ଭାରତ ଚୀନ୍ ସହିତ ବ୍ୟାବସାୟିକ ସଂପର୍କ ଛିନ୍ନ କରିପାରିବ କି?

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…

ଭାରତର ସୀମା ଭିତରକୁ ଚୀନ୍‌ର ଅନୁପ୍ରବେଶ ଓ ସେଥିପାଇଁ କୋଡ଼ିଏ ଜଣ ଭାରତୀୟ ଜବାନ୍ ଶହୀଦ୍ ହେବା ପରେ ଭାରତ ଓ ଚୀନ୍ ମଧ୍ୟରେ ସଂପର୍କ ଅତ୍ୟନ୍ତ ତିକ୍ତ ହେବାରେ ଲାଗିଛି । ଏପରି ପରିସ୍ଥିତିରେ ସାଧାରଣ ଭାରତୀୟଙ୍କ ମଧ୍ୟରେ ଚୀନ୍ ପ୍ରତି ଅତ୍ୟନ୍ତ କ୍ରୋଧ ପ୍ରକାଶ ପାଉଥିବାର ଦେଖାଯାଉଛି । ଚୀନ୍‌ର ଦାଦାଗିରି ବିରୁଦ୍ଧରେ ପ୍ରତିବାଦ ସଭା ଓ ଚୀନା ସାମଗ୍ରୀ ବର୍ଜ୍ଜନ କରିବାକୁ ଅନେକ ଲୋକ ଆହ୍ୱାନ ଦେଉଛନ୍ତି । ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ସବୁଆଡ଼େ ଲୋକମାନେ ଚୀନ୍ ବିରୁଦ୍ଧରେ ବିଷୋଦଗାର ଓ ଚୀନା ସାମଗ୍ରୀକୁ ପୋଡ଼ୁଥିବାର ଭାଙ୍ଗୁଥିବାର ଖବର ମାନ ଟିଭି ପରଦାରେ ଦେଖିବାକୁ ମିଳୁଛି । ସୀମାରେ ଚୀନ୍ ଦ୍ୱାରା ୨୦ ଜଣ ଜବାନ୍ ଶହୀଦ୍ ହେବା ପରେ ଭାରତବାସୀଙ୍କର ଏପରି କ୍ରୋଧ ହେବା ସ୍ୱାଭାବିକ । କିନ୍ତୁ ସରକାର ଏପର୍ଯ୍ୟନ୍ତ ଚୀନ୍ ବିରୁଦ୍ଧରେ ଠୋସ୍ କିଛି କହିଥିବାର ଶୁଣାଯାଉନି । ବରଂ ସରକାର ପ୍ରଥମେ କହୁଥିଲେ ସୀମାରେ ହୋଇଥିବା ସଂଘର୍ଷରେ ଭାରତର କେହି ଜବାନ୍ ନିଖୋଜ୍ ହୋଇନାହାନ୍ତି । କିନ୍ତୁ ପର ମୂହୁର୍ତ୍ତରେ ଚୀନ୍ ଜବାନ୍ ମାନଙ୍କୁ ଛାଡ଼ିବା ପରେ ଭାରତ ସରକାର ଜବାନ୍‌ଙ୍କ ନିଖୋଜ୍ ଘଟଣାକୁ ସ୍ୱିକାର କରିଛନ୍ତି । ଏଥିରୁ ଗୋଟିଏ କଥା ବୁଝିହେଉଛି ଯେ, ସରକାର ଚୀନ୍ ବିରୁଦ୍ଧରେ ଦୃଢ଼ ଭାବେ କିଛି ପଦକ୍ଷେପ ନେବା ପରିସ୍ଥିତିରେ ନାହାନ୍ତି । କିନ୍ତୁ ଲୋକମାନେ ଯେତେବେଳେ ଚୀନ୍ ସାମଗ୍ରୀ ବର୍ଜ୍ଜନକୁ ନେଇ ବାରମ୍ବାର ଦାବୀ କରିଆସୁଛନ୍ତି ଓ ସରକାରଙ୍କୁ ଚୀନ୍ ସହିତ ବ୍ୟାବସାୟିକ ସଂପର୍କ ଛିନ୍ନ କରିବାକୁ ଆହ୍ୱାନ ଦେଉଛନ୍ତି, ସରକାର ସେ ବିଷୟରେ ସଂପୂର୍ଣ୍ଣ ନୀରବ ଅଛନ୍ତି ।

