Latest Odisha News

ଭାଷା ଭାଗବତ : ଚୈତ୍ତିକ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ବିଭ୍ରାଂତ ଅସ୍ଥିର ଚିଂତନ
କରେ ସମସ୍ୟା ଉତ୍ପାଦନ
ଅଭ୍ରାଂତ ନିର୍ଦିଷ୍ଟ ଚିଂତନ
ଉତ୍ପନ୍ନ କରେ ସମାଧାନ

ମନର ସ୍ବାର୍ଥବିହୀନତା
ପ୍ରଗତି, ସମୃଦ୍ଧି ପ୍ରଦାତା
କାର୍ଯ ହିଁ ପ୍ରକୃତ ପ୍ରାର୍ଥନା
ହେଉ ଏ ସତ୍ୟ ଏବେ ଘେନା

ଅହଂନାଶ ହିଁ ନିତ୍ୟାନଂଦ
ସଚେତନ ମନରେ ଦ୍ବଂଦ୍ବ
ହୋଇପାରେନି କାର୍ଯକ୍ଷମ
ଜ୍ଞାନାର୍ଜନ ତ ନିତ୍ୟକର୍ମ

ପ୍ରୟାସ ନୁହେ ବର୍ଜନୀୟ
ଆଶୀର୍ବାଦ ସହିତ ଭୟ
ଏକାଠି କରଂତିନି ବାସ
ଦିବ୍ୟାଲୋକ ହିଁ ହୁଏ ଦୃଶ୍ଯ

ସର୍ବତ୍ୟାଗୀ ସତ୍ୟାନୁଭବୀ
ଗୁଣତଃ ଶିଖର ସରାଗୀ
ମାୟାମୁକ୍ତ ଓ ଦୟାଯୁକ୍ତ
ମଣିଷ ଜୀବନ-ସଂପୃକ୍ତ

ବ୍ୟକ୍ତିର ଜିଇଁବାର ଶୈଳୀ
ହୁଏ ତା ମନୋବୃତ୍ତି ଭଳି
ଦିବ୍ୟାନୁଭବ ମୂଳଧନ
ଚଳାଏ ଉତ୍ତମ ଜୀବନ

ସୁଖପ୍ରଦକୁ ଦେଇ ଛାଡ଼ି
ଯଥାର୍ଥ ସହ ହେଲେ ଯୋଡ଼ି
ସହଜ ହୁଏ ପରିତ୍ୟାଗ
ମିଳଇ ବହୁ ସହଯୋଗ

ଲୋକେ ଦେଖାଂତି ପ୍ରଲୋଭନ
ସେ ସବୁ ପ୍ରତି ଉଦାସୀନ
ରହିଲେ ନିଷ୍କାମ ସାଧନା
କରିବା ପାଇଁ ନାହିଁ ମନା

ଲେଖକ ହେଲେ ଚାପଗ୍ରସ୍ତ
ପ୍ରତିଭା ହୋଇଯାଏ ଅସ୍ତ
ହାଟ ଚାହିଦା ପୂରା କରି
ସମୟ, ଶକ୍ତି ଯାଏ ସରି

ନିଜ ସହିତ ନିଜେ ଚୁକ୍ତି
କରିପାରିଲେ ଜଣେ ବ୍ୟକ୍ତି
ହୁଏ ସର୍ବଦା ନିଜ ଭଳି
ସଂକଳ୍ପ ପଡ଼େନାହିଁ ଟଳି

ସଂକଳ୍ପ-ଚାଳିତ ଲେଖକ
ହୁଏନି କାହାର ସ୍ତାବକ
ତାହାର ପ୍ରେରଣା ବିବେକ
ରଖେ ନିଶ୍ଚୟ ମାନ, ଟେକ

ନିର୍ଭୟ, ନିର୍ଲଜ୍ଜ ସାଧକ
ହୁଏ ବିନୀତ ଆଉ ମୂକ
ନିଜର ବଛା କାମ କରି
ପାଏ ସଂତୋଷ ଅସୁମାରୀ

ଯଂତ୍ରାଧୀନ ନ ହୋଇ ଭାଷା
ଭାଷାନୁସାରୀ ଯଂତ୍ର ଆଶା
କରିବା ହେଲେଁ ହେଁ ବିହିତ
ଆମେ ନୋହୁଁ ପ୍ରୟାସରତ

‘ ଅନ୍ୟ କେ କରୁ ତାହା ‘ ଭାବି
ଆମେ ରହିଛୁଁ ଏଠି ଦବି
ଏ ମନୋବୃତ୍ତି ମାରାତ୍ମକ
ଚିପୁଛି ସ୍ବଭାଷାର ବେକ

Leave A Reply

Your email address will not be published.