Latest Odisha News

BREAKING NEWS

Raw Milk: କଞ୍ଚା କ୍ଷୀର ପିଉଛନ୍ତି କି? ସାବଧାନ୍!

ଭୁବନେଶ୍ବର: ଶକ୍ତି ବଢିବା ନାଁରେ ପିଉଛନ୍ତି କି କଞ୍ଚା କ୍ଷୀର?

ଆଜିଠୁ ହିଁ ହୋଇଯାଆନ୍ତୁ ସତର୍କ!

ଶରୀର ପାଇଁ ଆଣିପାରେ ବଡ ବିପଦ!

କଞ୍ଚା କ୍ଷୀର ପିଇଲେ ଶରୀରକୁ ଅଧିକ ପୋଷଣ ମିଳେ! ଥଣ୍ଡା, ଆଲର୍ଜି, ଆଜ୍‌ମା ଏବଂ ହଜମ ସମସ୍ୟା ମଧ୍ୟ ଦୂର ହୁଏ! ଏଭଳି ଅନେକ ଦାବି ଓ ଘରୋଇ ଉପଚାର ବିଷୟରେ ଆମେ ପିଲାଦିନରୁ ମାଆ ଓ ଜେଜେମାଆଙ୍କଠାରୁ ଶୁଣିଆସିଛୁ। ଅନେକ ସମୟରେ ଅଳ୍ପ ବହୁତ ଗାଈ କିମ୍ବା ମଇଁଷିଠାରୁ ଦୁହାଁ ହୋଇ ଆସିଥିବା ତାଜା ଫେଣଯୁକ୍ତ କ୍ଷୀର ମଧ୍ୟ ଆପଣମାନେ ନିଶ୍ଚୟ ପିଇଥିବେ । କିନ୍ତୁ ଏହି ଦାବି ପଛରେ କେତେ ସତ୍ୟତା ରହିଛି? ବିନା ଫୁଟାଇ କିମ୍ବା ପାଶ୍ଚୁରାଇଜେସନ୍ ନକରି କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ସତରେ ଲାଭଦାୟକ କି? ଏନେଇ ବିଜ୍ଞାନ ଓ ଗବେଷଣା କିନ୍ତୁ ଭିନ୍ନ କଥା କହୁଛି ।

ତେବେ ଗାଈ, ମଇଁଷି କିମ୍ବା ଅନ୍ୟ ପଶୁଙ୍କଠାରୁ କ୍ଷୀର ଦୁହିଁବା ପରେ ଏହାକୁ କୌଣସି ପାଶ୍ଚୁରାଇଜେସନ୍ ପ୍ରକ୍ରିୟାରେ ନପକାଇ ସିଧାସଳଖ ବ୍ୟବହାର କଲେ ତାହାକୁ କଞ୍ଚା କ୍ଷୀର କୁହାଯାଏ। ଅନ୍ୟପଟେ, ବଜାରରେ ମିଳୁଥିବା ପାଶ୍ଚୁରାଇଜ୍‌ଡ କ୍ଷୀରକୁ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଗରମ କରାଯାଇ କ୍ଷତିକାରକ ଜୀବାଣୁ ନଷ୍ଟ କରାଯାଏ। ପାଶ୍ଚୁରାଇଜେସନ୍ ପ୍ରକ୍ରିୟାରେ କ୍ଷୀରକୁ ଅତି କମ୍‌ରେ ୭୨ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ୧୫ ସେକେଣ୍ଡ ଗରମ କରାଯାଏ। ଏହାଦ୍ୱାରା ଲିଷ୍ଟେରିଆ ଓ ସାଲମୋନେଲା ଭଳି ବିପଜ୍ଜନକ ବ୍ୟାକ୍ଟେରିଆ ନଷ୍ଟ ହୋଇଥାନ୍ତି। କଞ୍ଚା କ୍ଷୀରରେ ଏହି ଜୀବାଣୁ ରହିଲେ ଗୁରୁତର ସଂକ୍ରମଣ ହୋଇପାରେ। ଏପରିକି ସୁସ୍ଥ ବ୍ୟକ୍ତି ମଧ୍ୟ ଗୁରୁତର ଅସୁସ୍ଥ ହୋଇପାରନ୍ତି। ବିଶେଷ କରି ଗର୍ଭବତୀ ମହିଳା, ଛୋଟ ପିଲା, ବୟସ୍କ ଏବଂ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କ ପାଇଁ କଞ୍ଚା କ୍ଷୀର ଅଧିକ ବିପଜ୍ଜନକ। ତେଣୁ ଏହି ବର୍ଗର ଲୋକଙ୍କୁ କଞ୍ଚା କ୍ଷୀର ପିଇବାଠାରୁ ଦୂରେଇ ରହିବା ଉଚିତ।