କିଛି ସରକାରଙ୍କ ସମର୍ଥକ ଏକଥା ବି କହୁଛନ୍ତି ଯେ, ଆନ୍ତର୍ଜାତୀୟ ଚୁକ୍ତି ଆଦି ପାଇଁ ଭାରତ ସରକାର ଚୀନ୍ ସହିତ ବ୍ୟାବସାୟିକ ସଂପର୍କ ଛିନ୍ନ କରିପାରିବେ ନାହିଁ । ଲୋକମାନେ ଚୀନ୍ ବସ୍ତୁ ବର୍ଜ୍ଜନ କରିବା ଉଚିତ । ଏହା ଠିକ୍ ପର ପାଟିରେ ଲଙ୍କା ଚାଖିବା ପରି । ଆନ୍ତର୍ଜାତୀୟ ଚୁକ୍ତି ଶୁଳ୍କ ଓ ବାଣିଜ୍ୟ ସଂକ୍ରାନ୍ତ ସାଧାରଣ ରାଜିନାମା (ଗ୍ୟାଟ୍‌)ର ଧାରା ୨୧(ଖ) ୩ ଅନୁଯାୟୀ ବିଶ୍ୱ ବାଣିଜ୍ୟ ସଂଗଠନର ଏକ ସଦସ୍ୟ ଦେଶ ଅନ୍ୟ ଏକ ଦେଶ ବିରୁଦ୍ଧରେ ବାଣିଜ୍ୟିକ କାର୍ଯ୍ୟାନୁଷ୍ଠାନ ନେଇପାରିବ । ଯୁଦ୍ଧ ସମୟରେ, ନିଜ ଦେଶର ସୁରକ୍ଷା ସ୍ୱାର୍ଥ କିମ୍ବା ଆନ୍ତର୍ଜାତୀୟ ସମ୍ପର୍କରେ ଜରୁରୀ କାଳୀନ ପରିସ୍ଥିତିକୁ ଦେଖି ଏହି ପଦକ୍ଷେପ ନିଆଯାଇପାରିବ । ଭାରତ ଏବଂ ଚୀନ ମଧ୍ୟରେ ସଂପ୍ରତି ଦେଶର ସାର୍ବଭୌମତା ଓ ସୁରକ୍ଷା କଥା ଉଠୁଥିବାରୁ ଭାରତ ଚାହିଁଲେ ଚୀନ୍ ସହିତ ଏପରି ପଦକ୍ଷେପ ନେଇପାରିବ । ପାକିସ୍ତାନ ବିରୁଦ୍ଧରେ ଭାରତ ସରକାର ଶୁଳ୍କ ବୃଦ୍ଧି ପାଇଁ ଯେପରି ପଦକ୍ଷେପ ନେଇଥିଲା, ଚୀନ ସହିତ ମଧ୍ୟ ସେପରି ପଦକ୍ଷେପ ନେଇପାରିବ । କିନ୍ତୁ ଅସଲ କଥା ହେଉଛି, ଭାରତ ସରକାର ଚୀନ ବିରୁଦ୍ଧରେ ସେପରି ପଦକ୍ଷେପ ନେବାକୁ ଚାହୁଁନାହାନ୍ତି । କାରଣ ପାକିସ୍ତାନ ସହିତ ଭାରତର ବାଣିଜ୍ୟର ଆକାର ଆଖିଦୃଶିଆ ନଥିଲା , କିନ୍ତୁ ଚୀନ ସହିତ ଭାରତର ବାଣିଜ୍ୟର ଆକାର ବହୁତ ବଡ଼ । ଏଥିରେ ଚୀନ୍ ଅପେକ୍ଷା ଭାରତର ସ୍ୱାର୍ଥ ଅଧିକ ଜଡ଼ିତ ।

ଅନ୍ୟପକ୍ଷରେ ପ୍ରଶ୍ନ ଉଠୁଛି, ଭାରତ ସରକାର କ’ଣ ଚୀନ୍ ସାମଗ୍ରୀକୁ ବର୍ଜ୍ଜନ କରିପାରିବେ କି? ଭାରତ ଚୀନ୍ ସହିତ ବ୍ୟାବସାୟିକ ସଂପର୍କକୁ ସଂପୂର୍ଣ୍ଣ ଭାବେ ଛିନ୍ନ କରିବାକୁ ସମର୍ଥ କି ଓ ଏହା ଦ୍ୱାରା ସତରେ କ’ଣ ଚୀନ୍‌ର ଆର୍ଥିକ ଅବସ୍ଥା ଦୋହଲିଯିବ? ପରିସଂଖ୍ୟାନରୁ ଜଣାଯାଉଛି