ଅନୁବାଦ ଗଳ୍ପ : ଝଡ଼ ପରେ
ଆତିଆ ହୁସେନ୍ ଉର୍ଦ୍ଦୁ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଏକାଧାରରେ ଲେଖନୀ ଚାଳନା କରୁଥିବା ଜଣେ ପ୍ରଚଣ୍ଡ ପ୍ରତିଭା । ଲକ୍ଷ୍ନୌରେ ୧୯୧୩ ମସିହାରେ ଜନ୍ମଗ୍ରହଣ କରିଥିବା ଆତିଆ ଦେଶ ସ୍ୱାଧୀନ ହେବା ପୂର୍ବରୁ ନିଜ ସ୍ୱାମୀଙ୍କ ସହିତ ଇଂଲଣ୍ଡକୁ ଯାଇଥିଲେ ଏବଂ ସେହିଠାରେ ସ୍ଥାୟୀଭାବେ ବସବାସ କରିଥିଲେ । ପରେ ସେ ଅନେକ ଗଳ୍ପ ଓ ଉପନ୍ୟାସ ରଚନା କରିଥିଲେ । ଦେଶ ବିଭାଜନର ବିଭୀଷିକା ତାଙ୍କୁ ଗଭୀର ଭାବେ ବ୍ୟଥିତ କରିଥିଲା ଏବଂ ସେହି କଥାବସ୍ତୁ ଉପରେ ସେ ଅନେକ କାଳଜୟୀ ଗଳ୍ପ ଲେଖିଥିଲେ । ଏହି ସାହିତ୍ୟିକ ପ୍ରତିଭାଙ୍କର ୧୯୯୮ ମସିହାରେ ପରଲୋକ ଘଟିଥିଲା ।
ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬୨
ମୂଳ ଇଂରାଜୀ: ଆତିଆ ହୁସେନ
ଫୁଲପେନ୍ଥା ସବୁ କେମିତି ବିଚିତ୍ର ଭାବରେ ସେଇ ସରୁ ମୁହଁବାଲା ବୋତଲରେ ଖୋସା ହୋଇଇôଲା । ଏପରିକି ବୋତଲରେ ପୂର୍ବରୁ ଲାଗିଥିବା କାଗଜର ଷ୍ଟିକରଟିକୁ ସୁଦ୍ଧା ଭଲଭାବେ ଛଡ଼ାଯାଇ ନ ଥିଲା । ସେଇ ଚିରାରାମ୍ପୁଡ଼ା ଭିତରେ ସତେ ଯେମିତି ସେ ଷ୍ଟିକରର କିଛି ଅଂଶ ବିଜୟ ଗର୍ବରେ ନିଜକୁ ଆତ୍ମପ୍ରକାଶ କରିବା ଲାଗି ପ୍ରୟାସ କରୁଥିଲା । ବୋତଲ ଉପରେ ଓ ଚାରିକଡ଼େ ଧୂଳିସବୁ ବସି ଯାଇଥିଲା । ସବୁ ଜିନିଷପତ୍ର ଉପରେ ଧୂଳିର ଏକ ପତଳା ଆସ୍ତରଣ ମଧ୍ୟ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା । କବାଟ ଝର୍କା ବନ୍ଦ୍ ଥିବା ସତ୍ତ୍ୱେ ତାତିଲା ପବନରେ ସେସବୁ ଧୂଳି ଘର ଭିତରକୁ କୌଣସି ନା କୌଣସି