ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଯେ ଯାହା ଭାବଂତି ଉଚିତ
କରିଲେ ତତ୍କାଳ ତୁରଂତ
ସମାଜ ହୁଅଂତା ଉନ୍ନତ
ନାହିଁ ତ ଅନ୍ୟ, ଭିନ୍ନ ମତ
ଅନେକେ ହୋଇ ଏକମତ
ରହିଲେ ନିଜ କାମେ ରତ
ଶୁଭଂତାନାହିଁ ଏତେ କଥା
ବଦଳିଯାଆଂତା ବ୍ୟବସ୍ଥା
ମଣିଷ ଭାଷାଶ୍ରୟୀ ଜୀବ
କିପରି ସ୍ବଭାବ ଛାଡ଼ିବ ?
ଅଯଥା କହେ ତୁଚ୍ଛ କଥା
ସହିପାରେନି ନିରବତା
ନିରବ ରହି କଲେ ଧ୍ୟାନ
ଶାଂତ, ସୁସ୍ଥିର ହୁଏ ମନ
ସେପରି ମନର ବଚନ
ହୁଅଇ ଅମୃତ ସମାନ
କହିବା ପାଇଁ ହରବର
ହୋଇ ଯେତକ ବାକ୍ୟବୀର
କହଂତି ଏଣୁତେଣୁ କଥା
ସୃଷ୍ଟି କରଂତି ଅସ୍ଥିରତା
ଜିଭକୁ କରିଲେ ଆୟତ୍ତ
ମଣିଷ ହୁଏ ଅଗ୍ରଦୂତ
ତାହାର କହିଥିବା କଥା
ଉନ୍ନତ କରିପାରେ ମଥା
ଶବ୍ଦର ଅପବ୍ୟବହାର
ଯେ କରିଥାଏ ବାରଂବାର
ତା’ର ଅସ୍ବଚ୍ଛ ମନୋଭାବ
ପକାଇ ପାରେନି ପ୍ରଭାବ
ବ୍ୟକ୍ତିର ଏହି ଅସାମର୍ଥ୍ୟ
କଥା, ଲେଖାକୁ କଲେ ବ୍ୟର୍ଥ
ଭାଷାର ବିକାଶ, ବର୍ଧନ
ହୁଏ କେବଳ ତୁଚ୍ଛ ସ୍ବପ୍ନ
ଯେଉଁ ସ୍ଥାନର ଭାଷାଭାଷୀ
ହୁଅଂତି ସପନ-ବିଳାସୀ
ତାଂକର ଭାଷା ଆନୁଗତ୍ୟ
ପ୍ରାୟତଃ ହୁଏ ପରାହତ
Comments are closed.