Latest Odisha News

ରାଜଯୋଟକ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା

ପର ଘରେ ବଳେ ପଶି ବୁଦ୍ଧି ବତାଉଥିବା ବତାସ ମଉସା ଆଉ ମନ୍ଥରୀ ମାଉସୀ, ଏବେ ରହୁଛନ୍ତି ଜରାଶ୍ରମରେ । କେହି କୁହନ୍ତି ଆଜିର ସମାଜ ପିଲାଙ୍କ ଦୋଷ ତ କେହି କେହି କହନ୍ତି.. କୃତ କର୍ମର ଫଳ ଭୋଗ । ଆଗରୁ ଅପରିଚିତ ଦୁହେଁ ଏକା ଜାତିର ଜାଣିଲା ପରେ, ସେମାନଙ୍କ ଭଲପାଇବା, ଗପସପ ହେବା ଅଧିକ ଜମି ଯାଇଛି । ମନ୍ଥରୀ ମାଉସୀ ପଚାରିଲେ.. ହେ ଭାଇନା ତମ ଘରେ କିଏ କିଏ କ’ଣ କରନ୍ତି.. ଟିକେ କହୁନା ।

-ମୋ ସ୍ତ୍ରୀ ମରିବା, ତିନି ବରଷ ବିତିଲାଣି । ଗୋଟେ ଝିଅ ଦଶ ବର୍ଷ ତଳୁ ବାହାହେଇ ଜ୍ୱାଇଁ ସାଙ୍ଗେ ବିଦେଶରେ ରହେ । ଆଉ ଗୋଟେ ଗେଲବସରିଆ ମାତ୍ର ପଇଁତିରିଶ ବରଷର ଭେଣ୍ଡିଆ ପୁଅ କେତେବେଳେ ଘରେ ତ କେତେବେଳେ କାମରେ ବାହାରେ ରହେ । ଆଉ ତମ ଘରକଥା କଣ କହୁନା।

–ମୋ କଥା କ’ଣ ଆଉ କହିବି ! ଘରେ ପୁଅ, ବୋହୂ, ପାଞ୍ଚ ବର୍ଷର ନାତି l ତା’ ଛଡା ଅଲିଅଳି, ସୁନ୍ଦରୀ ମାତ୍ର ବତିଶ ବର୍ଷର ଗୁଣର ଝୁଅଟେ ଅଛି l ହେଲେ ଭାଇନା ! ତମ ପୁଅକୁ କିଆଁ ଏଯାଏଁ ବାହା ଦେଇନା ?
–କାଇଁ, ତାର ଏମିତି କୋଉ ବୟସ ଗଡି ଗଲାଣି କି? ଭଲ କନ୍ୟାରତ୍ନଟିଏ ମିଳିଲେ.. କାମ ବଢ଼େଇ ଦିଅନ୍ତି । ମତେ କହୁଛ । ତମର ତ ବାଢୁଅ ଝୁଅ ଅଛି ନା ।

–ହଁ ଭାଇନା । କଥାଟେ ଭାବୁଛି । ତମ ପୁଅ ଯଦି ସୁନ୍ଦର, ଯୋଗ୍ୟର ହୋଇଥିବ, ତେବେ କାମ ତୁଟେଇ ଆମେ ମିଶିକି ଏଇ ମାଗଣା ଖିଆ ଜରାଶ୍ରମରେ ବାକି ଦିନଗୁଡା ହସ ଖୁସିରେ ବିତେଇ ଦିଅନ୍ତେ l ଆଛା, ତମ ପୁଅ କଣ କରନ୍ତି ?