ପ୍ରକାରେ ପଶିବାକୁ ସକ୍ଷମ ହୋଇଥିଲା । ଅସହ୍ୟ ସୂର୍ଯ୍ୟକିରଣ ଧରିତ୍ରୀ ସବୁଜିମା ଓ ଆକାଶର ନୀଳିମାକୁ ପୋଡ଼ିଜାଳି ପକାଉଥିଲା । ସେଇ ଜଳନ୍ତା ଉତ୍ତାପର ଔଜ୍ଜ୍ୱଲ୍ୟକୁ ରୋକିବା ସକାଶେ ଝର୍କା କାଚରେ ସବୁଜ ରଙ୍ଗର କାଗଜ ମଡ଼େଇ ଦିଆଯାଇଥିଲା । ତେଣୁ ବାହାରର ସେଇ ଆଖି ଝଲସା ଆଲୁଅ ଘର ଭିତରକୁ ପ୍ରବେଶ କରିପାରୁ ନ ଥିଲା ।
ତେବେ ସେ ଶୁଷ୍କ ପବନ ସେଇ ଫୁଲଦାନିରୁ ବହି ଆଣୁଥିବା ଉଭ୍ର ଅଥଚ ମଧୁର ବାସ୍ନାରେ ଯେମିତି ଶୀତଳତାର ଏକ ସ୍ପର୍ଶ ପରି ଲାଗୁଥିଲା । ଫୁଲସବୁ ଧଳା ରଙ୍ଗର ଓ ତା’ର ପାଖୁଡ଼ାଗୁଡ଼ିକ
ମହମ ମଖା । ଗାଢ଼ ସବୁଜ ରଙ୍ଗର ପତ୍ର ଭିତରୁ ସେସବୁ ଆହୁରି ଉଜ୍ଜ୍ୱଳ ପରି ମନେ ହେଉଥିଲା । ପେନ୍ଥାରେ ଥିବା କଢ଼ଗୁଡ଼ିକଅତି ସୁନ୍ଦର ଭାବେ ଓ ସଯତ୍ନରେ ସରୁ ସରୁ ଈସତ୍
ସବୁଜ ବୃନ୍ତଧାରରେ ଶକ୍ତଭାବରେ ବନ୍ଧା ହୋଇଥିଲା । ଏଇ ନିଷ୍ଠୁର ନିଦାଘ ବିରୁଦ୍ଧରେ ସତେ ଯେମିତି ସେସବୁ ଥିଲେ ଗୋଟିଏ ଲେଖାଏଁ ସହଯୋଗୀ – ତାତିଲା ତକିଆ ଉପରେ, ଜଳପୂର୍ଣ୍ଣ ମାଟିପାତ୍ର ଚାରିକଡ଼େ, ସେମାନଙ୍କ ଜୁଡ଼ାରେ ସଯତ୍ନରେ ବନ୍ଧା ଫୁଲମାଳ, ପୁରୁଷମାନେ ଗୀତ ବୋଲି ବୋଲି ସେସବୁକୁ ରାସ୍ତାରେ ବିକି ଥାଆନ୍ତି । ଏ ଅସହ୍ୟ ଗ୍ରୀଷ୍ମ ଓ ସ୍ୱେଦରେ ଭଲା ସୁନାରୁପା ଅଳଙ୍କାର କିଏ ନାଇବ?
ଏ ବର୍ଷ ଖରାରେ ସତେ ଯେମିତି ଯୁଦ୍ଧ ଆରମ୍ଭ ହେବା ଆଗରୁ ହିଁ ପରାଜୟ ଘଟି ସାରିଥିଲା । ଆଉ ସେ ପରାଜୟ ଯେଉଁ ଆତ୍ମଗ୍ଳାନି ଆଣିଥିଲା, ସମସ୍ତଙ୍କ ହୃଦୟର ହତାଶା ସତେକି
ଜଳଜଳ ହୋଇ ଦିଶି ଯାଉଥିଲା । ଘରପୋଡ଼ି ସେ ପବନକୁ ଆହୁରି ଉତ୍ତପ୍ତ କରି ପ୍ରବାହିତ କରୁଥିଲା । ଆଉ ତା’ସାଙ୍ଗକୁ ଉଜୁଡ଼ା କ୍ଷେତପଟୁ ତତଲା ପବନ ବାହି ଆଣୁଥିଲା ଧୂଳି,
