେଖାଇ ଯାଇଛନ୍ତି। ଜାତୀୟ ନେତୃତ୍ଵ ପ୍ରତି ସମ୍ମାନ ଅଛି ହେଲେ ଅନ୍ଧ ଭକ୍ତି ନାହିଁ। କଂଗ୍ରେସର ଜାତୀୟ ଓ ରାଜ୍ୟ ନେତୃତ୍ବକୁ ପ୍ରବଳ ସମାଲୋଚନା କରା ଯାଉଛି।

ଅଧିକ ପଢନ୍ତୁ: ଚୀନ୍ ହିଟଲରୀ ବିସ୍ତାରବାଦର ନୂଆ ସଂସ୍କରଣ

୧୯୬୨ ରେ ବିଜୁ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ। ଗୋଦାବରୀଶଙ୍କ ସହିତ ବିଜୁ ପଟ୍ଟନାୟକ ଓ ବିରେନ ମିତ୍ରଙ୍କ ସମ୍ପର୍କ ସବୁବେଳେ ତିକ୍ତ ରହି ଆସିଥିଲା। ଯୁଦ୍ଧ ସମୟରେ ମଧ୍ୟ ବିଜୁ ପଟ୍ଟନାୟକ ସରକାରକୁ ‘ନିଆଁଖୁଣ୍ଟା’ ବାରମ୍ବାର କଟାକ୍ଷ କରିଛି। ଅନେକ ଦୁର୍ନୀତି ଓ ଭ୍ରଷ୍ଟାଚାରର ପ୍ରସଙ୍ଗ ଉଠାଇଛି।

ଯୁଦ୍ଧ ପାଣ୍ଠିକୁ ନେଇ ଓ ଯୁଦ୍ଧ ସମୟର ମାନସିକତାକୁ ନେଇ ଆଉ ଏକ ଛୋଟିଆ ଲେଖା ଅଛି- “ଏ ଏକ ବିପଦ”। କେମିତି ଯୁଦ୍ଧ ପାଣ୍ଠି ସଂଗ୍ରହ ନାମରେ ଦୁର୍ନୀତି ଚାଲିଛି, କଳାବଜାରୀଙ୍କ ଦୌରାତ୍ମ୍ୟ ବଢିଛି, ଯୁଦ୍ଧ ନାମରେ କବିତା ଲେଖି କେମିତି ମିଛ ଭାବପ୍ରବଣତା ଓ ଭୟ ସୃଷ୍ଟି କରା ଯାଉଛି ଇତ୍ୟାଦି ପ୍ରସଙ୍ଗ ଏଥିରେ ସ୍ଥାନ ପାଇଛି। ଯୁଦ୍ଧ ସମୟରେ ଦେଶର ଜନତାଙ୍କୁ ଲୁଟ କରିବାକୁ କଳାବଜାରୀ ଓ ମୁନାଫାଖୋରମାନଙ୍କର ଏକ “ପଞ୍ଚମ ବାହିନୀ” ଗଢି ଉଠିଛି ବୋଲି କଠୋର ସମାଲୋଚନା କରା ଯାଇଛି।

ଅଧିକ ପଢନ୍ତୁ: ଛଳନା ଓ ବର୍ବରତାର ଅନ୍ୟନାମ କମ୍ୟୁନିଷ୍ଟ ଚୀନ୍

ଭାରତ-ଚୀନ ଯୁଦ୍ଧର ୫୮ ବର୍ଷ ପରେ ଆଜି ଯେତେବେଳେ ପୁଣିଥରେ ଦୁଇ ଦେଶ ପରସ୍ପର ସହିତ ମୁହାଁମୁହିଁ ଅବସ୍ଥାରେ ଠିଆ ହୋଇଛନ୍ତି, ସେତେବେଳେ ଗୋଦାବରୀଶଙ୍କ ସାମ୍ବାଦିକତା ଆଜି ପାଇଁ ଏକ ରେଫରେନ୍ସ ହୋଇପାରିବ। ସାମ୍ବାଦିକତା ଦେଶପ୍ରେମ ନିଶ୍ଚୟ ହେଲେ ଏହା ଅନ୍ଧ ଭକ୍ତି ନୁହେଁ। ଦେଶର ସଙ୍କଟ ସମୟରେ ସରକାରକୁ ବାଟ ଦେଖାଇବାର ଦାୟିତ୍ଵ ସାମ୍ବାଦିକ ନେଇଥାଏ। ସାମ୍ବାଦିକତା ଯେ ସରକାରୀ ପ୍ରଚାରତନ୍ତ୍ରର ଅଂଶ ନୁହେଁ, ଏକଥା ବୁଝିବା ଲାଗି ଆଉଥରେ ‘ନିଆଁଖୁଣ୍ଟା’ ଆମେ ପଢିପାରିବା କି ? ସୌଭାଗ୍ୟକ୍ରମେ www.odiabibhaba.in ରେ ଏବେ ପୁରୁଣା ‘ନିଆଁଖୁଣ୍ଟା’ର ସବୁତକ ଡିଜିଟାଲ କପି ପଢିବାକୁ ମିଳୁଛି।

ଶାସ୍ତ୍ରୀ ନଗର, ୟୁନିଟ୍ ୪, ଭୁବନେଶ୍ୱର  ମୋ: ୯୪୩୭୧୫୪୪୪୫
(ଲେଖକ ଜଣେ ସାମ୍ବାଦିକ ତଥା ସ୍ତମ୍ଭକାର)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Leave A Reply

Your email address will not be published.