Latest Odisha News

BREAKING NEWS

ଆରମ୍ଭରୁ ବିରୋଧୀଙ୍କ ମହାମେଣ୍ଟରେ ଫାଟ; ପ୍ରଥମ ବୈଠକରେ ବିଗିଡିଗଲା ଆପ୍

ନୂଆଦିଲ୍ଲୀ: ୨୦୨୪ ମହାସମର ପାଇଁ ବିରୋଧୀଙ୍କ ମହାମେଳିରେ ଦେଖାଦେଇଛି ଫାଟ । ଗତକାଲି ନୀତିଶ କୁମାରଙ୍କ ନେତୃତ୍ୱରେ ପାଟନାରେ ଏକାଠି ହୋଇଥିଲେ ୧୬ ବିରୋଧୀ ଦଳ । ବିଜେପି ବିରୋଧରେ ବିଷୋଦ୍ଗାର କରିଥିଲେ । ସମସ୍ତେ ଏକଜୁଟ ହୋଇ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ । ହେଲେ ବିରୋଧୀଙ୍କ ମେଣ୍ଟରେ ଦେଖିବାକୁ ମିଳିଥିଲା ଫାଟ । ଅଧାବାଟରୁ ଫିଡିକି ଯାଇଥିଲା ଆପ । ମିଳିତ ସାମ୍ବାଦିକ ସମ୍ମିଳନୀରେ ସାମିଲ ହୋଇ ନ ଥିଲା ଆପ । ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଚୁକ୍ତି ବାଢିଥିଲେ, କଂଗ୍ରେସ ପ୍ରଥମେ ଦିଲ୍ଲୀ ସରକାରଙ୍କୁ ନେଇ କେନ୍ଦ୍ର ସରକାର ଜାରି କରିଥିବା ଅଧ୍ୟାଦେଶ ଉପରେ ନିଜର ମତ ସ୍ପଷ୍ଟ କରୁ । ତା’ ପରେ ସେ ବୈଠକରେ ସାମିଲ ହେବେ ।

ଗତକାଲି ବୈଠକ ଦୀର୍ଘ ୪ ଘଣ୍ଟା ଧରି ଚାଲିଥିଲା । ବୈଠକ ପରେ ଆପ ମୁଖ୍ୟ ଅରବିନ୍ଦ କେଜରିୱାଲ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ମିଳିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇନଥିଲେ । ବିମାନ ଥିବା ଯୋଗୁ ସେମାନେ ପଳାଇଲେ ବୋଲି ନୀତିଶ କହିଥିଲେ ।

ମିଟିଂରେ ପ୍ରଥମେ ବିହାର ମଖ୍ୟମନ୍ତ୍ରୀ ନୀତିଶ କୁମାର ଦିଲ୍ଲୀକୁ ନେଇ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ, କଂଗ୍ରେସ ଏହା ଉପରେ ନିଷ୍ପତ୍ତି ନେବା ଉଚିତ । କାରଣ ଅନ୍ୟ ସମସ୍ତ ଦଳ ରାଜ୍ୟସଭାରେ ଏହି ଅଧ୍ୟାଦେଶକୁ ବିରୋଧ କରି କେଜ୍ରିୱାଲଙ୍କୁ ସମର୍ଥନ ଦେଇଥିଲେ । କେଜ୍ରିୱାଲ ମଧ୍ୟ ଗତକାଲିର ଏହି ବୈଠକରେ କଂଗ୍ରେସ ମତ ଜାଣିବାକୁ ଚାହିଁଥିଲା ।

ଅବଶ୍ୟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧି ବୈଠକରେ ବିଜେପିକୁ କୌଣସି ସମର୍ଥନ ଦେବାର ପ୍ରଶ୍ନ ଉଠୁନାହିଁ  ବୋଲି କହିଥିଲେ। ତେବେ ସେ ଏକଥା ମଧ୍ୟ କହିଥିଲେ ଯେ, କଂଗ୍ରେସ ଦଳର ନିର୍ଣୟ ନେବାର ଏକ ସ୍ୱତନ୍ତ୍ର ପ୍ରକ୍ରିୟା ରହିଛି । ହେଲେ କେଜ୍ରିୱାଲ ସେହିଠାରେ ହିଁ ନିଷ୍ପତ୍ତି ଶୁଣିବା ପାଇଁ ଅଡି ବସିଥିଲେ ।

ଅନ୍ୟପକ୍ଷେ ନାଶନାଲ କନଫରେନ୍ସ ଚିଫ ଓମାର ଅବଦୁଲା କହିଥିଲେ, ‘ଏଠାକୁ ଆମେ ଆପଣଙ୍କ ସମସ୍ୟା ଉପରେ ଚର୍ଚ୍ଚା କରିବାକୁ ଆସିନୁ, ବରଂ ବିଜେପିକୁ କିପରି ରୋକାଯିବ ତା ଉପରେ ଚର୍ଚ୍ଚା କରିବାକୁ ଆସିଛୁ ।’

ଅନ୍ୟପକ୍ଷେ ଆପ ପକ୍ଷରୁ କୁହାଯାଇଛି, ଦିଲ୍ଲୀରେ ଅଫିସରଙ୍କ ଉପରେ ନିୟନ୍ତ୍ରଣ ନେଇ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ କଂଗ୍ରେସ ଆପକୁ ସମର୍ଥନ ନକଲେ ଭବିଷ୍ୟତରେ ବିରୋଧୀଙ୍କ ବୈଠକରେ ଆପ୍ ଯୋଗ ଦେବ ନାହିଁ । ସୂଚନାଥାଉ କି, ବିରୋଧୀ ମେଣ୍ଟର ପରବର୍ତ୍ତୀ ବୈଠକ ଆସନ୍ତା ଜୁଲାଇ ୧୨ ତାରିଖରେ ସିମଲାରେ ହେବ । ଏହି ବୈଠକରେ ଟିକେଟ୍ ଭାଗବଣ୍ଟା ନେଇ ଆଲୋଚନା ହେବ ବୋଲି କୁହାଯାଉଛି ।

ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ, ଏନସିପି ମୁଖ୍ୟ ଶରଦ ପାୱାର, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ, ଆରଜେଡିର ଲାଲୁ ଯାଦବ ଓ ତେଜସ୍ୱୀ ଯାଦବ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ, ସିପିଏମ ନେତା ସିତାରାମ ୟେଚୁରୀ, ସିପିଆଇ ନେତା ଡି ରାଜା, ପିଡିପି ନେତ୍ରୀ ମହବୁବା ମୁଫତି, ଏନସି ନେତା ଉମର ଅବଦୁଲ୍ଲା ପ୍ରମୁଖ ସାମିଲ୍ ଥିଲେ ।

Leave A Reply

Your email address will not be published.