Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଭିତର ବେଢାରେ ଥିବା କୋଣାର୍କ ସୂର୍ଯ୍ୟନାରାୟଣ ମନ୍ଦିର ଦର୍ଶନ କରିବା ଅବସରରେ ଆମେ ମୂଖ୍ୟ ବିଗ୍ରହ ଓ ତା ପଛରେ ଥିବା ଇନ୍ଦ୍ର ବିଗ୍ରହଙ୍କ ରହସ୍ୟ ଜାଣିଲେ। ଏବେ ଜାଣିବା ଆଉ ଏକ ରହସ୍ୟ ଜର ଠାକୁରଙ୍କ ବିଷୟରେ। ଏହି ମନ୍ଦିରର ଜଗମୋହନର ଦକ୍ଷିଣ ପାର୍ଶ୍ଵରେ ତିନି ମୁଣ୍ଡ, ତିନି ଗୋଡ଼ ଓ ଛଅ ହାତ ବିଶିଷ୍ଟ ଏକ ମଣି ବିଗ୍ରହ ଭିତ୍ତି ସଲଗ୍ନ ଆସନରେ ବିଦ୍ୟମାନ ଅଛନ୍ତି। ଏହି ଅଦ୍ଭୁତ ପ୍ରତିମାଙ୍କୁ ହିଁ ଜ୍ୱର ଠାକୁର ହିସାବରେ ପୂଜା କରାଯାଏ। କଥିତ ଅଛି ଏହାଙ୍କ ବିଧିବିଧାନ ସହ ଆରାଧନା କଲେ ଅସାଧ୍ୟ ଓ ପୁରାତନ ଜ୍ୱରରୁ ଉପଶମ ମିଳେ। ଏହା ଲୋକଙ୍କ ବିଶ୍ୱାସର କଥା, ପ୍ରାମାଣିକ ନୁହେଁ। ସୂର୍ଯ୍ୟ ବିଗ୍ରହଙ୍କ ଚଳନ୍ତି ପ୍ରତିମା ବିଜେ କରିଥିବା ରଥ ଉପରେ ଆଉ ଜଣେ ଠାକୁର ପୂଜିତ ହେଉଛନ୍ତି ସେ ହେଲେ “ପଦ୍ମ ମାଧବ “. ମାଧବ ମୂର୍ତ୍ତି ପଦ୍ମକ୍ଷେତ୍ରରୁ ଆନୀତ ହୋଇଥିବାରୁ ଏହାଙ୍କ ନାମ ପଦ୍ମ ମାଧବ ହୋଇଛି । ସୂର୍ଯ୍ୟନାରାୟଣଙ୍କ ଦୈନିକ ନୀତି ସକାଶେ ବଲ୍ଳଭରୁ ଚାରି କୋରା ଦିଆଯାଏ. ଶ୍ରୀମନ୍ଦିର କୋଠ ଭୋଗ ଗୋଦାମ ପକ୍ଷରୁ ଅଟା ଅଧାସେର, ଭଲ ଘିଅ ଏକ ପାଆ, ଗୁଡ଼ ଅଧାସେର ତେଲ ମାଣିକlଏ (ଦୀପ ପାଇଁ ) ପ୍ରଦାନ କରାଯାଏ। ସୂର୍ଯ୍ୟ ନାରାୟଣଙ୍କ ବିଶେଷ ଶୟନ ନୀତି ପାଇଁ ୩୨ ଗୋଟି ଡାଳିମ୍ବ ଓ ବଡ଼ କାକରା ଭୋଗ ହୋଇଥାଏ। ସ୍ୱତନ୍ତ୍ର ରୋଷରେ ଛ ଭୋଗ ପ୍ରସ୍ତୁତ ହୋଇଥାଏ। ରବିବାର ଦିନ ସୂର୍ଯ୍ୟନାରାୟଣଙ୍କୁ ଦୁଇଥର ମହାସ୍ନାନ ନୀତି ହୋଇଥାଏ। ଆଉ ବିଶେଷ ନୀତି ବିଷୟରେ ଆଗାମୀ ଅଧ୍ୟାୟରେ ଆଲୋଚନା କରିବା, ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ।

ଆଦି ଗଣନା ସତ୍ୟ ଯୁଗେ
ସେ ବ୍ରହ୍ମ ହୋଇ ବେନି ଭାଗେ ।
ପ୍ରକୃତି ରୂପେ ଏକ ଅଂଶ
ଦ୍ଵିତୀୟେ ପୁରୁଷ ପ୍ରକାଶ ।
ଯେ ଭାଗ ପ୍ରକୃତି ରୂପିଣୀ
ସୃଷ୍ଟି ପାଳନ ସଂହାରିଣୀ ।
ସେ ଭାଗ ଜଡ଼ ରୁପା ହୋଇ
ଈଶ୍ୱର ବଶେ କ୍ଷୋଭ ପାଇ ।
ତେଣୁ ସେ ବ୍ରହ୍ମ ବେନି ଖଣ୍ଡ
ସଂଯୋଗେ ଜନ୍ମିଲା ବ୍ରହ୍ମlଣ୍ଡ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.