Latest Odisha News

ବିଶ୍ୱ ଦରବାରରେ ଶ୍ରୀଜଗନ୍ନାଥ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ

କେଉଁ ଅନାଦି କାଳରୁ ସମଗ୍ର ବିଶ୍ଵରେ ଶ୍ରୀଜଗନ୍ନାଥ ଐକ୍ୟ, ସାମ୍ୟ, ସମନ୍ୱୟ ଓ ଉଦାରତାର ଦେବତା ଭାବେ ପୂଜା ପାଇ ଆସୁଛନ୍ତି । ଓଡ଼ିଆ ଜାତିର ଏହି ମହାନ୍ ଦେବତା ଭାରତୀୟ ମହାଜାତିର ଓ ବିଶ୍ୱ ପ୍ରେମର ସର୍ବ ଶ୍ରେଷ୍ଠ ଦେବତା ଭାବେ ଗୃହୀତ । ଶ୍ରୀଜଗନ୍ନାଥ ପ୍ରାଗୈତିହାସିକ କାଳରୁ ଅଦ୍ୟାବଧି ନାନା ଧର୍ମ ଓ ସଂସ୍କୃତିର ପ୍ରତୀକ ରୂପେ ବିଦ୍ୟମାନ ହୋଇ ଆସୁଛନ୍ତି । ଯେଉଁ ସବୁ ଗୁଣ ନେଇ ଗୋଟିଏ ଜାତି ବଡ଼ ହୋଇପାରେ ଶ୍ରୀଜଗନ୍ନାଥଙ୍କ ଠାରେ ସେହି ସବୁ ଗୁଣ ଯୁଗ ଯୁଗ ଧରି ପରିଲକ୍ଷିତ ଓ କୀର୍ତ୍ତିତ ହୋଇ ଗୋଟିଏ ଜାତିକୁ ବିଶ୍ୱ ଦରବାରରେ ଚିହ୍ନିତ କରିବାରେ ସଫଳ ହୋଇଛି । ଓଡ଼ିଶାର ଐତିହ୍ୟ, ପରମ୍ପରା , ଧର୍ମ ଓ ସଂସ୍କୃତିର ଜଗନ୍ନାଥ ହେଉଛନ୍ତି ଶ୍ରେଷ୍ଠ ପ୍ରତୀକ । ପୂର୍ବ-ବାରିଧି କୂଳରେ ଅବସ୍ଥିତ ଏହି ଦାରୁଦେବତା ଓଡ଼ିଆ ମାନଙ୍କ ଚିର ପ୍ରେରଣାର ଉତ୍ସ ପାଲଟିଛନ୍ତି । ତାଙ୍କର ସବୁ କିଛି ବଡ । ବଡ଼ ନାମରେ ସେ ଯେମିତି ବଡ଼ ଠାକୁର, ସେହିଭଳି ତାଙ୍କ ଦାଣ୍ତର ନାମ ବଡ଼ ଦାଣ୍ଡ । ଦେଉଳ ବଡ଼ ଦେଉଳ । ସମୁଦ୍ର ମହୋଦଧି , କ୍ଷେତ୍ର ଶ୍ରୀକ୍ଷେତ୍ର , ମନ୍ଦିର ଶ୍ରୀମନ୍ଦିର । ଚକ୍ରର ନାମ ନୀଳଚକ୍ର , ପତାକାର ନାମ ପତିତପାବନ ବାନା । ସେହି ରହସ୍ୟମୟ ଠାକୁରଙ୍କ ରହସ୍ୟ ଅପାର ।

