Latest Odisha News

ଭାଷା ଭାଗବତ : ମତର ସଂଘର୍ଷ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ଅଯଥା କଲେ ବେଶି ଯୁକ୍ତି
ନଷ୍ଟ ହୁଏ ସର୍ଜନ ଶକ୍ତି
ବିବାଦରତ ଦୁଇ ବ୍ୟକ୍ତି
କରଂତି ପରସ୍ପର କ୍ଷତି

ସ୍ବମତ ସହ ରହି ଲାଖି
ଅନ୍ୟର ମତକୁ ଉପେକ୍ଷି
ଯାହା ବି ପାରେ କହି, ଲେଖି
ତାହାକୁ ଲୋକେ ମାନଂତି କି?

ବିବିଧତାପୂର୍ଣ ଏ ବିଶ୍ବ
ଚିଂତା ଚେତନା ହେଲେ ନିଃସ୍ବ
ମଣିଷ ହୁଏ ମତାଶ୍ରୟୀ
ଜିଏଁ ଗୋଟେ ମତକୁ ଧ୍ୟାୟି

ମତ ଓ ମତର ସଂଘର୍ଷ
ଚଳିଲେ ସୁଦ୍ଧା ବହୁ ବର୍ଷ
ନିର୍ଦିଷ୍ଟ ଏକମାତ୍ର ମତ
ହୋଇପାରେନି ପ୍ରତିଷ୍ଠିତ

ମଣିଷ ହେଲେ ମତାଚ୍ଛନ୍ନ
ଚେତନା ହୁଏନି ସ୍ବାଧୀନ
ବ୍ୟକ୍ତିର ଏହି ଅସାମର୍ଥ୍ୟ
ସବୁ ପ୍ରୟାସ କରେ ବ୍ୟର୍ଥ

ହେଲେ ଅଧିକ ତର୍କଶୀଳ
ସବୁଠି ବଢ଼େ କୋଳାହଳ
ତହିଁରୁ ମିଳେନି ସୁଫଳ
ଅଯଥା କମେ ମନୋବଳ

ମତକୁ ନ କରିଲେ କଥା
ହୁଏତ ବିଶ୍ବର ବ୍ୟବସ୍ଥା
ହୋଇପାରଂତା ଶୃଂଖଳିତ
ହୁଅଂତା ସମସ୍ତଂକ ହିତ

ଯେ ଯାହା ମତ ସହ ଲାଖି
ପାରୁନାହାଂତି ସତ୍ୟ ଦେଖି
ତେଣୁ ତ ବୁଦ୍ଧିଆ ମଣିଷ
ସବୁଠି ଭୋଗେ ଦୁଃଖ, କ୍ଳେଶ

 

Comments are closed.