ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଶେଷ ନୀତି ବା ନୈମିତିକ ନୀତି ଭିତରେ “ଅମାବାସ୍ୟା ନୀତି “ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କାରିଥାଏ। କାରଣ ଏହି ନୀତିର ମୂଖ୍ୟ ଅଙ୍ଗ ହେଲା ଶ୍ରୀନାରାୟଣଙ୍କ ସାଗର ବିଜେ । ଅମାବାସ୍ୟା ପ୍ରତିପଦ ସ୍ପର୍ଶ ହେଲେ ସକାଳ ଧୂପ ପରେ ଏହି ନୀତି ହେବା ନିୟମ ଅଟେ। ସକାଳ ଧୂପ ପରେ ଧୋପଖାଳ ହୋଇଥାଏ। ଏହା ପରେ ମହାଜନ ମାନେ ଦକ୍ଷିଣ ଘରୁ ଶ୍ରୀନାରାୟଣ ବିଗ୍ରହଙ୍କୁ ଆଣି ରତ୍ନସିଂହାସନ ଉପରେ ବିଜେ କରାନ୍ତି । ଏହି ଠାରେ ଶ୍ରୀଜଗନ୍ନାଥ ଙ୍କୁ ଲାଗି ହୋଇଥିବା ତୁଳସୀ ମିଶା ଆଜ୍ଞା ମାଳ ଆଣି ପୂଜାପଣ୍ଡା ଶ୍ରୀନାରାୟଣଙ୍କୁ ଅର୍ପଣ କରନ୍ତି। ପୁଣି ମହାଜନ ମାନେ ଶ୍ରୀନାରାୟଣଙ୍କୁ ନେଇ ଝୁଲଣ ମଣ୍ଡପ ତଳେ ରହିଥିବା ପାଲିଙ୍କିରେ ବିଜେ କରାନ୍ତି। ବିମାନବଡୁମାନେ ପାଲିଙ୍କି ନେଇ ସ୍ୱର୍ଗଦ୍ୱାର ନିକଟ ସମୁଦ୍ର (ସାଗର )କୂଳରେ ପହଞ୍ଚାଇଥାନ୍ତି ।
ଏହି ବିଜେ ବେଳେ ସାଥିରେ ହୋମ ପାଳିଆ, ପୂଜପଣ୍ଡା, ଆସ୍ଥାନ ପଢ଼ିଆରୀ, ଗରାବଡୁ, ଘଣ୍ଟୁଆ, ଛତାର, କାହାଳିଆ ପ୍ରଭୃତି ଯାଇଥାନ୍ତି । ପ୍ରଥମେ ଗରାବଡୁ ରୁପା ପିଙ୍ଗଣରେ ସମୁଦ୍ର ଜଳ ଆଣି ପୂଜାପଣ୍ଡାଙ୍କୁ ଦେଲେ, ପୂଜାପଣ୍ଡା ତାହାକୁ ସଂସ୍କାର କରି ଠାକୁରଙ୍କୁ ଲାଗି କରନ୍ତି। ଏହିଠାରେ ସାବତ ନିଯୋଗ ତରଫରୁ ପଣା ଭୋଗ ଲାଗି ହୋଇଥାଏ। ପରେ ପରେ ଆଳତି, ବନ୍ଦାପନା ହୋଇ ପୁଣି ଶ୍ରୀନାରାୟଣଙ୍କୁ ନେଇ ଯମେଶ୍ୱର ମହାଦେବଙ୍କ ମନ୍ଦିର ଭିତର ଗମ୍ଭୀରା ରେ ବିଜେ କାରାଯାଏ। ଏହିଠାରେ ଠାକୁରଙ୍କୁ ପଞ୍ଚାମୃତରେ ମହାସ୍ନାନ କାରାଯାଏ। ପଞ୍ଚୋପଚାରରେ ପୂଜା ମଧ୍ଯ ହୋଇଥାଏ। ଶୀତଳ ଭୋଗ ସାରି ପୁଣି ବନ୍ଦାପନା ହୋଇଥାଏ ଏହାପରେ ଶ୍ରୀନାରାୟଣ ପୁଣି ବାହୁଡା଼ ବିଜେ କରନ୍ତି। ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଶ୍ରୀନାରାୟଣଙ୍କୁ ଦକ୍ଷିଣୀ ଘରକୁ ନିଆଯାଏ। ଏହିପରି ଅମାବାସ୍ୟା ନୀତି ତଥା ସାଗର ବିଜେ ନୀତି ସମ୍ପନ୍ନ ହୁଏ। କିନ୍ତୁ ଆଷାଢ଼ ଅମାବାସ୍ୟାରେ ପ୍ରତିପଦ ସ୍ପର୍ଶ ହେଲେ ମଧ୍ଯ ଏହି ସାଗର ବିଜେ ନୀତି ଅନୁଷ୍ଠିତ ହୁଏ ନାହିଁ । ଆଗାମୀ ଅଧ୍ୟାୟରେ ଜାଣିବା ଆଉ ଏକ ବିଶେଷ ନୀତି । ବେଣ୍ଟ ବା ଶିକାର ନୀତି, ଏବେ କିନ୍ତ କରିବା ଆରାଧନା ଓ ଭାଗବତ ପଠନ ।
ସେ ରୂପେ ଜାଣ ମୁହିଁ ମନେ
ହାନୀ ବୃଦ୍ଧି ଭାବ ନ ଘେନେ ।
ତେଣୁ ମୁଁ ନାରାୟଣ ପର
ନାହିଁ ବିଷୟ ଆଶା ମୋର ।
ଏହା ସମୁଦୃଁ ଶିକ୍ଷା ପାଇ
ସାଧଇ ଶିଷ୍ୟଭାବ ବହି ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.