ଶ୍ରୀଜଗନ୍ନାଥ ଓଡ଼ିଶାର ଜାତୀୟ ଜୀବନ, ଧର୍ମ, ସାଂସ୍କୃତିକ ଓ ସାମାଜିକ ଜୀବନରେ ମୂଳ ପ୍ରାଣକେନ୍ଦ୍ର ଓ ଅଙ୍ଗ ହୋଇ ରହିଛନ୍ତି । ତେଣୁ ଶ୍ରୀଜଗନ୍ନାଥ ତତ୍ତ୍ୱାଶ୍ରୟୀ ସୃଷ୍ଟିର ଧର୍ମ ଓ ଦର୍ଶନର ଶ୍ରେଷ୍ଠ ଦେବତା ଭାବେ ଓଡିଆ ମାନଙ୍କର ଗୀତ , ଗୀତିକା, ଚଉପଦୀ ଓ ଚଉତିଶା , ଚମ୍ପୁ , ଭଜନ ଓ ଜଣାଣ ଆଦିରେ ସବୁଠି ତାଙ୍କର ଉଚ୍ଚତମ ସ୍ଥାନରେ ସେ ବିଦ୍ୟମାନ ହୋଇ ପାରିଛନ୍ତି । କେଉଁଠି ସେ କାଳିଆ ଠାକୁର ପାଲଟି ସହସ୍ରାଧିକ ନାମରେ ନାମିତ ତ ପୁଣି ସେ କେଉଁଠି ଭକ୍ତର ଭଗବାନ , ଭାବର ଠାକୁର , ପୃର୍ଣ୍ଣବ୍ରହ୍ମ, ନିରାକାର, ସାକାର, ନୀଳମାଧବ, ନୀଳମଣି , କୃଷ୍ଣ ପୁଣି କାହ୍ନା ଭାବରେ ପ୍ରତିଫଳିତ ହୋଇଛନ୍ତି । ଭକ୍ତର ମାନ ଉଦ୍ଧାରଣ ଶରଣ ରକ୍ଷକ ପତିତପାବନ ଭାବରେ ସେ ପ୍ରତ୍ୟେକଟି ସୃଷ୍ଟିରେ ପ୍ରକୀର୍ତ୍ତିତ ହୋଇ ଆସିଛନ୍ତି । ଓଡ଼ିଆର ପ୍ରତ୍ୟେକଟି ଶୁଭ କାର୍ଯ୍ୟାରମ୍ଭରେ ‘ ନମସ୍ତସ୍ନୈ ଭଗବତେ ବାସୁଦେବାୟ’ ଉଚ୍ଚାରଣ ପରେ ପୂଜାବିଧି ଆରମ୍ଭ ହୋଇଥାଏ । ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଚକ୍ର ରହିଛନ୍ତି, ସେହି ଦୃଷ୍ଟିରୁ ତାଙ୍କୁ ଚତୁର୍ଦ୍ଧାମୂରତି ବା ଚତୁର୍ଦ୍ଧାମୂର୍ତ୍ତି ବୋଲାଯାଏ । ଚକ୍ର ବିଷ୍ଣୁଙ୍କର ଅସ୍ତ୍ର । ଚକ୍ରର ଆକାର ‘ ଅଖଣ୍ଡ ମଣ୍ତଳାକାର ‘। ମଣ୍ତଳର ଆକାର ଅଖଣ୍ଡ, ଯାହାର ଆରମ୍ଭ କି ଶେଷ ନାହିଁ । ଏହି ଧର୍ମ ହେଉଛି ସନାତନ । ପ୍ରାୟତଃ ହଜାରରେ ଏଗାରଶହ ବର୍ଷରୁ ଜଗନ୍ନାଥ ବୌଦ୍ଧ ଶାସ୍ତ୍ରରୁ ଏହାର ପ୍ରମାଣ ମିଳିଥାଏ । ନବମ ଶତାବ୍ଦୀରେ ବଙ୍ଗଳାର ଦେବପାଳ ରାଜାଙ୍କ ଉପରେ ରମାଇ ପଣ୍ତିତ ଉଲ୍ଲେଖ କରିଛନ୍ତି – ” ନବମ ମୂର୍ତ୍ତିତେ ହରି ଜଗନ୍ନାଥ ନାମ ଧରି / ଜଳଧି ତୀରେ କୈଲାବାସ ” । ସେଭଳି ସାରଳା ଦାସ ତାଙ୍କ ମହାଭାରତରେ ଲେଖିଛନ୍ତି – ” ସଂସାର ଜନଙ୍କୁ ସେହୁ ତାରିବା ନିମନ୍ତେ / ବଉଦ୍ଧ ରୂପରେ ବିଜେ ଅଛି ଜଗନ୍ନାଥେ ” ।