ତେବେ କଞ୍ଚା କ୍ଷୀରକୁ ନେଇ ଅନେକ ଯୁକ୍ତି ବାଢନ୍ତି ଯେ, ଗରମ କଲେ କ୍ଷୀରର ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ। କିନ୍ତୁ ଗବେଷଣା ଅନୁସାରେ, ପାଶ୍ଚୁରାଇଜେସନ୍ ଦ୍ୱାରା ପ୍ରୋଟିନ୍‌ର ଗୁଣବତ୍ତା କିମ୍ବା କ୍ୟାଲସିୟମ୍‌ର ପରିମାଣରେ ବିଶେଷ ପରିବର୍ତ୍ତନ ହୁଏନାହିଁ। କେତେକ ତାପ ସମ୍ବେଦନଶୀଳ ଭିଟାମିନ୍‌ରେ ସାମାନ୍ୟ ହ୍ରାସ ହୋଇପାରେ। ହେଲେ ଏହାଦ୍ୱାରା କ୍ଷୀରର ସାମଗ୍ରିକ ପୋଷଣ ଗୁଣରେ ବଡ଼ ଫରକ ପଡ଼େନାହିଁ। ଏଥିସହିତ କଞ୍ଚା କ୍ଷୀର ପିଇଲେ ପିଲାଙ୍କଠାରେ ଗାଈ କ୍ଷୀରଜନିତ ଆଲର୍ଜି ଓ ଆଜ୍‌ମାର ଆଶଙ୍କା କମେ ବୋଲି କିଛି ଦାବି ରହିଛି। କିଛି ଗବେଷଣାରେ ପଶୁ ଓ ଫାର୍ମ ପରିବେଶରେ ବଢ଼ୁଥିବା ପିଲାଙ୍କଠାରେ ଆଲର୍ଜିର ଆଶଙ୍କା କମ୍ ଥିବା ଦେଖାଯାଇଛି। କିନ୍ତୁ ଏହାର ସିଧାସଳଖ ସମ୍ପର୍କ କଞ୍ଚା କ୍ଷୀର ପିଇବା ସହ ପ୍ରମାଣିତ ହୋଇନାହିଁ।

କେତେକଙ୍କ ମତରେ କଞ୍ଚା କ୍ଷୀର ପିଇଲେ ଲାକ୍ଟୋଜ୍ ଇନଟଲରାନ୍ସ ସମସ୍ୟା କମିଥାଏ। କିନ୍ତୁ ଏହାର କୌଣସି ଠୋସ୍ ବୈଜ୍ଞାନିକ ପ୍ରମାଣ ନାହିଁ। ଶରୀରରେ ଲାକ୍ଟେଜ୍ ଏନଜାଇମ୍‌ର ଅଭାବ ଯୋଗୁଁ ଏହି ସମସ୍ୟା ହୋଇଥାଏ। କଞ୍ଚା କ୍ଷୀରରେ ମଧ୍ୟ ଲାକ୍ଟୋଜ୍ ରହିଥାଏ ଏବଂ ଏହା ପିଇଲେ ହଜମ ସମସ୍ୟା ଦୂର ହେବାର ପ୍ରମାଣ ମିଳିନାହିଁ। ଅବଶ୍ୟ କଞ୍ଚା କ୍ଷୀରରେ ଭଲ ବ୍ୟାକ୍ଟେରିଆ ଥାଏ, ଯାହା ଅନ୍ତନଳୀର ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି କୁହାଯାଏ। କିନ୍ତୁ ଗବେଷଣାରେ ଏହି ଉପକାରୀ ବ୍ୟାକ୍ଟେରିଆର ପରିମାଣ କମ୍ ଥିବା ଜଣାପଡ଼ିଛି। ଏହା ବଦଳରେ କ୍ଷତିକାରକ ଜୀବାଣୁ ରହିବାର ଆଶଙ୍କା ଅଧିକ। ଏହାବ୍ୟତୀତ, ଗାଈଠାରୁ କ୍ଷୀର ଦୁହିଁବା ସମୟରେ ପରିଷ୍କାର ପରିଚ୍ଛନ୍ନତା ରକ୍ଷା ନକଲେ ସେଥିରେ ଧୂଳି, ମଇଳା ଓ ଅନ୍ୟାନ୍ୟ ବାହ୍ୟ ପଦାର୍ଥ ମିଶିପାରେ। ଏପରିକି ଗାଈର ଲୋମ ମଧ୍ୟ କ୍ଷୀରରେ ପଡ଼ିପାରେ। ଏହାଠାରୁ ବଡ଼ ବିପଦ ହେଉଛି, ଦୂଷିତ କଞ୍ଚା କ୍ଷୀରରେ ରୋଗ ସୃଷ୍ଟିକାରୀ ଜୀବାଣୁ ରହିପାରନ୍ତି, ଯାହା ଶରୀରରେ ସଂକ୍ରମଣ ସୃଷ୍ଟି କରିପାରେ।

