Latest Odisha News

ଦିବଂଗତ ପ୍ରଧାନଶିକ୍ଷକ ବନମାଳୀ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଜଗତସିଂହପୁର :ଆଜି ଶିକ୍ଷକ ନେତା ସ୍ୱର୍ଗତ ବନମାଳୀ ମହାନ୍ତିଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ବୋରିକିନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ତଥା ଶିକ୍ଷକ ନେତା ସ୍ୱର୍ଗତ ବନମାଳୀ ମହାନ୍ତିଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଦୁଆ ଗ୍ରାମରେ ପାଳିତ ହୋଇଯାଇଛି । ଏହି ଅବସରରେ  ଅନୁଷ୍ଠିତ ସ୍ମୃତିସଭାରେ ସ୍ୱର୍ଗତ ମହାନ୍ତିଙ୍କ ବ୍ୟକ୍ତିତ୍ୱ, ଗୁଣାବଳୀ ଆଦି ବିଭିନ୍ନ ଦିଗ ସଂପର୍କରେ ଅତିଥିମାନେ ଆଲୋଚନା କରିଥିଲେ । ସ୍ୱର୍ଗତ ବନମାଳୀ ମହାନ୍ତିଙ୍କ ସ୍ମୃତିରେ ଡକ୍ଟର ସନ୍ତୋଷ କୁମାର ମହାନ୍ତିଙ୍କଦ୍ୱାରା ସଂପାଦିତ ‘ପୁଣ୍ୟସ୍ମୃତି’ ନାମକ ଏକ ସ୍ମୃତିଲେଖ ଅତିଥିମାନେ ଉନ୍ମୋଚିତ କରିଥିଲେ ।

ବିଶିଷ୍ଟ ସାମ୍ୱାଦିକ ଓ ସ୍ତମ୍ଭକାର ଅରୁଣ କୁମାର ପଣ୍ଡା ଅତିଥି ଭାବେ ଯୋଗ ଦେଇ ସ୍ୱର୍ଗତ ମହାନ୍ତିଙ୍କ ସହ ତାଙ୍କର ଦୀର୍ଘ ବର୍ଷର ବନ୍ଧୁତା ସଂପର୍କରେ ସ୍ମୃତିଚାରଣ  କରିଥିଲେ । ଅନ୍ୟତମ ଅତିଥି ବିଶିଷ୍ଟ ଭାଷାବିତ୍ ପ୍ରଫେସର ନଟବର ଶତପଥୀ ଯୋଗ ଦେଇ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ସଂପର୍କରେ ଆଲୋଚନା କରି ସ୍ୱର୍ଗତ ମହାନ୍ତିଙ୍କ ପ୍ରାସଙ୍ଗିକତା ସଂପର୍କରେ ବିଶେଷ ଆଲୋକପାତ କରିଥିଲେ ।

ସେହିପରି ବିଶିଷ୍ଟ ସାହିତ୍ୟ ସମାଲୋଚକ ପ୍ରଫେସର ଦେବେନ୍ଦ୍ର କୁମାର ଦାଶ ସହପାଠୀ ଭାବେ ସ୍ୱର୍ଗତ ମହାନ୍ତିଙ୍କର ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ମହାନ୍ତିଙ୍କର ଶିକ୍ଷାଗୁରୁ ଜଗତ ପ୍ରସାଦ ମହାନ୍ତି ଶିକ୍ଷକ ଭାବେ ଛାତ୍ର ବନମାଳୀଙ୍କର କେତେକ ଗୁଣାବଳୀର ବର୍ଣ୍ଣନା କରିଥିଲେ । ଜଗତସିଂହପୁରର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ସ୍ୱର୍ଗତ ମହାନ୍ତିଙ୍କ ସହିତ ଥିବା ତାଙ୍କର ସ୍ମୃତି ଅନୁଭୂତି ବର୍ଣ୍ଣନା କରିଥିଲେ । ଶେଷରେ ବାଲିକୁଦା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

 

Comments are closed.