Importance Of Puri Rath Yatra And How It Was Started

ଓଡ଼ିଶାର ଲୋକ ବିଶ୍ୱାସରେ ପୈାରାଣିକ କିମ୍ବଦନ୍ତୀ ନେଇ ଏକ ଦୃଢ ଧାରଣା ରହିଛି ଯେ ପ୍ରତିବର୍ଷ ଶ୍ରୀଜଗନ୍ନାଥ ମାଉସୀ ମା’ ଙ୍କୁ ସଂଙ୍ଖୋଳିବାକୁ ଗୁଣ୍ଡିଚା ନବର ରଥରେ ଯାତେ କରନ୍ତି । ଶ୍ରୀଜଗନ୍ନାଥଙ୍କ ଅନୁପସ୍ଥିତିରେ, ମା’ ଲକ୍ଷ୍ମୀ ବିରହରେ କଳା ଠାକୁରଙ୍କୁ ଝୁରି ହୁଅନ୍ତି , ଯାହାର ଏତାଦୃଶ ଭାବ ଦେଖି ଲୋକ କବି ଗାଇଛନ୍ତି – ” କୋଇଲି ରହିଲା ଯାଇ କୁଆର ବସାରେ/ ଜଗନ୍ନାଥ ରହିଲେ ଦେଖ ଗୁଣ୍ଡିଚା ନଅରେ / କାଳିଆକୁ ନଦେଖି ବଡ଼ ଦେଉଳରେ ହୋ / ଲକ୍ଷ୍ମୀ ଠାକୁରାଣୀ ଝୁରି ମରେ ହୋ ××” । ଗାଁ ମାଟିର ଲୈାକିକ ଧାରଣାରେ ଜଗନ୍ନାଥ ଓ କୃଷ୍ଣ ଅଭିନ୍ନ ଅଟନ୍ତି । କୃଷ୍ଣ ଓ ବଳରାମ ନିଜର ଭଗ୍ନୀ ସୁଭଦ୍ରାଙ୍କ ସହ ବଡ଼ଦେଉଳରେ ବିରାଜମାନ ଅଛନ୍ତି । ତେଣୁ ରଥଯାତ୍ରାରେ ନନ୍ଦନନ୍ଦନ ଦାରୁରୂପୀ କଳାକହ୍ନେଇ ଦେଖି ଲୋକ କବି ଲେଖିଛନ୍ତି- ” ଆଷାଢ଼ ମାସରେ ମେଘ ଛାଡଇ ରଡ଼ି/ ଘରୁ ବାହାରିଲା କାଳିଆ ନନ୍ଦିଘୋଷ ଚଢ଼ି / ନନ୍ଦିଘୋଷେ ବିଜୟ ନନ୍ଦେର ନନ୍ଦନ/ ତାଳଧ୍ଵଜ ଉପରେ ଭାଇ ବଳରାମ / ବିଜୟା ରତରେ ସୋହେନ୍ଦ୍ରା, ଗୁଣ୍ଡିଚା ଗମନ ହୋ..”। ପଶ୍ଚିମ ଓଡ଼ିଶାର ଡାଲଖାଇ ଲୋକ ସଂଗୀତରେ ସୁଭଦ୍ରାଙ୍କୁ ରଥାରୂଢ଼ ବଳଭଦ୍ରଙ୍କ ଶକ୍ତି ସ୍ୱରୂପିଣୀ ଭବାନୀ ଭାବେ ଗ୍ରହଣ କରାଯାଇଛି । ” ରଥେ ବିଜେ କଲେ ଜଗନ୍ନାଥ/ ଆଗେ ବଳଭଦ୍ର ପଛେ ଭବାନୀ / ପଛେ କୁଦାଇଲେ ଦୂତୀ ଗୋ / ସାରଙ୍ଗପାନି, ଡାଲ ଖାଇରେ..” । ରଥ ଉପରେ ଉପବିଷ୍ଟ ଜଗନ୍ନାଥ ହେଉଛନ୍ତି ପତିତ ତାରକ ଅବତାରୀ ପୁରୁଷ , ପରଂବ୍ରହ୍ମ ଷୋଳ କଳାର ସେ ହେଉଛନ୍ତି