–ମୋ ‘ ପୁଅ ଭାରି ଧୁରନ୍ଧର.. ସର୍ବ ବିଦ୍ୟାରେ ପାରଙ୍ଗମ ।
— ଆଛା ! ତେବେ ଖୁବ ଭଲକଥା । ହେଲେ ତା’ର କିଛି ଖରାପ ଗୁଣ ନାହିଁ ତ ?
–ହେ.. ନା l ମୁଁ କେତେବେଳେ ମିଛ କହେ ଯେ, ଆଜି କହିବି l ସିଏ ଖାଲି ଜର୍ଦ୍ଦା କଡା ବାସ୍ନା ପାନ ଖଣ୍ଡେ ଖଣ୍ଡେ ଖାଏ l ବେଳେବେଳେ ସିଗ୍ରେଟ ଟାଣେ ।
–କଣ? ତମ ପୁଅ ଜର୍ଦ୍ଦା କଡାପାନ ଖାଏ.. ସିଗ୍ରେଟ ଟାଣେ ?
–ତ କଣ ହେଇଗଲା? ସେ କଣ ସବୁବେଳେ ପାନ, ସିଗ୍ରେଟ ଖାଏ? ଯେତେବେଳେ ଡ୍ରିଂକ୍ସ କରେ, ସେତେବେଳେ ସିଗ୍ରେଟ ଟାଣେ l ଆଉ ମଦ -ସିଗାରେଟ ଗନ୍ଧ, ଅନ୍ୟ ଭଦ୍ରଲୋକଙ୍କ ନାକରେ ନ ବାଜିବାକୁ ଜର୍ଦ୍ଦା ବାସ୍ନା ପାନ ଖାଇଥାଏ ।
— ଓ.. ରେ.. ବାବା ! ତମ ପୁଅ ଡ୍ରିଂକ୍ସ କରେ ? ମାନେ ମଦ ବି ପିଏ ?
–ମଲା, ସେ କଣ ସବୁବେଳେ ଡ୍ରିଂକ୍ସ କରେ ନା କଣ? ଯେତେବେଳେ ନାଇଟ କ୍ଲବ.. ଡ୍ୟାନ୍ସ ହୋଟେଲ ଯାଏ, – ସେତେବେଳେ ଡ୍ରିଂକ୍ସ କରେ ।
–ହେ ଭଗବାନ! ତମ ପୁଅ ହୋଟେଲ ଡ୍ୟାନ୍ସକରେ.. ନାଇଟ କ୍ଲବ ବି ଯାଏ?
–ଏଁ..? ଭଗବାନଙ୍କୁ କାଇଁ ଡାକୁଛ ? ଆରେ ସିଏ କଣ ସବୁବେଳେ ହୋଟେଲ କ୍ଲବ ଯାଇ ଡ୍ୟାନ୍ସ କରେ ? ଯେତେବେଳେ ତା ‘ ଗାର୍ଲ ଫ୍ରେଣ୍ଡ ଡାକେ,–ସେତେବେଳେ କ୍ଲବ ଯାଏ.. ଡ୍ୟାନ୍ସ କରେ.. ଡ୍ରିଂକ୍ସ କରେ ।

