Latest Odisha News

BREAKING NEWS

ପାକିସ୍ତାନ ସହ ମିଳିତ ଭାବେ ଭାରତ ଆୟୋଜିତ କଲା ୧୯୮୭ ବିଶ୍ୱକପ: ନୂଆ ବିଜେତା, ପ୍ରଥମ ହ୍ୟାଟ୍ରିକ, ସିଦ୍ଧୁଙ୍କ କମାଲ

ବିଶ୍ୱ ଚାମ୍ପିୟନ ଭାରତ ଏଥର ସମସ୍ତ ଉଦ୍ୟମ କରି ୧୯୮୭ରେ ପାକିସ୍ତାନ ସହ ମିଳିତ ଭାବେ ବିଶ୍ୱକପ କ୍ରିକେଟ ଆୟୋଜନ କରିଥିଲା । ୮ ଅକ୍ଟୋବରରୁ ୮ ନଭେମ୍ବର ପର୍ଯ୍ୟନ୍ତ ଏହା ଆୟୋଜିତ ହୋଇଥିଲା । ଇଂଲଣ୍ଡ ବାହାରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ଅଷ୍ଟ୍ରେଲିଆ ନୂଆ ବିଜେତା ହୋଇଥିଲା । ଭାରତର ଅଭିଯାନ ସେମି ଫାଇନାଲରେ ଶେଷ ହୋଇଥିଲା । ୮ଟି ଟିମକୁ ନେଇ ୫୦ ଓଭର ବିଶିଷ୍ଟ ମ୍ୟାଚ ଦର୍ଶକଙ୍କୁ ବେଶ ରୋମାଂଚ ଯୋଗାଇଥିଲା । ଗ୍ରୁପ ଏରେ ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଜିମ୍ବାୱେ ରହିଥିବା ବେଳେ ଗ୍ରୁପ ବିରେ ପାକିସ୍ତାନ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ରହିଥିଲେ । ଭାରତ ଗ୍ରୁପ ପର୍ଯର୍୍ୟାୟରେ ଭଲ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଥିଲା । ଅଷ୍ଟ୍ରେଲିଆ ନିକଟରୁ ୧ରନରେ ପରାଜିତ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ଓ ଜିମ୍ବାୱେକୁ ଦୁଇ ଥର ଏବଂ ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚରେ ପରାଜିତ କରିଥିଲା ।

ଭାରତ-ଇଂଲଣ୍ଡ ସେମିଫାଇନାଲ : ଘରୋଇ ପରିବେଶରେ ଭାରତ ସେମିଫାଇନାଲରେ ପ୍ରବେଶ କରି ପୁନର୍ବାର ଟାଇଟଲ ହାସଲ ଆଶା ଉଜ୍ଜୀବୀତ କରିଥିଲ । । ମାତ୍ର ଇଂଲଣ୍ଡ ଶୃଙ୍ଖଳିତ ପ୍ରଦର୍ଶନ କରି ଭାରତକୁ ବିଦା କରିଥିଲା । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଗ୍ରାହାମ ଗୁଚଙ୍କ ୧୧୫ ରନ ସହାୟତାରେ ଭାରତ ସମ୍ମୁଖରେ ୨୫୫ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଭାରତ ୪୫.୩ ଓଭରରେ ୨୧୯ ରନ କରି ଅଲଆଉଟ ହୋଇ ଯାଇଥିଲା । ମହମ୍ମସ ଆଝାରୁଦ୍ଦିନ ସର୍ବାଧିକ ୬୪ ରନ କରିଥିଲେ । ଇଂଲଣ୍ଡର ଇଡି ହେମିଙ୍ଗସ ୪ଟି ଏବଂ ନୀଲ ଫୋଷ୍ଟର ୩ଟି ୱିକେଟ ନେଇଥିଲେ ।ଫାଇନାଲ: ବିଶ୍ୱକପର ଫାଇନାଲରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସାମ୍ନା ସାମ୍ନି ହୋଇଥିଲେ । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୫୪ ରନର ଟାର୍ଗେଟ ଇଂଲଣ୍ଡକୁ ଦେଇଥିଲା । ଡେଭିଡ ବୁନ ୭୫ ଓ ମାଇକେ ଭେଲେଟା ୪୫ ରନ କରିଥିଲେ । ୨୫୫ ରନର ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଏକଦା ୩ ୱିକେଟ ହରାଇ ୧୩୫ ରନ ସଂଗ୍ରହ କରି ନେଇଥିଲା । ମାତ୍ର ଅଷ୍ଟ୍ରେଲିଆ ବୋଲର ଚମତ୍କାର ପ୍ରଦର୍ଶନ କରିବା ଯୋଗୁ ଇଂଲଣ୍ଡ ୫୦ ଓଭରରେ ୮ ୱିକେଟ ହରାଇ ୨୪୬ ରନ କରିବାକୁ ସକ୍ଷମ ହୋଇଥିଲା । ଷ୍ଟିଭ ୱ ଓ ଆଲାନ ବର୍ଡର ୨ଟି ଲେଖାଁଏ ୱିକେଟ ହାସଲ କରିଥିଲେ ।ଚେତନଙ୍କ ହ୍ୟାଟ୍ରିକ: ବିଶ୍ୱକପ ଇତିହାସରେ ଭାରତର ଚେତନ ଶର୍ମା ହ୍ୟାଟ୍ରିକ ୱିକେଟ ଅକ୍ତିଆର କରି ଇତିହାସ ରଚିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ସେ କେନ ରଥରଫୋର୍ଡ, ଇଆନ ସ୍ମିଥ ଓ ଇୱାନ ଚାଟଫିଲ୍ଡଙ୍କ ୱିକେଟ ହାସଲ କରିଥିଲେ । ଚେତନ ଭାରତୀୟ କ୍ରିକେଟର ନୂତନ ଷ୍ଟାର ସାଜିଥିଲେ ।

ସିଦ୍ଧୁଙ୍କ କମାଲ: ବିଶ୍ୱକପ ପରି ଗୁରୁତ୍ୱପୂର୍ଣ୍ଣ ପଦାର୍ପଣ ଟୁର୍ଣ୍ଣାମେଂଟରେ ନଭଜୋତ ସିଂ ସିଦ୍ଧୁ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାରେ ଭାରତ ୧ ରନରେ ହାରି ଯାଇଥିଲେ ମଧ୍ୟ ସିଦ୍ଧୁ ୭୯ ବଲରେ ୭୩ ରନ କରିଥିଲେ । ଟୁର୍ଣ୍ଣାମେଂଟରେ ୫ଟି ଇନିଂସରେ ସେ ୨୭୬ ରନ ସଂଗ୍ରହ କରିଥିଲେ । ବିଶ୍ୱକପ ପରେ ସିଦ୍ଧୁ ସିକ୍ସର କିଙ୍ଗ ଭାବେ ପରିଚିତ ହୋଇଥିଲେ ।

Leave A Reply

Your email address will not be published.