ଇସଲାମାବାଦ: ପାକିସ୍ତାନରେ ଦୀର୍ଘ ୭୫ ବର୍ଷ ଇତିହାସରେ ଏପରି କେବେ ଘଟିନଥିଲା ଯାହା ଆଜି ଘଟିଛି। ପ୍ରଥମ ଥର ପାଇଁ ଗୁଇନ୍ଦା ସଂସ୍ଥା ଆଇଏସଆଇ ବିରୋଧରେ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା ଉଦ୍ୟମର କିଛି ଘଣ୍ଟା ପରେ ପେଶୱାରରେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଛନ୍ତି। ଆଇଏସଆଇ ମୁଖ୍ୟ ମେଜର ଜେନେରାଲ ଫୈଜଲ ଇମ୍ରାନଙ୍କ ଆକ୍ରମଣ ପଛରେ ରହିଛନ୍ତି ବୋଲି ବିକ୍ଷୋଭକାରୀମାନେ ଦାବି କରିଛନ୍ତି। ପାକିସ୍ତାନର ତେହେରିକ-ଇ-ଇନସାଫ (ପିଟିଆଇ) ଦ୍ୱାରା ଆନ୍ଦୋଳନର ଏକ ଭିଡିଓ ସେୟାର କରାଯାଇଛି।
ପିଟିଆଇ ଟ୍ୱିଟ୍ କରି କହିଛି ଯେ ଇମ୍ରାନ ଖାନଙ୍କୁ ହତ୍ୟା ଧମକ ଦେଉଥିବା ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ସେତେବେଳେ ଦେଶରେ ଅବିଶ୍ୱାସର ବାତାବରଣ ସୃଷ୍ଟି ହୁଏ। ପେଶୱାରରେ କର୍ପସ କମାଣ୍ଡର ହାଉସ ସମ୍ମୁଖରେ ଲୋକଙ୍କ ବିରୋଧ ପ୍ରକୃତରେ ଏକ ଚିନ୍ତାଜନକ ପରିସ୍ଥିତି!
Protest continues in Khyber! pic.twitter.com/6TpKpwkRUY
— PTI Politics. (@PTIPoliticsss) November 4, 2022
ଇମ୍ରାନ ଖାନଙ୍କ ବିଶ୍ୱସ୍ତ ନେତା ଅସାଦ ଉମର କହିଛନ୍ତି ଯେ ଏହି ଆକ୍ରମଣ ପଛରେ ଦଳର ମୁଖ୍ୟ ତିନି ଜଣଙ୍କ ନାମ ଆଶଙ୍କା କରିଛନ୍ତି। ଯେଉଁଥିରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ନାଁ ମଧ୍ୟ ରହିଛି। ଅନ୍ୟ ଦୁଇ ଜଣ ହେଲେ ରାଣା ସନାଉଲ୍ଲା ଏବଂ ମେଜର ଜେନେରାଲ ଫୈଜଲ। ଏପରି ଆକ୍ରଣ ହୋଇପାରେ ବୋଲି ପୂର୍ବରୁ ଇମ୍ରାନ ଆଶଙ୍କା କରିଥିଲେ ବୋଲି ସେ କହିଛନ୍ତି।
ଇମ୍ରାନଙ୍କ ଉପରକୁ ଗୁଳି ଚଳାଇଥିବା ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି। ପାକିସ୍ତାନୀ ଗଣମାଧ୍ୟମର ସୂଚନା ଅନୁଯାୟୀ ଆକ୍ରମଣକାରୀ ଗିରଫ ହେବା ପରେ କହିଛି ଯେ ସେ ଇମ୍ରାନ ଖାନଙ୍କୁ ହତ୍ୟା କରିବାକୁ ଆସିଥିଲା। ସେ କହିଛି ଯେ ଇମ୍ରାନ ଖାନ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି, ତେଣୁ ସେ ତାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ଘଟଣାରେ ଅନ୍ୟତମ ଅଭିଯୁକ୍ତ ଗୁଳିମାଡରେ ପ୍ରାଣ ହରାଇଛି। ଯାହାର ନାମ ନଭିଦ। ସେ ଏକେ୪୭ ବନ୍ଧୁକରେ ଇମ୍ରାନଙ୍କ ଉପରକୁ ଗୁଳି ଚଳାଇଥିଲା।
ପାକିସ୍ତାନର ପେଶାଓ୍ୱାରର ୱାଜିରାବାଦର ଆଲ୍ଲା ହୋ ଚକ୍ ନିକଟରେ ପିଟିଆଇ ଦଳର ସଭାପତି ଇମ୍ରାନ ଖାନ ଶୋଭାଯାତ୍ରା କରି ଯାଉଥିଲେ। ଏହି ସମୟରେ କଣ୍ଟେନର ଟ୍ରକ ଉପରେ ଇମ୍ରାନ ଓ ଅନ୍ୟମାନେ ଛିଡା ହୋଇଥିଲେ। ଏହି ସମୟରେ ଦୁର୍ବୃତ୍ତ ଗୁଳି ମାଡ କରିଥିଲେ। ଯଦିଓ ଇମ୍ରାନ ଖାନ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଲେ ତାଙ୍କ ଗୋଡରେ ଗୁଳି ବାଜିଛି। ତାଙ୍କ ଡାହାଣ ଗୋଡରେ ଏକ ବ୍ୟାଣ୍ଡେଜ୍ ଲାଗିଥିବା ଦେଖିବାକୁ ମିଳିଛି। ଆକ୍ରମଣ ପରେ ଇମ୍ରାନ ଖାନଙ୍କୁ ତାଙ୍କ କଣ୍ଟେନରରୁ ବାହାର କରି ବୁଲେଟ୍ ପ୍ରୁଫ୍ କାରରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
Comments are closed.