Latest Odisha News

BREAKING NEWS

୧୯୯୬ ବିଶ୍ୱକପ : ଶ୍ରୀଲଙ୍କା ଚାମ୍ପିୟନ, କାମ୍ବଲୀଙ୍କ କାନ୍ଦ ଆଉ ଟିମ ଇଣ୍ଡିଆର ବିଦାୟ ସାରା ଭାରତର ଆଖି ଛଳ ଛଳ କରି ଦେଇଥିଲା

୧୯୯୬ ବିଶ୍ୱକପ କ୍ରିକେଟକୁ ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରିଥିଲେ । ପ୍ରଥମ ଥର ପାଇଁ ୧୨ଟି ଟିମ ଏଥିରେ ଅଂଶଗ୍ରହଣ କରିଥିଲେ । ୯ ଟେଷ୍ଟ ଖେଳୁଥିବା ଦେଶ ଓ ୟୁଏଇ, କେନିୟା ଓ ନେଦରଲାଣ୍ଡସ ଏଥିରେ ଖେଳିଥିଲେ । ୱେଷ୍ଟଇଣ୍ଡିଜକୁ ପରାସ୍ତ କରି କେନିୟା ସମସ୍ତଙ୍କୁ ଚକିତ କରି ଦେଇଥିଲା । ଭାରତ ୧୭ ଭେନ୍ୟୁରେ ୧୭ ମ୍ୟାଚ, ପାକିସ୍ତାନ ୬ ଭେନ୍ୟୁରେ ୧୬ ମ୍ୟାଚ ଓ ଶ୍ରୀଲଙ୍କା ୩ ଭେନ୍ୟୁରେ ୪ ମ୍ୟାଚ ଆୟୋଜିତ କରିଥିଲା । ଫାଇନାଲରେ ଅଷ୍ଟ୍ରେଲିଆକୁ ୭ ୱିକେଟରେ ପରାସ୍ତ କରି ଶ୍ରୀଲଙ୍କା ନୂଆ ଚାମ୍ପିୟନ ହୋଇଥିଲା । କଲମ୍ବୋର ସେଂଟ୍ରାଲ ବ୍ୟାଙ୍କରେ ତାମିଲ ଟାଇଗରଙ୍କ ଦ୍ୱାରା ବିସ୍ଫୋରଣ କରାଯିବା ଫଳରେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ସେଠାକୁ ମ୍ୟାଚ ଖେଳିବାକୁ ଯିବା ପାଇଁ ମନା କଲେ । ଯାହାର ଫାଇଦା ଶ୍ରୀଲଙ୍କାକୁ ମିଳିଥିଲା । ଏହି ୨ ମ୍ୟାଚରେ ଶ୍ରୀଲଙ୍କାକୁ ବିଜୟୀ ଘୋଷିତ କରାଯିବା ଫଳରେ କୌଣସି ମ୍ୟାଚ ନ ଖେଳି ଦଳ ସହଜରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା ।

ସେମିଫାଇନାଲରେ ଭାରତ-ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ-ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବିଲା ହୋଇଥିଲା । ଇଡେନଗାର୍ଡେନରେ ଖେଳାଯାଇଥିବା ପ୍ରଥମ ସେମିରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ଅରବିନ୍ଦ ଡିସିଲଭାଙ୍କ ୬୬ ରନ ସହାୟତାରେ ୨୫୧ ରନ କରିଥିଲା । ଜବାବରେ ଭାରତ ୩୪.୧ ଓଭରରେ ୮ ୱିକେଟ ହରାଇ ବିପଦରେ ପଡିଥିବା ବେଳେ ପ୍ରଶଂସକମାନେ ମ୍ୟାଚ ଖେଳାଇ ଦେଇ ନ ଥିଲେ । ବିନୋଦ କାମ୍ବଲୀ ୧୦ରନ ଓ ଅନୀଲ କୁମ୍ବଲେ କୌଣସି ରନ ନ କରି ଅପରାଜିତ ରହିଥିଲେ । ଶ୍ରୀଲଙ୍କାକୁ ଶେଷରେ ବିଜୟୀ ଘୋଷିତ କରାଯାଇଥିଲା । କାମ୍ବଲୀ କାନ୍ଦି କାନ୍ଦି ଆସିବା ଏକ ଚର୍ଚ୍ଚିତ ଘଟଣା ପାଲଟି ଯାଇଥିଲା । ସଚିନ ତେନ୍ଦୁଲକର ସର୍ବାଧିକ ୬୫ ରନ କରିଥିଲେ । ସନଥ ଜୟସୂରିୟା ୩ଟି ୱିକେଟ ନେଇଥିଲେ । ଅଷ୍ଟ୍ରେଲିଆ ୫ ରନରେ ୱେଷ୍ଟଇଣ୍ଡିଜକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ।

ସଚିନ ତେନ୍ଦୁଲକରଙ୍କ ଶତକ ବଳରେ ଭାରତ ପ୍ରଥମ ମ୍ୟାଚରେ ୭ ୱିକେଟରେ କେନିୟାକୁ ପରାସ୍ତ କରିଥିଲା । ସେହିପରି ୱେଷ୍ଟଇଣ୍ଡିଜକୁ ୫ ୱିକେଟରେ ହରାଇଥିବା ବେଳେ ଅଷ୍ଟ୍ରେଲିଆ ନିକଟରୁ ୧୬ ରନରେ ହାରି ଯାଇଥିଲା । ସଚିନ ୯୦ ରନର ଚମତ୍କାର ଇନିଂସ ଖେଳିଥିଲେ ସୁଦ୍ଧା ଭାରତ ଜିତିପାରି ନ ଥିଲା । ଶ୍ରୀଲଙ୍କା ମଧ୍ୟ ୬ ୱିକେଟରେ ଭାରତକୁ ହରାଇଥିଲା । ବୋଲରଙ୍କ ଖରାପ ବୋଲିଂ ଯୋଗୁ ସଚିନଙ୍କ ୧୩୭ ରନର ଇନିଂସକୁ କାମରେ ଲାଗି ନ ଥିଲା । ବିନୋଦ କାମ୍ବଲୀ ଜିମ୍ବାୱେ ବିପକ୍ଷରେ ଚମତ୍କାର ଶତକ ହାସଲ କରି ଭାରତକୁ ୪୦ ରନରେ ବିଜୟୀ କରାଇଥିଲେ । କ୍ୱାର୍ଟର ଫାଇନାଲରେ ଭାରତ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ, ଇଂଲଣ୍ଡକୁ ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକାକୁ ୱେଷ୍ଟଇଣ୍ଡିଜ ଓ ନ୍ୟୁଜିଲାଣ୍ଡକୁ ଅଷ୍ଟ୍ରେଲିଆ ପରାସ୍ତ କରି ସେମିରେ ପ୍ରବେଶ କରିଥିଲେ ।

Leave A Reply

Your email address will not be published.