ପାଲନପୁର: ପ୍ରେମ ସମ୍ପର୍କ ଶେଷ କରିବାକୁ ଚାହୁଁଥିଲେ ପ୍ରେମିକା, ପ୍ରେମିକ ଅମଙ୍ଗ ହେବାରୁ ରାସ୍ତାରୁ ହଟାଇଦେଲା ପ୍ରେମିକା । ଜୀବନରୁ ମାରିଦେଇ ପ୍ରମାଣ ନଷ୍ଟ କରିବାକୁ ପୋଡିଦେଲା । ଘଟଣା ଘଟିଛି ଗୁଜରାଟ ସାବରକଣ୍ଠରେ ଥିବା ଚିତୋଡ୍ ଥାନା ଅଂଚଳରେ । ମୃତକ ହେଉଛନ୍ତି ୪୫ ବର୍ଷୀୟ ପୋଲିସ ଏଏସଆଇ ଅଶ୍ୱିନ ତବିୟଦ । ସୂଚନା ଅନୁସାରେ ଚିତୋଡ ଥାନାରେ କାର୍ଯ୍ୟରତ ଅଶ୍ୱିନ ତାଙ୍କ ସହଯୋଗୀ ହେଡ୍ କନଷ୍ଟେବଳ ୩୭ ବର୍ଷୀୟ ଆଲଫା କଲାସ୍ୱାଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । ପରେ ଆଲଫା ପ୍ରେମ ସମ୍ପର୍କ ଭାଙ୍ଗିବାକୁ କହିଥିଲେ କିନ୍ତୁ ରାଜି ନଥିଲେ ଏଏସଆଇ । ତେଣୁ ରାସ୍ତାରୁ ହଟାଇବାକୁ ପ୍ରଥମେ ଅଶ୍ୱିନଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ କାରରେ ଭର୍ତ୍ତି କରି ପୁରା କାରକୁ ଜାଳିଦେଇଛନ୍ତି ପ୍ରେମିକା ଓ ତାଙ୍କର ୩ ସହଯୋଗୀ । ଘଟଣାର ବହୁଦିନ ପରେ ତଦନ୍ତରେ ସତ ସାମ୍ନାକୁ ଆଣିଛି ଆରାବଲି ସ୍ଥାନୀୟ କ୍ରାଇମବ୍ରାଂଚ ।
ଅଶ୍ୱିନଙ୍କ ଘର ଆରାଭଲି ଜିଲ୍ଲା ଭିଲୋଡା ତାଲୁକାରେ ଥିବା ଝିଂଜୋଡି ଗାଁରେ । ଚିତୋଡ ଥାନାରେ ଇନସ୍ପେକ୍ଟରଙ୍କ ବ୍ୟକ୍ତିଗତ ଲେଖକ ଭାବେ କାମ କରୁଥିଲେ ଅଶ୍ୱିନ । ନଭେମ୍ବର ୧୦ରେ ହାତପତି ନଦୀ ନିକଟ ପାଡ୍ରା ଗାଁ ନିକଟରୁ ତାଙ୍କ ଜଳି ଯାଇଥିବା ମାରୁତି ଏରଟିକା କାର ସହ କାର ଭିତରୁ ତାଙ୍କ ପୋଡିଯାଇଥିବା କଂଙ୍କାଳର ଅବଶେଷ ଉଦ୍ଧାର ହୋଇଥିଲା ।
ନଭେମ୍ବର ୮ରେ ରାତି ୧୦ଟା ୧୫ରେ ଡ୍ୟୁଟି ପାଇଁ କାର ଯୋଗେ ଘରୁ ବାହାରିଥିଲେ ଅଶ୍ୱିନ । ତାପରେ ଆଉ ଘରକୁ ଫେରିନଥିଲେ ।
