Latest Odisha News

ଭାଷା ଭାଗବତ : ଚିଂତାକୀର୍ଣ ମନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ସଂପର୍କ, ଭରସା, ବିଶ୍ବାସ
ତୁଟିଲେ ହୃଦ୍‌ବୋଧ ନାଶ
ହେବା ହିଁ ଅଟେ ସ୍ବାଭାବିକ
ବୁଝଂତିନାହିଁ ବହୁ ଲୋକ

ଭାବି ପାଆଂତି ଯେତେ ପୀଡ଼ା
ସବୁଯାକ ତ ଅବାହୁଡ଼ା
କାଚ ଫାଟିଲେ ହୁଏ ନଷ୍ଟ
ଏହା ତ ଅତ୍ୟଂତ ସୁସ୍ପଷ୍ଟ

କାଳ, ଜୀବନ ସୁଅ ଭଳି
ଅବାରିତ ତ ଥାଏ ଚଳି
ସର୍ବଦା ସମଗୁଣ ହୋଇ
ନୂଆ, ପୁରୁଣା ଭେଦ ନାହିଁ

କାଳର ପ୍ରତିଟି କ୍ଷଣରେ
ଅତୀତ ଅବସ୍ଥାନ କରେ
ଭବିଷ୍ଯତ ତ ଅନାଗତ
କିପାଇଁ ହୋଇବା ଚିଂତିତ?

ଚିଂତା କରିଲେ ଯଦି ହିତ
ହେବାର ଆଶା ଅନିଶ୍ଚିତ
ଲୋକଂକ ମନ ଭାରାକ୍ରାଂତ
କରିବା ଅଟେ ଅନୁଚିତ

ଯାହା ଯେମିତି ସତେ ହୁଏ
ତାହା ସ୍ବୀକାର କରେ ଯିଏ
ତାହାକୁ ମିଳେ ସୁଖ, ଶାଂତି
ସାର୍ଥକ ହୋଇପାରେ ବ୍ୟକ୍ତି

ଦୁଶ୍ଚିଂତା କରି ଆମଂତ୍ରଣ
ଯେ ହୁଏ ମିଛେ ହଇରାଣ
ତାହାର ମନ ଚିଂତାକୀର୍ଣ
ହୋଇ ବ୍ୟକ୍ତିତ୍ବ କରେ ନ୍ୟୂନ

ମନକୁ କରିଲେ ଆୟତ୍ତ
ଅସ୍ଥିର ହୁଏନାହିଁ ଚିତ୍ତ
ମଣିଷ ପାଏ ଯେଉଁ ଜ୍ଞାନ
ତା ହୁଏ ସତ୍ୟ ପରିପୂର୍ଣ

ସେହି ଜ୍ଞାନକୁ ମୂଳଧନ
ରୂପରେ କରିଲେ ଗ୍ରହଣ
ଘଟେ ଦୁଶ୍ଚିଂତା ଅବସାନ
ଆନଂଦଭରା ଏ ଜୀବନ

 

Comments are closed.