ଅଷ୍ଟ୍ରେଲିଆରେ ମଣିଷଙ୍କ ପିଇବା ପାଇଁ କଞ୍ଚା କ୍ଷୀର ବିକ୍ରି ବେଆଇନ। କିଛି ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ ପ୍ରସ୍ତୁତ ବିନା ପାଶ୍ଚୁରାଇଜେସନ୍‌ର ପନିରକୁ ନିରାପତ୍ତା ମାନଦଣ୍ଡ ପୂରଣ କଲେ ବିକ୍ରି ଅନୁମତି ମିଳିଥାଏ। କସମେଟିକ୍ ବ୍ୟବହାର ପାଇଁ ମଧ୍ୟ କଞ୍ଚା କ୍ଷୀର ବିକ୍ରି ହୋଇପାରେ। ହେଲେ ତାହା ମଣିଷ ପିଇବା ପାଇଁ ନୁହେଁ ବୋଲି ସ୍ପଷ୍ଟ ଲେଖିବା ଜରୁରୀ।

ତେବେ କଞ୍ଚା କ୍ଷୀର ପିଇବା ଉଚିତ ନା କ୍ଷୀରକୁ ଫୁଟାଇ ପିଇବା ଭଲ? କଞ୍ଚା କ୍ଷୀର ପାଶ୍ଚୁରାଇଜ୍‌ଡ କ୍ଷୀରଠାରୁ ଅଧିକ ପୌଷ୍ଟିକ କିମ୍ବା ଅଧିକ ସ୍ୱାସ୍ଥ୍ୟ ଉପକାରୀ ବୋଲି ଏଯାଏଁ କୌଣସି ଦୃଢ଼ ବୈଜ୍ଞାନିକ ଆଧାର ମିଳିନାହିଁ। ବରଂ କଞ୍ଚା କ୍ଷୀରରେ ଥିବା ଲିଷ୍ଟେରିଆ ଓ ସାଲମୋନେଲା ଭଳି ଜୀବାଣୁ ଗୁରୁତର ସଂକ୍ରମଣର କାରଣ ହୋଇପାରନ୍ତି। ତେଣୁ ସିଧାସଳଖ ଦୁହାଁ ହୋଇଥିବା କଞ୍ଚା କ୍ଷୀର ପିଇବା ଅପେକ୍ଷା ଏହାକୁ ଭଲଭାବେ ଫୁଟାଇ ପିଇବା ଅଧିକ ସୁରକ୍ଷିତ। ଆଉ ବଜାରରୁ ପାଶ୍ଚୁରାଇଜ୍‌ଡ କ୍ଷୀର ଆଣୁଥିଲେ ତାହାକୁ ଅନାବଶ୍ୟକ ଭାବେ ବାରମ୍ବାର ଫୁଟାଇବା ଦରକାର ନାହିଁ। ମନେ ରଖନ୍ତୁ, ଅଧିକ ପୋଷଣର ଆଶାରେ ସ୍ୱାସ୍ଥ୍ୟକୁ ବିପଦରେ ପକାଇବା ଅପେକ୍ଷା ସୁରକ୍ଷିତ କ୍ଷୀର ପିଇବା ହିଁ ସବୁଠାରୁ ଭଲ ନିଷ୍ପତ୍ତି।

Leave A Reply

Your email address will not be published.