Latest Odisha News

BREAKING NEWS

କର୍ଣ୍ଣାଟକରେ ଓଡ଼ିଆ ପର୍ଯ୍ୟଟକଙ୍କୁ ହତ୍ୟା, ଇସ୍ରାଏଲୀ ମହିଳାଙ୍କୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ:କର୍ଣ୍ଣାଟକରେ ଅତ୍ୟନ୍ତ ଅଭାବନୀୟ ଘଟଣା । ଜଣେ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ବେଳେ ସାଥିରେ ଥିବା ଜଣେ ଓଡ଼ିଆ ପର୍ଯ୍ୟଟକଙ୍କୁ କେନାଲକୁ ଠେଲି ଦିଆଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତ ଓଡ଼ିଆ ପର୍ଯ୍ୟଟକଙ୍କ ପରିଚୟ ମିଳିଛି, ତାଙ୍କ ନାଁ ହେଲା ବିଭାସ । ପରିବାର ଲୋକ ପହଞ୍ଚିଥିବା ସୂଚନା ମିଳିଛି । ଗଣଦୁଷ୍କର୍ମର ଶିକାର ହୋଇଥିବା ଇସ୍ରାଏଲୀ ମହିଳାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି । କର୍ଣ୍ଣାଟକ କୋପାଲ ଜିଲ୍ଲା ଏସପି ରାମ୍ ଏଲ୍ ଆରାସିଦ୍ଦି କହିଛନ୍ତି ଯେ ଗୁରୁବାର ରାତିରେ ଜଣେ ଇସ୍ରାଏଲୀ ମହିଳା ପର୍ଯ୍ୟଟକ ଓ ଅନ୍ୟ ୩ ପୁରୁଷ ପର୍ଯ୍ୟଟକ, ସେମାନଙ୍କ ହୋମ୍ ଷ୍ଟେ ମାଲିକାଣୀଙ୍କ ସହ ମିଶି କର୍ଣ୍ଣାଟକ କୋପାଲ ଜିଲ୍ଲାର ତୁଙ୍ଗଭଦ୍ରା ବାମ କେନାଲ କୂଳରେ ଭ୍ରମଣ କରୁଥିଲେ ।

୫ ଜଣ ଯାକ ସନାପୁର ପାଖ କେନାଲ କୂଳରେ ଚାଲୁଥିବା ବେଳେ ହଠାକ୍ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ପର୍ଯ୍ୟଟକମାନଙ୍କୁ ପଚାରିଥିଲେ କେଉଁଠି ପେଟ୍ରୋଲ ମିଳିବ । ଏଥିସହ ପ୍ରତି ପର୍ଯ୍ୟଟକଙ୍କଠାରୁ ଶହେ ଟଙ୍କା ଲେଖାଏଁ ମାଗିଥିଲେ । ପର୍ଯ୍ୟଟକମାନେ ଟଙ୍କା ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ୩ ଜଣ ପୁରୁଷ ପର୍ଯ୍ୟଟକଙ୍କୁ କେନାଲ ଭିତରକୁ ଠେଲି ଦେଇ, ଦୁଇ ମହିଳା ପର୍ଯ୍ୟଟକଙ୍କ ସହ ଜବରଦସ୍ତ ଦୁଷ୍କର୍ମ କରିଥିଲେ ଦୁର୍ବୃତ୍ତମାନେ ।

କେନାଲ ଭିତରେ ପଡ଼ିଯାଇଥିବା ୩ ଜଣଙ୍କ ମଧ୍ୟରୁ ଜଣେ ଆମେରିକୀୟ ନାଗରିକ ଡାନିଏଲ ଏବଂ ମହାରାଷ୍ଟ୍ରର ପଙ୍କଜ, କୌଣସି ମତେ ପହଁରି ପହଁରି କୂଳକୁ ଚାଲି ଆସିଥିଲେ । କିନ୍ତୁ ଓଡ଼ିଶାର ପର୍ଯ୍ୟଟକ ବିଭାସ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି କରିବା ପରେ ଶନିବାର ସକାଳୁ ବିଭାସଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ ଓ ଅଗ୍ନିଶମ ବାହିନୀ । ଇସ୍ରାଏଲୀ ମହିଳାଙ୍କ ସହ ଦୁଷ୍କର୍ମର ଶିକାର ହୋଇଥିବା ହୋମ୍ ଷ୍ଟେ ମାଲିକାଣୀଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି । ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିବା କୋପାଲ ଏସପି କହିଛନ୍ତି ।

Comments are closed.