Latest Odisha News

ସିମେଣ୍ଟ ପ୍ଲାଣ୍ଟ ଅଘଟଣ, ୨ ମୃତ ଦେହ ଉଦ୍ଧାର

ରାଜଗାଙ୍ଗପୁର: ଡାଲମିଆ ସିମେଣ୍ଟ ପ୍ଲାଣ୍ଟରେ କୋଇଲା ହପର୍ ଭୁଶୁଡ଼ିବା ଘଟଣା । ଭଗ୍ନାବଶେଷ ତଳୁ ମିଳିଲା ୨ ଶ୍ରମିକଙ୍କ ମୃତଦେହ । ଦୀର୍ଘ ୩୬ ଘଣ୍ଟାର ଅପରେଶନ ପରେ ଶେଷରେ ୨ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏବେବି ଜଣେ ଶ୍ରମିକ ନିଖୋଜ ଅଛନ୍ତି । ତାଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଉଦ୍ଧାର ହୋଇଥିବା ୨ ମୃତକଙ୍କ ପରିଚୟ ମିଳିପାରିନାହିଁ । ସେପଟେ କାରଖାନା ବାହାରେ ଶୀତ କାକରରେ ଧାରଣାରେ ବସିଛନ୍ତି କର୍ମଚାରୀଙ୍କ ପରିବାର ଏବଂ କିଛି ଶ୍ରମିକ ।

ସୂଚନାଯୋଗ୍ୟ, ଗତ ଗୁରୁବାର ସନ୍ଧ୍ୟା ପ୍ରାୟ ୫.୩୦ରେ ଡାଲମିଆ ସିମେଣ୍ଟ ପ୍ଲାଣ୍ଟରେ ବଡ ଧରଣର ଦୁର୍ଘଟଣା ଘଟିଥିଲା । ବଙ୍କର୍‌ ତଳେ ଶ୍ରମିକମାନେ କାମ କରୁଥିବାବେଳେ ତାହା ଭାଙ୍ଗି ସେମାନଙ୍କ ଉପରେ ପଡ଼ିଥିଲା । ବଙ୍କର୍‌ କୋଇଲା ଗୁଣ୍ଡରେ ଭର୍ତ୍ତି ହୋଇଥିବାରୁ ସେଥିରେ ଶ୍ରମିକମାନେ ପୋତି ହୋଇଯାଇଥିଲେ। ବହୁ ସମୟ ପର୍ୟ୍ୟନ୍ତ ସେମାନେ କୋଇଲା ତଳେ ଚାପି ହୋଇ ରହିଥିଲେ । ଖବର ପାଇ ତୁରନ୍ତ ପ୍ରଶାସନ ଦ୍ଵାରା ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ୩ଟି କ୍ରେନ, ୧୦ଟି ଆମ୍ବୁଲାନ୍ସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଅଗ୍ନିଶମ ବିଭାଗର ୧୦ରୁ ଅଧିକ ଗାଡି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ । ତେବେ ଫଶିଥିବା ସମସ୍ତ ଶ୍ରମିକଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ଥିଲା ୩ଜଣ ଶ୍ରମିକ । ସେମାନେ ହେଉଛନ୍ତି ଉକ୍ତ ଅଞ୍ଚଳର ଦଶରଥ ପାତ୍ର, ରଂଜିତ ଭୋଳ ଓ ସୁଶାନ୍ତ ରାଉତ। ଶେଷରେ ୨ ଶ୍ରମିକଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟଜଣୟ ଖୋଜା ଚାଲିଛି ।

Comments are closed.