ତା’ସାଙ୍ଗକୁ ମଲା ଲୋକଙ୍କ… ମୋ ଚିନ୍ତା ରାଜ୍ୟରୁ ସେ ମତେ ଯେମିତି ଭିଡ଼ି ଆଣିଲା ।
ଛୋଟ ଝିଅଟିଏ – ଖୁବ୍ ପତଳୀ । ହେଲେ ଆଖି ଦିଓଟି ବେଶ୍ ଭାବପୂର୍ଣ୍ଣ ଓ ପ୍ରାଣବନ୍ତ । ମୁହଁରେ ହସର କ୍ଷୀଣ ରେଖା । ହାତରେ ଫୁଲମାଳଟିଏ । ସେ ବୋତଳ ଓ ଫୁଲମାନଙ୍କ ଆଡ଼େ ଥରେ ଚାହିଁଲା ।
‘ତୋତେ ଏ ମାଳଟି ଭଲ ଲାଗୁଚି? ମୁଁ ସେଇଠି ରଖିନେଉଚି । ଏଇଟା ତୋର ।’ ଏତିକି କହି ମୁଁ ମୋ ବେକକୁ ନୁଆଁଇଲା
ବେଳକୁ ଝିଅଟି ମୁରୁକି ହସି ଚଟାପଟ୍ ମୋ ବେକରୁ ଫୁଲମାଳଟି କାଢ଼ିନେଲା ଓ ଅଳ୍ପ ଦରୂକୁ ଘୁଞ୍ଚିଯାଇ ଠିଆହେଲା ।
‘ମୁଁ ଜାଣିଥିଲି ତୁମେ ଆଜି ଆସୁଚ, ସେଇଥିପାଇଁ ମୁଁ ତୁମ କୋଠରୀଟିକୁ ଭଲକରି ସଫା କରିଦେଇଥିଲି ।’
‘ତୁ କିଏ?’
‘ତୁମ ଚାକରାଣୀ । ଘରର ଏପଟଟା ସଫାସଫି, ଓଳାପୋଛା ଓ ଦେଖାରଖା କରିବା ମୋ ଦାୟିତ୍ୱ ।’
ନିଜର ଏଇ ଦାୟିତ୍ୱ କଥା ସେ ବେଶ୍ ଗର୍ବର ସହ କହୁଥିଲା ।
‘ତୋ ନାଁ କ’ଣ?’
‘ବିବି ।’
‘ତୁ ଏଠି କେବେଠାରୁ କାମ କରୁଚୁ?’
‘ଢେର୍ ଦିନରୁ । ମୁଁ ଘର ଛାଡ଼ିବାର ଠିକ୍ ଆଗରୁ
ଶାହଜୀଙ୍କ ମସଜିଦ୍ ଆଗରେ ଗୋଟିଏ ମେଳା ପଡ଼ିଥିଲା । ଝିଅଟିର ସ୍ୱର କେମିତି ଆଗ୍ରହହୀନ ଲାଗୁଥିଲା । ତା’ପରେ ହଠାତ୍ ଖୁସିହୋଇ ସେ କହି ଚାଲିଲା, ‘ଆପଣଙ୍କର କିଛି
ଦରକାର? ଅନ୍ୟମାନେ ସମସ୍ତେ ଶୋଇଚନ୍ତି । ଆପଣ ବି ଶୋଇପଡ଼ନ୍ତୁ । ମୁଁ କିଛି ସମୟ ପରେ ଚା’ଆଣି ଦେଇଯିବି । ଆପଣ ଗାଧୋଇବା ଲାଗି ମୁଁ ଥଣ୍ଡାପାଣି ଆଣି ବାଲଟିରେ
ରଖିଦେଇଚି ।’
‘ବାଲଟି ଭାରି ଓଜନିଆ ହେଇଥିବ, ନୁହେଁ?’