ତଦନ୍ତ ବେଳେ ଅଶ୍ୱିନ ଆଲଫାଙ୍କ ସହ ପ୍ରେମ ସମ୍ପର୍କରେ ଥିବା ଜଣାପଡିଥିଲା । ଯିଏକି ମହିଳା ହେଡ୍ କନଷ୍ଟେବଳ ଭାବେ ଚିତୋଡ ଥାନାରେ କାର୍ଯ୍ୟରତ ଥିଲେ । ପୋଲିସ ସୂଚନା ଅନୁସାରେ ଆଲଫା ତାଙ୍କର ଓ ଅଶ୍ୱିନଙ୍କ ପ୍ରେମ ସମ୍ପର୍କ ଶେଷ କରିବାକୁ ଚାହୁଁଥିଲେ, କିନ୍ତୁ ଅଶ୍ୱିନ ଅମଙ୍ଗ ଥିଲେ ଏବଂ ସମ୍ପର୍କରେ ରହିବାକୁ ବାଧ୍ୟ କରୁଥିଲେ । ତେଣୁ ନଭେମ୍ବର ୮ ତାରିଖ ରାତିରେ ଆଲଫା କରିଥିଲେ ମର୍ଡର ପ୍ଲାନ୍ । ଅଶ୍ୱିନଙ୍କୁ ଚିତୋଡରେ ଥିବା ତାଙ୍କ ଭଡା ଘରକୁ ଡାକିଥିଲେ । ରାତିରେ ହିଁ କଲାସ୍ୱା ଅଶ୍ୱିନଙ୍କୁ ହତ୍ୟା କରିଥିବା ପୋଲିସ କହିଛି । ପରଦିନ ସକାଳୁ ଆଲଫା ତାର ଭାଇ ଓ ସମ୍ପର୍କୀୟ ଭାଇ ଦୁଇଜଣ (କଳ୍ପେଶ ଓ ପଙ୍କଜ)ଙ୍କୁ ଫୋନ କରି ଘରକୁ ଡାକି ସବୁ କଥା କହିବା ପରେ ବସ୍ତାରେ ଭର୍ତ୍ତି କରି ଗୋଟେ ଦିନ ଘରେ ଲୁଚାଇ ରଖିଲେ । ପଙ୍କଜ ଅଶ୍ୱିନଙ୍କ କାର୍ ନେଇ ଜଙ୍ଗଲକୁ ଯାଇଥିଲେ ପଛରେ ଏକ କାରରେ ଭାଇ ଭଉଣୀ ଯାଇଥିଲେ । ଅଶ୍ୱିନଙ୍କ କାରକୁ ସେଠାରେ ରଖିଦେଇ ଚିତୋଡ ଫେରିଆସିଥିଲେ । ରାତି ହେବା ପରେ କଳ୍ପେଶ ତାର ଆଉ ଜଣେ ସାଙ୍ଗକୁ ଡାକିଥିଲେ । କଳାସ୍ୱା ଓ ୩ଜଣ ମିଶି ମୃତଦେହ ନେଇ ଅଶ୍ୱିନଙ୍କ କାରର ମଝି ସିଟରେ ରଖି କାରରେ ନିଆଁ ଲଗାଇଦେଇଥିଲେ । ତଦନ୍ତ ବେଳେ ସିସିଟିଭି ଫୁଟେଜ୍ ଯାଂଚ କରିଥିଲା ପୋଲସି ଓ କ୍ରାଇମବ୍ରାଂଚ । ମୃତଦେହ ଜାଳିବାକୁ ଅନ୍ୟ ଏକ କାର ଯୋଗେ ପେଟ୍ରୋଲ ଆଣିବାକୁ ଯାଇଥିବା ଜାଣିବାକୁ ପାଇଥିଲା ପୋଲିସ । ସବୁ ସନ୍ଦେହ ଓ ସୁରାକକୁ ମିଶାଇ ପୋଲିସ ଏଥିରେ ସମ୍ପୃକ୍ତ ପ୍ରେମିକା, ତାର ଭାଇ ଓ ସାଙ୍ଗ ମାନଙ୍କୁ ଗିରଫ କରିଛି ।
