Latest Odisha News

BREAKING NEWS

କବିତା : ଏ ବୟସ

ସୁକାନ୍ତ ସମର୍ଥା

ଏ ବୟସ
ରହିଯାରେ ଟିକେ
ପିଲାଦିନ ବଗିଚାରେ
ପାଇବୁନି ଗୋଟେ
ଘୃଣାର କଣ୍ଟା ତୁ
ନିରୀହ ଗୋଲାପଠାରେ ।

ଏ ବୟସ
ଥକିଯାରେ ଟିକେ
ମାଆ ପଣତ ଛାଇରେ
ପାଇବୁନି ଟୋପେ
ଲୁହର ଉଷ୍ମତା
ମମତାର ଶୀତଳତାରେ ।

ଏ ବୟସ
ଭିଜିଯାରେ ଟିକେ
ଅବୁଝା ପିଲା କାନ୍ଦରେ
ପାଇବୁନି ଟିକେ
ଲୋଭ ଅବଶୋଷ
ନିମିଷ ଭୁଲା ଜିଦିରେ ।

ଏ ବୟସ
ଗଡିଯାରେ ଟିକେ
ପିଲାଖେଳ ମାଟି ପରେ
ପାଇବୁନି ଟିକେ
ଦୁଃଖର ଧୂଳି ତୁ
ନିରିମଳ ହସ ଧାରେ ।

ଏ ବୟସ
ନାଚିଯାରେ ଥରେ
ଅଧା କଥା ସଙ୍ଗୀତରେ
ପାଇବୁନି ଟିକେ
ବେସୁରା ଛନ୍ଦ ତୁ
ଚାଲି ଶିଖିବା ପାଦରେ ।

ଏ ବୟସ
ଲେଖିଯାରେ ଟିକେ
ଖୋଲା ହୃଦ କାଗଜରେ
ପାଇବୁନି ଟୋପେ
ଦୋଷ କାଳି ଦାଗ
ନିଷ୍ପାପ ବାଲ୍ୟ ପୃଷ୍ଠାରେ ।

 

Leave A Reply

Your email address will not be published.