Latest Odisha News

BREAKING NEWS

[ଭିଡ଼ିଓ] ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀରେ ମାଆ ବାଗଦେବୀଙ୍କୁ ଆବାହନ

ଭୁବନେଶ୍ୱର: ଆଜି ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ଏହି ଅବସରରେ ଧରାବତରଣ କରିଛନ୍ତି ବାଗଦେବୀ ସରସ୍ବତୀ । ମା’ ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଅତି ଭକ୍ତିର ସହ ପୂଜା ପାଳନ କରିଥାନ୍ତି ।

ମା’ ସରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଏ । ବସନ୍ତ ଋତୁର ଆଗମନରେ ଧରା ପଲ୍ଲବିତ ହୁଏ । ସ୍ୱେତ ମେଘଖଣ୍ଡ ଆକାଶରେ ଶୋଭାପାଏ । ଚଳିତ ବର୍ଷ କୋଭିଡ କଟକଣା ଭିତରେ ବିନା ଛାତ୍ରଛାତ୍ରୀରେ ସମସ୍ତ ଶିକ୍ଷାନୁଷ୍ଠାନରେ ପୂଜା ପାଉଛନ୍ତି ମା ସରସ୍ବତୀ ।

ପୁରାଣ ଅନୁସାରେ ଭଗବାନ ବିଷ୍ଣୁଙ୍କ ଆଜ୍ଞା ଅନୁସାରେ ଯେତେବେଳେ ବ୍ରହ୍ମା ସୃଷ୍ଟିର ରଚନା କରିଥିଲେ ସେତେବେଳେ ପୃଥିବୀ ସମ୍ପୁର୍ଣ୍ଣ ରୁପେ ନିର୍ଜନ ଥିଲା । ଚାରିଆଡେ ଉଦାସୀନତାର ବାତାବରଣ ଥିଲା । ଏହି ଉଦାସୀନତାକୁ ଦୂର କରିବା ପାଇଁ ବ୍ରହ୍ମାଙ୍କ କମଣ୍ଡଳରୁ  ଜଳ କଣିକାରୁ ଚର୍ତୁଭୁଜା ଶକ୍ତି ପ୍ରକଟ ହେଲେ । ଏହି ଶକ୍ତିଙ୍କ ହସ୍ତରେ ବୀଣା , ପୁସ୍ତକ ତଥା ମାଳା ଥିଲା ।

ଏହି ଶକ୍ତିଙ୍କ ବୀଣାରୁ ଯେଭଳି ଭାବରେ ଏକ ବାଣୀ ବଜାଗଲା ପୃଥିବୀ ପୃଷ୍ଠର ସବୁ ଜୀବଜନ୍ତୁ ଉଲ୍ଲାସିତ ହେବାକୁ ଲାଗିଲେ । ସେହିଦିନଟି ଥିଲା ବସନ୍ତ ପଞ୍ଚମୀର ଦିନ । ପୁରାଣରେ ମା’ ବାଗଦେବୀଙ୍କ ଭିନ୍ନ ଭିନ୍ନ ମତ ଶୁଣିବାକୁ ମିଳିଥାଏ । ପୁରାଣରେ ବ୍ରହ୍ମାଙ୍କ ମାନସପୁତ୍ରଙ୍କ ବିବରଣୀ ରହିଛି କିନ୍ତୁ ମାତା ସରସ୍ୱତୀଙ୍କୁ କେଉଁଠାରେ ବି ତାଙ୍କ ପୁତ୍ରୀ ବୋଲି କୁହାଯାଇନାହିଁ ।

ବାଗିସ୍ୱରୀ, ଭଗବତୀ, ଶାରଦା, ବୀଣାବାଦନୀ, ବାଗଦେବୀ, ବୀଣାପାଣି ଆଦି ଅନେକ ନାଁରେ ମା’ ପୂଜା ପାଆନ୍ତି । ସଂଗୀତର ଉତ୍ପତ୍ତି କରିଥିବା କାରଣରୁ ମାଙ୍କୁ ସଂଗୀତର ଦେବୀ କୁହାଯାଏ । ବସନ୍ତ ପଞ୍ଚମୀ ଦିବସଟିକୁ ମା’ଙ୍କ ଜନ୍ମଦିନ ରୁପେ ପାଳନ କରାଯାଏ ।

Comments are closed, but trackbacks and pingbacks are open.