‘ହେଃ ନା… ମୁଁ ସବୁବେଳେ ସେଥିରେ କୂଅରୁ ପାଣି କାଢ଼େ ।’
ଝିଅଟିର ବୟସ ମୁଁ ଠଉରେଇ ପାରିଲିନି । ତା’ର ଏଭଳି ନିଶ୍ଚିନ୍ତ ଭାବ ଦେଖବ ମତେ ଲାଗିଲା ଯେମିତି ମୁଁ ତା’ଠାରୁ ବୟସରେ ଛୋଟ । ତା’ଆଖିରେ ତା’ ପିଲାଦିନର କିଛି ସ୍ମୃତି
ଥିବା ପରି ଲାଗିଲାନି । ତା’ ଚେହେରା ଦେଖିଲେ ଆଠ କି ନଅ ବର୍ଷର ଶିଶୁଟିଏ ପରି ଲାଗୁଥିଲା । କିନ୍ତୁ ଅପପୁଷ୍ଟି ଓ ଦାରିଦ୍ର୍ୟ ଯେମିତି ତାକୁ ଆହୁରି ପତଳୀ ଓ ଶିଶୁଟିଏ କରି ପକାଇଥିଲା । ମୋ ଆଖିକୁ ଭଣ୍ଡାଉଥିଲା । ହୁଏତ ଏଗାର କି ବାର ବର୍ଷ ହୋଇପାରେ! ଶୈଶବ କହିଲେ କେତେ ବର୍ଷରୁ କେତେ ବର୍ଷ ପର୍ଯ୍ୟନ୍ତ ବୁଝାଏ ସେକଥା ସମସ୍ତଙ୍କ ପାଖରେ ଭିନ୍ନ ।
ଝିଅଟି ଜୀବନରୁ କେତେ ବର୍ଷର ଶୈଶବ ଏମିମତି ଛଡ଼େଇ ନିଆଯାଇ ସାରିଥିଲା ଯେ ମୁଁ ତା’ର କିଛି ଆଦିଅନ୍ତ ପାଉ ନ ଥିଲି ।
ଫି”ଦିନ ସକାଳେ ସେ ଆସୁଥିଲା । ଏମିତି ସବୁ ଫୁଲ ତୋଳି ସାଙ୍ଗରେ ଆଣୁଥିଲା ଯାହାକୁ ତୋଳିବା ସକାଶେ ଆଉ କେହି ମନ କରିବେନି । ସେମିତି ପ୍ରତିଦିନ ସନ୍ଧ୍ୟାରେ ସେଇ ଫୁଲକୁ ନେଇ ସେ ମାଳାଟିଏ ଗୁନ୍ଥୁଥିଲା, ଯାହା ଅନ୍ୟ କେହି ଗୁନ୍ଥିବେନି ।
ସେ ମାଳା ଗୁନ୍ଥୁୁ ଗୁନ୍ଥୁ ମୋତେ ପଚାରେ, ‘ସୁନ୍ଦରିଆ ଫୁଲ, ନୁହେଁ? ଆମ ଘରେ କୂଅମୂଳେ ଦି’ଟ ବଡ଼ ଝଙ୍କାଳିଆ ଫୁଲବୁଦା ଅଛି । ମୁଁ ସେଇଠୁ ଫୁଲ ତୋଳିଆଣି ମା’ ଆଉ ଖୁଡ଼ିଙ୍କ ଲାଗି ମାଳା ଗୁନ୍ଥେ ।’
ମୁଁ ଲକ୍ଷ୍ୟ କଲି ଘର ପାଇଟି କରି କରି ତା’ କୁନିକୁନି ନଖସବୁ ଘୋରି ହୋଇଯାଇଛି । ଏବେ ସୁଦ୍ଧା ତା’ ସମ୍ପର୍କରେ ମୁଁ ପ୍ରାୟ ସବୁକଥା ଜାଣି ସାରିଥିଲି । କିନ୍ତୁ ମୁଁ ଚାହୁଁଥିଲି ସିଏ ତା’
ତୁଣ୍ଡରେ ସେସବୁ କଥା ମୋ ଆଗରେ କହୁ । ତା’ମନ ଯେତେବେଳେ ହେବ ସେତେବେଳେ କହୁ ।
:‘ତୋର ଆଉ କିଏ ଭାଇ କି ଭଉଣୀ ଅଛନ୍ତି?’
‘ମୋ ଭଉଣୀ ବାହା ହେଇ ସାରିଲାଣି । ଏବେ ସିଏ ଆମଠୁ କାହିଁ କେତେ ଦୂରରେ ରହୁଚି । ଶଗଡ଼ରେ ବସି ଗଲେ ପୂରା ଦିନେ ସମୟ ଲାଗିବ । ମୋର ଆଉ ଜଣେ ଭାଇ ବି ଅଛି । ସିଏ ମୋ’ଠୁ ବଡ଼ । ଲେଖାପଢ଼ା ବି ଶିଖିଚି । ଭାରି ଚାଲାକ । ଆଚ୍ଛା, ତୁମେ ମତେ ପାଠପଢ଼ା ଶିଖେଇଦେବ ବାବୁ?’
