ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ବକ୍ତବ୍ୟାଂଶକୁ କରି ଆଳ
ବ୍ୟକ୍ତି ସହିତ ଗଂଡଗୋଳ
କରିବା ଭଳି ଏକ ଖେଳ
କରୁଛି ଭାଷାକୁ ଦୁର୍ବଳ
ବ୍ୟକ୍ତିର ବହୁବିଧ କାର୍ଯ
ଅନୁଶୀଳନ ପାଇଁ ଧୈର୍ଯ
ହେଲେ ହେଁ ଖୁବ୍ ଆବଶ୍ୟକ
ବୁଝଂତିନାହିଁ ଆମ ଲୋକ
କଥାରୁ ଖିଅ ବାଛି, କାଢ଼ି
ବ୍ୟକ୍ତି ସହିତ ଯିଏ ଲଡ଼ି
ପାରେ, ସେ ନୁହଇ ସଂଗ୍ରାମୀ
କଥା-ଜାଲରେ ଥାଏ ଭ୍ରମି
ବିବାଦକାରୀ ହୋଇ ଜଣେ
ନିଜକୁ ଜ୍ଞାନୀ ବୋଲି ମାନେ
ତାହାର ଜ୍ଞାନ ପାଏ ଲୋପ
କେବଳ ଦିଶଇ ପ୍ରକୋପ
ଶାଂତ ମନରେ ଆଲୋଚନା
କରିବା କୌଶଳ ଅଜଣା
ଥିଲେ ମଣିଷ ହୁଏ ବ୍ୟଗ୍ର
ଅଥବା ବେଳେ ବେଳେ ଉଗ୍ର
ଧୀର ଗତିରେ ଠିକ୍ କଥା
କହିଲେ ଅନେକ ବ୍ୟବସ୍ଥା
କ୍ରମଶଃ ହୁଏ ସଂଶୋଧିତ
ଏହା ତ ପରୀକ୍ଷିତ ସତ
ବ୍ୟକ୍ତିର ବକ୍ତବ୍ୟ, ମଂତବ୍ୟ
ନ ହେଲେ ଅଯଥା ଧର୍ତବ୍ୟ
ସଂଭବ ସୁସ୍ଥ ବିବେଚନା
ହୁଏନି ମନର କଳ୍ପନା
କୃତି ନ କରି ଅଧ୍ୟୟନ
ଦେଲେ ହେଁ ଅଜସ୍ର ଭାଷଣ
ତାହାର ସାମାନ୍ୟ ପ୍ରଭାବ
କରିହୁଏନି ଅନୁଭବ
କର୍ତାକୁ କଲେ ଆକ୍ରମଣ
କୃତି ହୁଏନି ମୂଲ୍ୟହୀନ
ଲେଖକ ଯାଏ ସିନା ମରି
ଲେଖା ତ ହୁଏ ରୂପଧାରୀ
ନାନା ରୂପରେ ଲେଖାବଳି
ଦୀର୍ଘକାଳ ପାରିଲେ ଚଳି
ବଢ଼ଇ ଭାଷାର ମହତ୍ତ୍ବ
ଏହା ହୋଇଛି ପ୍ରମାଣିତ
ପ୍ରଫୁଲ୍ଲ କୁମାର ତ୍ରିପାଠୀ
Comments are closed.