ପୂର୍ଣ୍ଣତମ । ଶ୍ରୀଜଗନ୍ନାଥଙ୍କ ସତ୍ତ୍ଵ, ରଜ, ତମ ଗୁଣକୁ ନେଇ ରାମକୃଷ୍ଣାଦି ସାକାର ରୂପ ଗ୍ରହଣ କରିଛନ୍ତି । ଅବତାରୀ ତତ୍ତ୍ଵକୁ ନେଇ ଲୋକ ସଂଗୀତରେ ବର୍ଣ୍ଣନା ଅଛି – ” ନନ୍ଦିଘୋଷ ଅବତାରୀ ମୁରୁକି ହସୁଛି/ ସେହି ହସରୁ ତିନି ଗୁଣ ଜନମ ନେଇଛି..” । ଓଡ଼ିଆ ସଂସ୍କୃତି ପରମ୍ପରା ସହ ଜଡ଼ିତ ଶ୍ରୀଜଗନ୍ନାଥଙ୍କ ରଥ ଏ ଓଡ଼ିଆ ଜାତିର “ଜାତି ନନ୍ଦିଘୋଷ” ର ପ୍ରତୀକ ଭାବେ ସର୍ବ ବିଦିତ । ନନ୍ଦିଘୋଷ ଉପରେ ବିରାଜମାନ ମହାବାହୁ ହେଉଛନ୍ତି ପତିତପାବନ ରୂପୀ ବାମନ । ବଡ଼ଦେଉଳର ଆଡମ୍ବର ପୂର୍ଣ୍ଣ ଆଭିଜାତ୍ୟକୁ ଦୂରେଇ ସାଧାରଣ ମଣିଷ ସହ ଏକୀଭୂତ ହେବା ନିମନ୍ତେ ଓ ସଂକଳ୍ପ କରି ପତିତ ମାନଙ୍କ ତାରଣ ପାଇଁ ପହଣ୍ଡି ବିଜେ କରି ରଥାରୂଢ଼ ହୁଅନ୍ତି । ପୁରୁଷ ଶ୍ରେଷ୍ଠ ପୁରୁଷୋତ୍ତମ ବଡ଼ ଦାଣ୍ଡର ଧୁଳି ମାଟିର ଜୀବନ ଚକ୍ର ମଧ୍ୟକୁ ସ୍ୱୟଂ ଓହ୍ଲାଇ ଆସନ୍ତି । ପଶ୍ଚିମ ଓଡ଼ିଶା ଲୋକ ଗୀତରେ – ” ଚାଲ ଦେଖିବା ଗୋ ସଖୀ ପହଣ୍ଡି ବିଜଏ..” ।

ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ଧର୍ମ ଏକ ମାନବୀୟ ଧର୍ମରେ ରୂପାନ୍ତରିତ ହୋଇଯାଏ । ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସକଳ ମଣିଷଙ୍କ ପାଇଁ ଶ୍ରୀକ୍ଷେତ୍ରର ପବିତ୍ର ମାଟିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ନାମ ମହିମା ଓଡ଼ିଶାର ଗାଁ ଗହଳିରେ ଭାଗବତ ଟୁଙ୍ଗିରେ ପ୍ରକଟିତ ହେଉଥିଲା । ବହୁ ସାଧକ, କବି, କାବ୍ୟକାର ତଥା ଭଜନକାରମାନେ ଅପୂର୍ବ ଭାବ ଶୈଳୀରେ ଜଗନ୍ନାଥଙ୍କ ମହତ୍ତ୍ୱ ମହିମା ସେମାନଙ୍କ ସର୍ଜନଶୀଳ ସୃଷ୍ଟିରେ ଉଲ୍ଲେଖ କରିଛନ୍ତି- ” ପୁରୁଷୋତ୍ତମ କ୍ଷେତ୍ର ଯେ କୋଟିଏ ତୀର୍ଥ ଘେନି/ ବସିଲେ ହରି ବଳରାମ ସୁଭଦ୍ରା ଯେ ତିନି “। ପଞ୍ଚସଖା ଯୁଗର କବିମାନେ ଶୂନ୍ୟର ପୂଜାରୀ । ଶରୀର ଭେଦ ଭଜନରେ ତତ୍ତ୍ଵ ଦୃଷ୍ଟିରୁ ” ରୂପରେଖ ନାହିଁ ହେ ଶୂନ୍ୟ ଦେହୀ/ ଅଛି ଉଭା ହୋଇ ” କହିଥାନ୍ତି । ଏପରିକି ” ଦିଅଁ ଦେଖି ଯିବା ଗୋ ସହୀ/ ଦେଉଳେ ଦିଅଁ ଦେବତା ନାହିଁ ” ଗାନ କରିଥାନ୍ତି । କିନ୍ତୁ ଭୀମ ଭୋଇ ମାନବବାଦୀ କଣ୍ଠରେ ଶ୍ରୀଜଗନ୍ନାଥଙ୍କ ଦୀପ୍ତି ଓ ଦ୍ୟୁତି ପ୍ରକାଶ କରି କହିଛନ୍ତି – ” ତିନି ବ୍ରହ୍ମାଣ୍ଡରେ ଲୋଡି ଆମ୍ଭ ତୁଣ୍ଡେ ଏକ ଜଣ ଏକ ଜାତି/ ସେ ସବୁଙ୍କୁ ଜାତି ରହିଛି ତାହାର ରଞ୍ଚିଲା ପୃଥ୍ବୀ “। ସତରେ ଶ୍ରୀଜଗନ୍ନାଥ ହେଉଛନ୍ତି, ଓଡ଼ିଆ ଜାତିର ଆତ୍ମା ଓ ଶ୍ରେଷ୍ଠ ବୈଭବ । ସହସ୍ର ସହସ୍ର ବର୍ଷ ଧରି ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଯେଉଁ ଧର୍ମ ପୃଥିବୀରେ ଗଢି ଉଠିଛି ତା’ର ତୁଳନା ନାହିଁ ‌। ଉଦାରତା ପଣରେ ସକଳ ଧର୍ମକୁ ଆପଣେଇ ” ବସୁଧୈବ କୁଟୁମ୍ବକମ୍ ” ନୀତିକୁ ସାର୍ଥକ କରୁଛି । ଶବରର ଦେବତା ହୋଇ ଆର୍ଯ୍ୟ ସଂସ୍କୃତିର ଦେବତା ଭାବେ ପୂଜିତ ହୋଇଛନ୍ତି । ଯୁଗେ ଯୁଗେ ତାଙ୍କରି ସୈାନ୍ଦର୍ଯ୍ୟରେ ଭକ୍ତ, ସାଧକ, କବିକୁଳ ମୁଗ୍ଧ ଚକିତ ପାଗଳ ହୋଇଉଠିଛନ୍ତି । ଶ୍ରୀରାମ ଚଂଦ୍ର ଦେବ ଇସଲାମ ଧର୍ମ ଗ୍ରହଣ କରି ମଧ୍ୟ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ପାଗଳ ହୋଇ ସିଂହଦ୍ଵାରରେ ଜଗନ୍ନାଥଙ୍କ ପତିତପାବନ ମୂର୍ତ୍ତି ପ୍ରତିଷ୍ଠା କରିଥିଲେ । ତେଣୁ ସେ ପାତକ ନାଶକ ପତିତପାବନ ଦେବତା ଅଟନ୍ତି । ‘ ସତ ମୋ ବଚନ ରାମା ସତ ମୋ ବଚନ/ ଜଗନ୍ନାଥଙ୍କର ଚନ୍ଦ୍ରମୁଖ ଦେଖିବାରେ ମୋ ମନ ‌। ଆରେ ମୁଁ କ୍ଷେତ୍ର ଯିବି..” । ଏକଦା ସନ୍ଥ କବୀର ପୁରୀ ମନ୍ଦିରରେ ଜଗନ୍ନାଥଙ୍କ ଦର୍ଶନ କରି ଗାଇଥିଲେ- ” ଠାକୁର ! ଭଲେ ବିରାଜେ ଜୀ/ ଓଡ଼ିଶା ଜଗନ୍ନାଥ ପୁରୀ ମେଁ ” ।

ଶ୍ରୀଜଗନ୍ନାଥ ସ୍ୱୟଂ ପ୍ରଭୁ ଦାରୁବ୍ରହ୍ମ ରୂପରେ ଶ୍ରୀକ୍ଷେତ୍ରକୁ ପୁରୁଷୋତ୍ତମ କ୍ଷେତ୍ରରେ ପ୍ରସିଦ୍ଧ କରିଛନ୍ତି । ତେଣୁ କୁହାଯାଇଛି- ” ସର୍ବେଷାମପି ଦେବାନାଂ ରାଜା ପୁରୁଷୋତ୍ତମଃ/ ସର୍ବେଷାମପି କ୍ଷେତ୍ରାଣାଂ ରାଜା ଶ୍ରୀପୁରୁଷୋତ୍ତମଃ “। କହିବାକୁ ଗଲେ ଶ୍ରୀଜଗନ୍ନାଥ ଓ ପୁରୁଷୋତ୍ତମ କ୍ଷେତ୍ର ଯୁଗ ଯୁଗ ଧରି ସର୍ବଧର୍ମ ସମନ୍ୱୟର ଏକ ପ୍ରତିଷ୍ଠିତ ପୀଠ ଓ ବିଭିନ୍ନ ଧର୍ମାବଲମ୍ବୀଙ୍କ ଏକ ଅପୂର୍ବ ସଙ୍ଗମର ସ୍ଥଳ ଭାବରେ ଖ୍ୟାତ ହୋଇଛି । ଏଯାବତ୍ ଏକ ଆଧ୍ୟାତ୍ମିକ ଓ ବୌଦ୍ଧିକ ବିସ୍ମୟ ଭାବରେ ବିରାଜିତ ହୋଇ କୈାଣସି ନିର୍ଦ୍ଦିଷ୍ଟ ସଂପ୍ରଦାୟର ଉପାସନା ପରିସର ଠାରୁ ବହୁ ଉର୍ଦ୍ଧ୍ବରେ ରହିଛି । ଧାର୍ମିକ ସହିଷ୍ଣୁତା, ରାଜନ୍ୟ ଶିଷ୍ଟାଚାର ଓ ଉଦାରତା ଓ ଆଦର୍ଶର ଅନୁପ୍ରାଣିତ ସଂପ୍ରଦାୟମାନଙ୍କ ମଧ୍ୟରେ ସମନ୍ୱୟ ଆଣିବା କେବଳ ପୁରୁଷୋତ୍ତମ କ୍ଷେତ୍ରରେ ବିରାଜମାନ ଶ୍ରୀଜଗନ୍ନାଥଙ୍କ ଠାରେ ଦେଖିବାକୁ ମିଳେ । ଅଦ୍ଵୈତବାଦୀ ଶ୍ରୀଶଙ୍କରାଚାର୍ଯ୍ୟ, ଦ୍ବୈତବାଦୀ ଶ୍ରୀରାମାନୁଜ, ବୌଦ୍ଧ ଧର୍ମ ପ୍ରଚଳିତ ଶୂନ୍ୟବାଦ ଓ ମାଧ୍ୱ ଆଚାର୍ଯ୍ୟଙ୍କର ଦ୍ବୈତାଦ୍ବୈତ ବାଦ ଆଦି ଶ୍ରୀ ବୈଷ୍ଣବ ସଂପ୍ରଦାୟର “ପଞ୍ଚରାତ୍ରିକ” ସଂପ୍ରଦାୟ ତଥା ଜୈନ ଧର୍ମ ଓ ଅନ୍ୟ ସବୁ ଉପଧର୍ମର ସାରାଂଶ ସ୍ୱାକ୍ଷର ବହନ କରିଛି । ଏହାହିଁ ସମନ୍ୱିତ ବିଗ୍ରହର ଏକ ଅଦ୍ୱିତୀୟ ଓ ଅଭିନବ ପରିକଳ୍ପନା “ପୁରୁଷୋତ୍ତମ” । ଅର୍ଥାତ୍ ଆକ୍ଷରିକ ଅର୍ଥରେ ” ଶ୍ରୀପୁରୁଷୋତ୍ତମ କେବଳ ଗୋଟିଏ ଉତ୍ତମ ପୁରୁଷ ହୁଅ ” ବାର୍ତ୍ତାର ପ୍ରତୀକ । ଶ୍ୱେତ, କୃଷ୍ଣ ଓ ଲୋହିତ ବର୍ଣ୍ଣ ବିଶିଷ୍ଟ ସମଗ୍ର ମାନବ ଜାତିର ପ୍ରତୀକାତ୍ମକ ତ୍ରିମୂର୍ତ୍ତି ବିଗ୍ରହ ଏକ ଅଭିନବ ମାନବବାଦୀ ପରିକଳ୍ପନା । ଯେଉଁଠି ସବୁ ଧର୍ମର, ସଂପ୍ରଦାୟର ଏକତ୍ରିତ ହୋଇ ମହାପ୍ରସାଦ ସେବନ ଓ ସହିଷ୍ଣୁତାର ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ହୋଇଛନ୍ତି ଏକ ଅପୂର୍ବ ଏବଂ ଅଦ୍ୱିତୀୟ ସଂଗମ ‌। ଫଳତଃ ସେ ଚିରନ୍ତନ ସାର୍ବଜନୀନତାର ମାନବବାଦୀ ଠାକୁର ପାଲଟି ଯାଇଛନ୍ତି ।

ସମଗ୍ର ଭାରତୀୟ ଓ ପାଶ୍ଚାତ୍ୟ ଦର୍ଶନ ପୁରୁଷୋତ୍ତମ ଦର୍ଶନରେ ଅନୁପ୍ରାଣିତ ହେଉଛନ୍ତି । ପୁରୁଷୋତ୍ତମ ଭାବଧାରା ବିଶ୍ୱ ଜୀବନକୁ ପ୍ରଭାବିତ କରୁଛନ୍ତି । ଏହାହିଁ ସର୍ବୋତ୍ତମ, ସର୍ବୋଚ୍ଚ, କଲ୍ୟାଣ ପଦ, ପାବନତମ, ସାର୍ବଜନୀନ, ସାର୍ବଭୌମ, ସୁବ୍ୟବସ୍ଥିତ, ସର୍ବାଙ୍ଗୀନ ଓ ଅତ୍ୟନ୍ତ ବ୍ୟବହାରିକ । ସେ ବିଶ୍ୱର ସାମନ୍ତ । ତାଙ୍କ ପରି ସାମନ୍ତ ଅନ୍ୟ କେଉଁଠି ଥିବାର ଦେଖା ଯାଏ ନାହି । ସେ ଭାବ ବିନୋଦିଆ । ଭାବକୁ ନିକଟ, ଅଭାବକୁ ଦୂର । ସେ ଜଗତର ବନ୍ଧୁ, ଦୀନ ବନ୍ଧୁ , ସବୁରିର ବନ୍ଧୁ । ତେଣୁ ଭକ୍ତ ଉଚ୍ଚାଟ କଣ୍ଠରେ ଗାଇଉଠେ – ” ଜଗବନ୍ଧୁ ପରି ସାମନ୍ତ ନାହିଁ ନାହିଁ ତ / ଚଉଦ ଭୁବନ ବାରତା ଜାଣନ୍ତି/ ଚକ୍ରରେ ଛେଦନ୍ତି ଆରତ “। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ବ୍ରହ୍ମାଙ୍କୁ ପବିତ୍ର ପୁରୁଷୋତ୍ତମ କ୍ଷେତ୍ରର ମାହାତ୍ମ୍ୟ ବଖାଣି କହିଥିଲେ – ହେ ବ୍ରହ୍ମା ! ସର୍ବମଙ୍ଗଳ ପରିତ୍ୟାଗ କରି ସୁରାସୁର ମାନଙ୍କୁ ଅତିକ୍ରମ କରି, କ୍ଷର ତଥା ଅକ୍ଷର