ଘର ପାଇଟି କଲେ ବି ଝିଅଟା ଭାରି ସଫା ସୁତୁରା । ତା’ ପିନ୍ଧା ପୋଶାକ ବି ସେମିତି ସଫା ଲାଗୁଥିଲା- ଅବଶ୍ୟ ଅନ୍ୟମାନେ ତାକୁ ଯେଉଁ ପୁରୁଣା ପୋଷାକପତ୍ର ଦେଇଥିଲେ ଅସଇଆକୁ ସେ ପିନ୍ଧିଥିଲା । ସେ ପୋଷାକ ତାକୁ ସାମାନ୍ୟ ଢ଼ିଲା ଓ ବଡ଼ ଲାଗୁଥିଲା । ପାଇଜାମାଟା କିନ୍ତୁ ଟାଇଟ୍ ହେଉଥିଲା । ଟାଇଟ୍ ପାଇଜାମା ପିନ୍ଧିଲେ ସହଜରେ ଘର ଖରକିହେବ, ଅନ୍ୟ ପାଇଟି ବି କରିହେବ । ବୁଢ଼ୀଙ୍କ ପରି ସେ ତା’ ମୁଣ୍ଡରେ ଖଣ୍ଡେ କପଡ଼ା ବାନ୍ଧି ଘୋଡ଼େଇ ରଖିଥିଲା । ଆଉ କାନ୍ଧରେ ଦୁପଟ୍ଟା । ଦୁପଟ୍ଟା ନୁହେଁ ତ ପୁରୁଣା ଚିରା ସୂତର ଶାଢ଼ିରୁ ଖଣ୍ଡିଏ । ସେ ଦୁପଟ୍ଟା ଖଣ୍ଡିକୁ ସେ ଭଲକରି ରଙ୍ଗେଇଥିଲା । ଗାଢ଼ ରଙ୍ଗ ବୋଧହୁଏ ତାକୁ ଭଲ ଲାଗେ । ମୁଣ୍ଡର କେଶକୁ ଖୁବ୍ ଯତ୍ନରେ ସେ କୁଣ୍ଡେଇଥିଲା । ଠିକ୍ ମଝିରେ ସିନ୍ଥିଟିଏ ଲମ୍ବିଥିଲା ।
କେଶରେ ତେଲ ମାଖି ସରୁ ସରୁ ଦିଓଟି ବେଣୀ ପକେଇଥିଲା । ବେଣୀ ଅଗରେ ଖଣ୍ଡିଏ ଲେଖାଏଁ ରିବନ ବନ୍ଧା ହୋଇଥିଲା । ସେ ଛୋଟ ପିଗ୍ଟେଲ୍ ବେଣୀ ଦିଓଟି ବେଶ୍ ଶକ୍ତ ଓ ଉପରକୁ ଶିଙ୍ଗପରି ଉଠିଥିଲା । ଝିଅଟା ଦେଖିବାକୁ ଅତି ସୁନ୍ଦର ନ ଥିଲା ଯେ ଯିଏ ଦେଖିବ ତା’ ଆଖି ଲାଖିଯିବ । କିନ୍ତୁ ମୋ ଦୃଷ୍ଟିରେ ସେ ଏକ ସଂକେତ ପାଲଟି ସାରିଥିଲା । ଆଉ ତା’ ଚାରିକଡ଼େ ଭୟଙ୍କର ଅଶରୀରୀ ଆତ୍ମାମାନେ ଘୂରି ବୁଲୁଥିଲେ । ବେଳେବେଳେ ମୁଁ ଲକ୍ଷ୍ୟ କରେ, ତା’ କାନର ଫଳିରେ ସେ ଦି’ଖଣ୍ଡ ସୂତା ଗଳେଇଛି ।
ତା’କାନକୁ ମୁଁ ଚାହିଁବା ଜାଣିପାରି ଥରେ ସେ ଖୁବ୍ ଖୁସିରେ ମୋତେ କହିଲା, ‘ଜାଣିଚ, ମୋର ସୁନାର କାନ ରିଙ୍ଗ୍ ଥିଲା ।
ଏବେ ବିକା ସରିଛି । ମୋ ମା’ କହିଛି, ଏଥର ଫସଲ ଅମଳ ହେଲାପରେ ମୋ ପାଇଁ ଆଣ ହଳେ ସୁନା ରିଙ୍ଗ କିଣିଦବ ।’