ଯେ, ଆର୍ଥିକ ଓ ବ୍ୟବସାୟିକ ପରିସ୍ଥିତିକୁ ନେଇ ଆମେ ଚୀନ୍ ସହିତ ପାକିସ୍ତାନ ପରି ବ୍ୟବହାର କରିପାରିବା ନାହିଁ । ଯଦି ଆମେ ପରିସଂଖ୍ୟାନ ଉପରେ ଆଖି ପକେଇବା ତେବେ ଜାଣିବା ଯେ, ଆଜି ୨୦୨୦ରେ ଆମ ଅର୍ଥନୀତି ଚୀନ୍ ଉପରେ ଅଧିକାଂଶ ଭାବେ ନିର୍ଭରଶୀଳ । ଆମେ ଚୀନ୍ ସାମଗ୍ରୀ ବର୍ଜ୍ଜନ କଲେ ବା ଚୀନ୍ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗେଇଲେ ଚୀନ୍‌ର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯିବ ନାହିଁ । ଏପରିକି ଆମର ପ୍ରତିବନ୍ଧକ ଦ୍ୱାରା ଚୀନ୍‌ର ଯେତିକି କ୍ଷତି ହେବ ତା ଠାରୁ ଅଧିକ କ୍ଷତି ଭାରତର ହେବ । କାରଣ ଏପର୍ଯ୍ୟନ୍ତ ଆମେ କେବଳ ଆତ୍ମନିର୍ଭରଶୀଳତାର ଭାଷଣ ଦେଇ ଆସିଛୁ କିନ୍ତୁ ପ୍ରକୃତ ଅର୍ଥରେ ଆତ୍ମନିର୍ଭରଶୀଳ ହେବାକୁ ପ୍ରୟାସ ବି କରିନାହୁଁ । କୌଣସି ସରକାର ବି ଭାରତକୁ ଆତ୍ମନିର୍ଭରଶୀଳ କରିବା ଦିଗରେ କିଛି ବି ଠୋସ୍ ପଦକ୍ଷେପ ନେଇନାହାନ୍ତି ।

ଭାରତ ଚୀନ୍‌କୁ ଯେତିକି ପରିମାଣର ରପ୍ତାନୀ କରୁଛି ତାହା ଭାରତର ସମୁଦାୟ ରପ୍ତାନୀର ମାତ୍ର ୫% । ସେହିପରି ଭାରତର ସମୁଦାୟ ଆମଦାନୀରେ ଚୀନ୍‌ର ଭାଗ ୧୪% । ଅର୍ଥାତ୍ ଭାରତ ଯେତିକି ମୂଲ୍ୟର ଜିନିଷ ଆମଦାନୀ କରୁଛି ତାର ୧୪% କେବଳ ଚୀନ୍‌ରୁ ଆମଦାନୀ କରୁଛି । କିନ୍ତୁ ଚୀନ୍ କ୍ଷେତ୍ରରେ ଏହି ପରିସଂଖ୍ୟାନ ଅତ୍ୟନ୍ତ ନଗଣ୍ୟ । ଚୀନ୍ ଆମକୁ ଯାହା ରପ୍ତାନୀ କରୁଛି, ତାହା ତାର ସମୁଦାୟ ରପ୍ତାନୀର ମାତ୍ର ୩% । ଏହା ବନ୍ଦ ହୋଇଗଲେ, ନିଶ୍ଚିତ ଭାବେ ଚୀନ୍ ଦୋହଲିଯିବ ନାହିଁ । ସେହିପରି ଚୀନ୍‌ର ଆମଦାନୀରେ ଭାରତର ଭାଗ ମାତ୍ର ୧% । ପରିସଂଖ୍ୟାନକୁ ଦେଖିଲେ ବୁଝାପଡ଼ୁଛି ଯେ, କାଲି ଯଦି ଆମେ ଚୀନ୍ ସହିତ ବ୍ୟବସାୟିକ ସଂପର୍କ ଛିନ୍ନ କରିଦେବା ତେବେ ଚୀନ୍ ଅପେକ୍ଷା ଭାରତ ବେଶୀ ପ୍ରଭାବିତ ହେବ ।