–କି କଥା ! ତମ ପୁଅ ଗାର୍ଲ ଫ୍ରେଣ୍ଡ ସାଙ୍ଗେ କ୍ଲବ ଯାଏ.. ଡ୍ରିଂକ୍ସ କରି ଡ୍ୟାନ୍ସ କରେ ?
–କଣ ଏମିତିକା କଥା କହୁଛ? ତା ର କଣ ଛୋଟ ହୃଦୟ ଯେ ଜଣଙ୍କ ସାଥୀରେ ଯାଏ? ଅନେକଙ୍କ ଭିତରୁ ଯିଏ ଯୋଉଦିନ ଡାକେ, – କେବଳ ତାଙ୍କ ଖୁସିପାଇଁ ଯାଏ.. ପିଏ.. ନାଚେ ।  ଏମିତିକି ସେମାନଙ୍କ ଆନନ୍ଦ ଖୁସିପାଇଁ ଚୋରି କରିବାକୁ ବି ଡରେନି ।
— କଣ କହୁଛ ଭାଇନା! ପୁଅ ତମର ଚୋରି ବି କରେ ?
–ହେ ହେ । ତମେ ତାକୁ ଚାରବୋଲି କହି ପାରିବନି । ସେ କଣ ସବୁବେଳେ ଚୋରିକରେ? ଯେତେବେଳେ ଫ୍ରେଣ୍ଡ ମାନଙ୍କ ସହ ମିଶି ଡ୍ରଗ୍ସ ଖାଏ, ଟଙ୍କାର ଅଭାବ ହୁଏ,-ଖାଲି ସେତିକିବେଳେ ଚୋରିକରେ । ଧରା ପଡ଼ି ବେଳେବେଳେ ଥାନା.. ଜେଲଖାନା ଯାଏ ।
–ହେ ଭାଇନା ! ତମ ପୁଅ ତ ସବୁଥିରେ ପାରଙ୍ଗମ ! ଡ୍ରିଂକ୍ସ, ଡ୍ରଗ୍ସ, ଡ୍ୟାନ୍ସ, ଚୋରି, ନାରୀ ଠୁ ଥାନା -ଜେଲଖାନା ବି ଆସୁଛି ଦର୍ଶନକରି । ଆରେ ନା ନା.. ଢ଼େରେ ଦିନ ରହି ଆସୁଥିବ ଅନୁଭୂତି ଧରି !
–ହାଁ.. ମୁଁ ଆଗୁଆ କହିଛି ନା। ତାର ବହୁତ ଅଭିଜ୍ଞତା… ସବୁଥିରେ ପାରଙ୍ଗମ l ହଉ ଛାଡ଼ l ତମ ଝୁଅ କେମିତିକା ଟିକେ କହିଲ !

–ଭାଇନା! ମୋ ଝୁଅ କୋଉ ଗୁଣରେ ଉଣା.. କହୁନା ! ତାର ଏତେ ଜ୍ଞାନ.. ଏତେ କଥା ସେ ଜାଣେ ଯେ, ଗାଁ ଦାଣ୍ଡରେ ଲୋକମାନେ ରୁଣ୍ଡହୋଇ ତା କଥା ଶୁଣନ୍ତି l ସେ ଲାଜ ନକରି ମୁହଁରେ ସଫା ସଫା କହେ । କାହାକୁ ଡରେନି, କି ସରମ କରେନି l ଯାହା ଘରକୁ ଯିବ.. ତା ଘର ଅବସ୍ଥା ବଦଳିଯିବ । ସମସ୍ତେ ପାଟି ଚୁପକରି ଖାଲି ତା କଥା ଶୁଣିବେ ।  ମୋ ଝୁଅ ପୂରା ଷୋଳକଳା ନେଇ ଜନମ ହେଇଛି ।  ତମ ପୁଅ, ତା କୋଉ ଗୁଣକୁ ସରିହବ କହିଲ ?
–ଏଁ..! ତମ ଝୁଅ ଠି ଯେବେ ଏତେ ଗୁଣ ରହିଛି ଭରି,–ତେବେ ଆଉ କାଇଁ କରୁଚ ଡେରି? କାଲି ଚାଲ । ତାକୁ ମୋ ପୁଅ ସାଙ୍ଗରେ ଫିଟ କରେଇ, ମନ୍ଦିରରେ ମୁଦି ପିନ୍ଧେଇ, ମାଳା ଯୋଡ଼େ ବଦଳେଇ କାମ ସାରିଦେବା । ମତେ ଖାଲି ଏତିକି କୁହ, ସେ କି ଜ୍ଞାନ କଥା କହେ ଯେ, ତା କଥା ଏତେ ଲୋକ ଶୁଣନ୍ତି ।

–ମଲା, ଏଇ କଥା l ହଉ ଗୋଟେ ଉଦାହରଣ ଦେଉଛି ଶୁଣ l ତାକୁ ଯଦି ତା ଭାଇ କି ଭାଉଜ ଘରଭିତରେ ଚୁପ କିନା କଣ ପଚାରନ୍ତି,.. ତାର ଭଲଗୁଣ ହେଲା ସେ ଟୁପୁରୁ ଫୁସୁରୁ ହେଇ କାନରେ ନକହି ସିଧା ଦାଣ୍ଡରେ ଆସି ଠିଆ ଠିଆ ଉଚ୍ଚ ସ୍ୱରରେ ବିଶୁଦ୍ଧ ଶବ୍ଦରେ ଢଗ ଢମାଳି ଗାଇ, ଆକ୍ସନକରି ଅଙ୍ଗ ପ୍ରତ୍ୟଙ୍ଗ ହଲେଇ ଏମିତିକା କହିବ ଯେ,.. ଆଛା ଆଛା ମହାନ ମଞ୍ଚ କଳାକାର ତl ପାଶଙ୍ଗରେ ପଡିବେନି l ଏମିତି ମନମୁଗ୍ଧକର ଦୃଶ୍ୟ ଦେଖିବାକୁ ଘରକାମ ଛାଡି ମାଇପେ, ପଢ଼ାପଢି ଛାଡି ପିଲାଏ, କାମଧନ୍ଦା ଛାଡି ମରଦମାନେ ଧାଇଁ ଆସନ୍ତି l ଥରେ ପୁଅ ବୋହୂ ତା ନାଁ ରେ ଥାନାରେ ଏତଲା ଦେଲେ ସତ, ମାତ୍ର ଘାଣ୍ଟାଏ ଭିତରେ ପୁଲିସିବାବୁ ଗୁଣ ଚିହ୍ନା ଗୁଣୀଜନ ବୋଲି ମୋ ଝିଅ ଗୁଣକୁ ଜାଣିପାରି, ହାତଯୋଡ଼ି କ୍ଷମାମାଗି ଚୁପ ହେଇଯିବାକୁ ଅନୁରୋଧକରି, ଓଲଟି ମୋ ପୁଅ ବୋହୂକୁ ବୁହାଏ ଗାଳିକରି ଚାଲିଗଲେ l ତା ଭଳି ଗୁଣର ଝୁଅ.. ଭାଗ୍ୟରେଥିଲେ ପାଇ ।
–ଆରେ ବାଃ! ତା ହେଲେ ସେଇ ଝୁଅ, ମୋ ପୁଅପାଇଁ ପରଫେକ୍ଟ । ଥାନା -ହଜାତରୁ ମୋ ପୁଅକୁ ଆଣିପାରିବ । ତା ଭାଲେଣ୍ଟାଇନି ପରବ ପାଇବା ଛଡେଇ, ସାଙ୍ଗରେ ମିଶି ଜାଗର ଜାଳିପାରିବ । ଆଉ ତା ପାଇଁ ତମ ଝୁଅ.. ସାବିତ୍ରୀ ଓଷା କରିପାରିବ । ଦୁହିଁଙ୍କର ଏଇ ଯୋଡି.. ମ୍ୟାଚିଂ ସଂସାର ଗାଡି… ମତେ ଲାଗୁଛି ଘିଡ଼ି ଘିଡ଼ି ହେଇ ଆଗକୁ ପାରିବଗଡ଼ି ।
—ତମେ ସତ କହୁଛ ?
–ହଁ ହଁ ସତ କହୁଛି । ଏବେ ସମୁଦୁଣୀ ବୋଲି ଡାକି ଦେଉଛି । ଆହେ! ଯେମିତି କୋଉ ବର -କନିଆଁ ଉଭୟଙ୍କର ମଙ୍ଗଳଦୋଷ ଥିଲେ ତାଙ୍କୁ ବାହାକଲେ, କେହି ମରନ୍ତିନି କି ଛାଡ଼ପତ୍ର ହୁଅନ୍ତିନି,.. ଠିକ ସେମିତି ଏମାନେ ଟଣା ଟଣି ହୋଇ ଚାଲିବେ.. ଏ କଥା ଖୋଦ ତମ ଆଖି ଦେଖିବ ।

 

Comments are closed.