: ‘ଆମ ଘରେ ଭୋଜିଭାତ ହେଲାବେଳେ, ମୋ ହାତରେ ଚୁଡ଼ି ପଟେ ସୁଦ୍ଧା ପିନ୍ଧିବାକୁ ନ ଥିଲା ।’
ମୋ ପାଇଁ ଚା’ଆଣି ଆସିଲାବେଳେ ସେ ପୁଣି କହିଚାଳିଲା, ‘ତୁମକୁ ଏମିତିକା ଇଂଲିଶ୍ କେକ୍ ଭଲ ଲାଗେ? ମୋ ମା’ଭାରି ବଢ଼ିଆ ହାଲୁଆ ବନାଏ – ତୁମେ ଥରେ ଖାଇଲେ
ପାଟିରୁ ଛାଡ଼ିବନି ।’
ହଠାତ୍ ଦିନେ ଝିଅଟା ମୋ ରୁମ୍ରେ କାମ କରିସାରିବା ପରେ କଅଣ ହେଲା କେଜାଣି, ମୋ କୋଳରେ ମୁଣ୍ଡଥାପି ଶୋଇପଡ଼ିଲା ଓ କହିଲା, ‘ତୁମେ ମତେ ଭାରି ଭଲ ଲାଗୁଚ । ମତେ
ସଦାବେଳେ ତୁମ ସାଙ୍ଗରେ ରଖିବ?’ ସହସା ତାକୁ କିଛି ଉତ୍ତର ଦେଇ ନ ପାରି ମୁଁ ପ୍ରସଙ୍ଗ ବୁଲେଇ ତାକୁ ପଚାରିଲି, ‘ବିନି – ତୁ ଏଠିକି ଆସିଲୁ କେମିତି?’
ମୋ ମନର ସବୁ ଆଶଙ୍କା ଓ ଭୟକୁ ଚାପିରଖି ବିବି ତୁଣ୍ଡରୁ ମୁଁ ଶୁଣିବାକୁ ଚାହୁଁଥିଲି – ବାସ୍ତବରେ ତା’ ଜୀବନରେକ’ଣସବୁ ଘଟିଛି । ସିଏ ତା’ତୁଣ୍ଡରେ ସେକଥା ବଖାଣୁ ।’
‘ପୁଲିସ ମତେ ଏଠିକି ଧରି ଆଣିଚି । ମୁଁ ରେଳ ଷ୍ଟେସନରେଥିଲି । ତା’ପରେ ସେମାନେ ମୋତେ ଗୋଟିଏ ଅଜଣା ଜାଗାକୁ ନେଇ ଯାଇଥିଲେ । ସେଠି ଆହୁରି ଅନେକ ସ୍ତ୍ରୀଲୋକ ଥିଲେ । ପିଲାମାନେ ବି ଥିଲେ । ମୁଁ କିନ୍ତୁ ସେଠାରୁ ଖସି ପଳେଇ ଆସିଲି ।’
: ‘କାଇଁକି?’
: ‘ମୁଁ ଜାଣିନି । ରାତିରେ ସମସ୍ତେ ଶୋଇଥିଲାବେଳେ ମୁଁ ଚୁପ୍ଚାପ୍ ଉଠି ଦୌଡ଼ି ପଳେଇ ଆସିଲି । ତା’ପରେ ମୁଁ ଏଠିକି ଆସିଚି ।’
: ‘ତତେ ଏଠିକି କିଏ ଆଣିଲା?’
: ‘ପୁଲିସ ।’
ଶରଣାର୍ଥୀ ଶିବିର ଓ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯିବା ଭିତରେ ସମୟର ଯେଉଁ ସ୍ୱଳ୍ପ ବ୍ୟବଧାନ ଥିଲା, ତାକୁ ଭରଣା କରିବା ସକାଶେ ବିବିର ମନ ପ୍ରତ୍ୟାଖ୍ୟାନ କଲାପରି ଲାଗୁଥିଲା ।
‘ତୋ ମା’ର କ’ଣ ହେଲା?’