ଠାରୁ ଉର୍ଦ୍ଧ୍ବରେ ରହି ଦେହ ଧାରଣ ପୂର୍ବକ ପୁରୁଷୋତ୍ତମ ସ୍ୱରୂପରେ ମୁଁ ଅଧିଷ୍ଠିତ ହୋଇଛି । ଏହି ପାବନ ତମ, ସର୍ବକଲ୍ୟାଣ ପ୍ରଦ ପୁରୁଷୋତ୍ତମ କ୍ଷେତ୍ର ସୃଷ୍ଟି ପ୍ରଳୟର ଆବର୍ତ୍ତନରୁ ବହିର୍ଭୂତ । ଏଠାରେ ଗନ୍ଧର୍ବ, ଅପ୍ସରା, ଦେବତା, ମନୁଷ୍ୟ, ଯକ୍ଷ, ରକ୍ଷ, ବିଦ୍ୟାଧର, ସିଦ୍ଧ, ମୁନି, ଋଷି, ପ୍ରଜାପତି, କିନ୍ନର, ନାଗ, ସ୍ୱର୍ଗବାସୀ, ଚତୁର୍ବେଦ, ବିବିଧ ଶାସ୍ତ୍ର , ଇତିହାସ , ପୁରାଣ, ଯଜ୍ଞ, ପୁଣ୍ୟ ନଦୀ, ମହୋଦଧି,ନାନା ତୀର୍ଥ ଓ ଶୈଳ ଆଦି ଜଗତର ସକଳ ବିଦ୍ୟମାନ । ପୁରୁଷୋତ୍ତମ ଦର୍ଶନ ମାତ୍ରେକେ ସମସ୍ତ ଭୁକ୍ତି ମୁକ୍ତିଲାଭ କରନ୍ତି । ମୂର୍ଖଙ୍କ ଠାରୁ ଆରମ୍ଭ କରି ଶାନ୍ତି ବୈରାଗ୍ୟ ବିମଣ୍ଡିତ ବିମଳାତ୍ମା ଜ୍ଞାନୀ ପର୍ଯ୍ୟନ୍ତ । ସମସ୍ତଙ୍କ ପାଇଁ ଏହା ଅତ୍ୟନ୍ତ ଦୁର୍ଲ୍ଲଭ ଓ ମୋକ୍ଷପ୍ରଦ କ୍ଷେତ୍ର ଅଟେ । ତୀର୍ଥ, ବ୍ରତ, ଯଜ୍ଞ, ଦାନରେ ଯେଉଁ ଫଳ ଲାଭ ହୁଏ, ଏସମସ୍ତ ଫଳ ଏହି ପୁରୁଷୋତ୍ତମ କ୍ଷେତ୍ରରେ ଗୋଟିଏ ଦିନ ନିବାସରେ ପ୍ରାପ୍ତ ହୁଏ । ଯିଏ ଯେଉଁ ଭାବେ ଦର୍ଶନ କରେ, ସେ ସେହି ସ୍ୱରୂପ ଦର୍ଶନରେ ଚତୁବର୍ଗ ଫଳ ଲାଭ କରେ । କୀଟ ପତଙ୍ଗାଦି ପ୍ରାଣୀମାନଙ୍କ ଠାରୁ ଆରମ୍ଭ କରି ମନୁଷ୍ୟାଦି ଦେବତାମାନଙ୍କ ପର୍ଯ୍ୟନ୍ତ ଚର୍ମ ଚକ୍ଷୁରେ ମୋତେ ଦର୍ଶନ କଲାମାତ୍ରେ ମୋର ସାଯୁଜ୍ୟକୁ ପ୍ରାପ୍ତ ହୁଅନ୍ତି ” ।

ଗୀତାରେ କହିଛନ୍ତି – ” ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ” ।

® ଅଧ୍ୟକ୍ଷ, ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ -୪
ଦୂରଭାଷ – ୯୦୪୦୧୫ ୧୪୭୫
laxmansahoo9040@gmail.com

Comments are closed.