ଦ୍ୱିତୀୟ ଓ ଗୁରୁତ୍ୱପୂର୍ଣ୍ଣ ଘଟଣାଟି ହେଉଛି, ସଂପ୍ରତି ଚୀନ୍‌ର କଂପାନୀମାନେ ଭାରତର ସଫଳ ଷ୍ଟାର୍ଟଅପ୍ କଂପାନୀ ମାନଙ୍କରେ ପ୍ରାୟ ୪୦୦ କୋଟି ଡଲାରର ଅର୍ଥ ନିବେଶ କରିଛନ୍ତି । ସେଥିରେ ଓୟୋ, ପେଟିଏମ ଓ ଜୋମାଟୋ ପରି ସଫଳ ଓ ଘରେ ଘରେ ପରିଚିତ କଂପାନୀ ମାନେ ଅନ୍ତର୍ଭୁକ୍ତ । ଚୀନ୍‌ର ଆଲିବାବା ଗ୍ରୁପ୍ ‘ପେ-ଟିଏମ୍‌’ରେ ୪୦୦ ମିଲିଅନ୍ ଡଲାର, ଜୋମାଟୋରେ ୨୦୦ ମିଲିଅନ୍ ଡଲାର, ବିଗ୍ ବାସ୍କେଟ୍‌ରେ ୨୫୦ ମିଲିଅନ୍ ଡଲାର, ‘ପେ-ଟିଏମ ମଲ୍‌’ରେ ୧୫୦ ମିଲିଅନ୍ ଡଲାର, ସ୍ନାପ୍‌ଡିଲ୍‌ରେ ୧୦୦ ମିଲିଅନ୍ ଡଲାର, ବାଇଜୁରେ ୫୦ ମିଲିଅନ୍ ଡଲାର ଓ ଓଲା, ସ୍ୱିଗି ଆଦିରେ ଚୀନ୍‌ର କଂପାନୀ ମାନେ ପ୍ରଚୁର ପରିମାଣର ଟଙ୍କା ନିବେଶ କରିଛନ୍ତି । ଏହି ସବୁ କଂପାନୀ ଓ ତାଙ୍କ ବ୍ୟବସାୟ ଚୀନ୍‌ର ଅର୍ଥରେ ହିଁ ଚାଲୁଛି । ତେଣୁ ଏପରି ପରିସ୍ଥିତିରେ ଭାରତ ଚୀନ୍ ସହିତ ବ୍ୟାବସାୟିକ ସଂପର୍କ ଛିନ୍ନ କରିବା ସ୍ଥିତିରେ ହିଁ ନାହିଁ । କାରଣ ଏହା ଦ୍ୱାରା ଭାରତର ଅର୍ଥନୀତି ଭୟଙ୍କର ଭାବେ ପ୍ରଭାବିତ ହେବ ।

ଏହା ବ୍ୟତୀତ ୨୦୧୭-୧୮ରେ ଭାରତ ପ୍ରାୟ ୬୦ ପ୍ରତିଶତ ଇଲେକ୍ଟ୍ରିକ୍ ସାମଗ୍ରୀ ଚୀନ୍‌ରୁ ଆମଦାନୀ କରିଛି । ସେହିପରି ଭାରତରେ ବହୁଳ ଭାବେ ବିକ୍ରି ହେଉଥିବା ୫ଟି ମୋବାଇଲ୍ ଫୋନ୍‌ରୁ ୪ଟି ଫୋନ୍ ଚୀନ୍‌ର । ଭାରତର ମୋବାଇଲ୍ ଆମଦାନୀ କ୍ଷେତ୍ରରେ ଚୀନ୍‌ର ଭାଗ ମଧ୍ୟ ୬୦% । ସେହିପରି ପ୍ରାୟ ୩୦ ପ୍ରତିଶତ ଅଟୋମୋବାଇଲ୍ ସାମଗ୍ରୀ, ୫୦% ସାଇକେଲ, ଓ ୯୦% ଖେଳଣା ସାମଗ୍ରୀ ଭାରତ ଚୀନ୍‌ରୁ ଆମଦାନୀ କରିଥାଏ । ଔଷଧ ଆମଦାନୀ କ୍ଷେତ୍ରରେ ଚୀନ୍‌ର ଯୋଗଦାନ ବି କମ୍ ନୁହେଁ । ଚୀନ୍ ସାମଗ୍ରୀର ଆଉ ଗୋଟିଏ ମୂଖ୍ୟ କଥା ହେଉଛି, ତାହା ତୁଳନାତ୍ମକ ଭାବେ ଦାମ୍ କମ୍ ଓ ଗୁଣବତା ଦୃଷ୍ଟିରୁ ବି ଖରାପ ନୁହେଁ । ତେଣୁ ଭାରତର ମଧ୍ୟବିତ ଭାବେ ଖୁବ୍ ସହଜରେ ଚୀନ୍‌ର ସାମଗ୍ରୀର ପ୍ରେମରେ ପଡ଼ଯିାଉଛନ୍ତି । ଭାରତ ଯଦି ହଠାତ୍ ଚୀନ୍ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗେଇ ଦିଏ, ଏହାର ସବୁଠାରୁ ଅଧିକ ପ୍ରଭାବ ପଡ଼ିବ ଭାରତର ମଧ୍ୟବିତଙ୍କ ଉପରେ । ଯେଉଁମାନେ ଅଳ୍ପ ମୂଲ୍ୟରେ ସାମଗ୍ରୀ ପାଉଥିଲେ, ସେମାନେ ତାହା ହରେଇବାକୁ ବାଧ୍ୟ ହେବେ ।

ଆଉ ଗୋଟିଏ କଥା ହେଉଛି, ଭାରତ ଚୀନ୍‌ରୁ ମୂଖ୍ୟତଃ ତିଆରି ହୋଇଥିବା ସାମଗ୍ରୀ ଆମଦାନୀ କରେ ନାହିଁ । ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି ହେବା ପାଇଁ କଂଚାମାଲ୍ ଆମଦାନୀ କରିଥାଏ । ଛୋଟ ଛୋଟ ଭାରତୀୟ କଂପାନୀ ମାନେ ଏଥିରେ ଜିନିଷ ତିଆରି କରି ବିକ୍ରି କରିଥାନ୍ତି । ତେଣୁ ଚୀନ୍ ଉପରେ ପ୍ରତିବନ୍ଧକ ଲଗେଇ ଦେଲେ, ଭାରତର ଛୋଟ ଛୋଟ କଂପାନୀମାନେ ବେଶୀ କ୍ଷତି ସହିବେ ଓ ଏହାର ସିଧା ପ୍ରଭାବ ନିଯୁକ୍ତି ଓ ଆମ ଅର୍ଥବ୍ୟବସ୍ଥା ଉପରେ ପଡ଼ିବ । ଏହା ବର୍ତମାନର ଦୁର୍ବଳ ଅର୍ଥବ୍ୟବସ୍ଥାକୁ ଆହୁରି ଦୁର୍ବଳ କରିଦେବ । ବିଭିନ୍ନ ପ୍ରକାର ଔଷଧ ତିଆରି କରିବା ପାଇଁ ଭାରତ ଚୀନ୍‌ରୁ କଂଚାମାଲ୍ ଆମଦାନୀ କରିଥାଏ । ଚୀନ୍ ସହିତ ବ୍ୟାବସାୟିକ ସଂପର୍କ ଛିନ୍ନ କରିଦେଲେ, ଭାରତ ଏତେ ଶୀଘ୍ର ସେହି ସବୁ କଂଚାମାଲ୍ ଆଉ କେଉଁଠୁ ଆମଦାନୀ କରିବା ସମ୍ଭବପର ନୁହେଁ । ଏହା ଆମ ଔଷଧ ଉଦ୍ୟୋଗକୁ ବହୁଳ ଭାବେ ପ୍ରଭାବିତ କରିବ । ତେଣୁ ଭାରତ କ୍ଷେତ୍ରରେ ସଂପ୍ରତି ଚୀନ୍ ସହିତ ବ୍ୟାବସାୟିକ ସଂପର୍କ ଛିନ୍ନ କରିବା ପ୍ରାୟତଃ ସମ୍ଭବପର ନୁହେଁ । ସେଥିପାଇଁ ସରକାର ଚୀନ୍‌ର ସାମଗ୍ରୀକୁ ନେଇ ନୀରବ ଅଛନ୍ତି । ଚୀନ୍ ସାମଗ୍ରୀକୁ ନେଇ ସରକାରରେ ଥିବା କିଛି କିଛି ନେତା ଓ ସରକାରୀ ସମର୍ଥକ ସଂଗଠନଙ୍କ ବୟାନବାଜି କେବଳ ଲୋକଙ୍କ କ୍ରୋଧକୁ ସାମୟିକ ଭାବେ ଥଣ୍ଡା କରିବା ପାଇଁ ଉଦ୍ଦିଷ୍ଟ ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।