‘ହଠାତ୍ କାହିଁକି କେଜାଣି ତା’ ସ୍ୱର ଓଦା ଓଦା ଲାଗିଲା –
‘ଶିଶୁଟିଏ ତା’ର କୋମଳ କଣ୍ଠରେ ପରୀ କାହାଣୀଟିଏ ଶୁଣେଇଲାପରି ସେ କହିଲା, ‘ମୁଁ ଜାଣିନି । ସେତେବେଳେ ମୁଁ ଚାନ୍ଦ୍ବିବି ପାଖରେ ଥିଲି । ତା’ ଘରକୁ ଯାଇଥିଲି ।’
: ‘ସିଏ କିଏ?’
: ‘ଆରେ, ସିଏ ଜଣେ ସାହସୀ ସ୍ତ୍ରୀଲୋକ । ତାଙ୍କର ଭାରି ବଡ଼ ଘର ପୂରା ଖଞ୍ଜାଘର । ମୁଁ ସେଇଠି ଖେଳାଖେଳି କରୁଥିଲି । ସିଏ କେତେଜଣଙ୍କ ସାଙ୍ଗରେ ଖଣ୍ଡା ଧରି ଢେର୍ ସମୟଯାଏଁ ଲଢ଼େଇ କଲା ।
କେତେ ଲୋକଙ୍କୁ ବି ମାରିଲା । ହେଲେ ଶେଷରେ ସେମାନେ ତା’ ହାତଟାକୁ ହାଣି ପକେଇଲେ ।’
: ‘ତୋ ମା’ କେଉଁଠି ଅଛି?’
: ‘ଆମ ଘରେ । ମୁଁ ତ ଦେଖିନି । ଅନ୍ୟମାନେ କହନ୍ତି ଆମ ଘରସାରା ଚାରିଆଡ଼େ ରକ୍ତ ଜୁଡ଼ୁବୁଡ଼ୁ ହୋଇଯାଇଥିଲା । ସମସ୍ତେ କାନ୍ତି ହାତ କଟିବା ପର୍ଯ୍ୟନ୍ତ ଚାନ୍ଦ୍ବିବି ସମସ୍ତଙ୍କ ସାଙ୍ଗରେ ଲଢ଼େଇ କରିଥିଲା ।’
: ‘ତତେ ଏକଥା କିଏ କହୁଥିଲା?’
‘ଲୋକମାନେ – ଏକଥା ଦେଖବ ମୁଁ ପାଖ କ୍ଷେତ ଭିତରକୁ ଦୌଡ଼ି ପଳେଇଲି ଓ ଲୁଚିଗଲି । ଜଣେ ଲୋକ ମତେ କହିଲା, ‘ଏଇପଟେ ଆସ୍ ।’ ସିଏ ମତେ ନେଇଗଲା । ଆମେ ଆଖୁକ୍ଷେତ ଭିତରେ ଲୁଚି ରହିଲୁ । ତା’ପରେ ସିଏ ମତେ ଗୋଟିଏ ଟ୍ରେନ୍ରେ ବସେଇଦେଲା, ଆଉ ମୁଁ ଆସି ଏଠି ପହଞ୍ଚିଲି । ଦେଖିଲ, ଏ ଫୁଲମାଳଟା କେତେ ଲମ୍ବା ହେଲାଣି? ତୁମ ବେକରେ ଦି’ପରସ୍ତ କରି ଗୁଡ଼େଇ ପାରିବ ।’
ବିବି ଟେବୁଲ ଉପରେ ଥୁଆ ହୋଇଥିବା ଫୁଲଦାନିରେ ଆଉ କେଇଟା ସଜଫୁଲ ପେନ୍ଥା ଖୋସୁଥିଲା ।
ରୂପାନ୍ତରଣ: ସୁଭାଷ ଶତପଥୀ
ମୋ: ୯୭୭୬୪୯୭୭୩୩
Comments are closed.