Latest Odisha News

ବିଜେଡି କଳି…କାହିଁକି ଆକ୍ସନ୍ ହେବନି କୁହ?

ଭୁବନେଶ୍ବର: ଉଠୁଛି ପଡୁଛି ରାଜଧାନୀ ରାଜନୀତି । ଭୁବନେଶ୍ବର ବିଜେଡିରେ କିଏ କରୁଛି ବିଶୃଙ୍ଖଳା? ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା କଳି ତୁଟିବାର ନାଁ ନେଉନି । ପ୍ରଥମେ ଟିକେଟ୍ ଲବି ତ ପରେ କର୍ପୋରେଟର କଳିକୁ ନେଇ ବିସ୍ଫୋରକ ବୟାନ । ଭୁବନେଶ୍ବର ବିଜେଡିରେ ଅନ୍ତକନ୍ଦଳ ବିଭିନ୍ନ ସମୟରେ ପଦାରେ ପଡିଛି। କିଛି ଦିନ ତଳେ ତ ଥାନାରେ ପହଞ୍ଚିଥିଲା ଦଳ ଭିତରର ବିବାଦ । ସୋମବାର ଗୋଟେପଟେ ଦଳର ୨୫ରୁ ୩୦କର୍ପୋରେଟର ବସରେ ପୁରୀ ଲୋକନାଥ ଦର୍ଶନ କରିବାକୁ ଯାଇଥିଲେ ତ ଅନ୍ୟପଟେ ୪ବିଜେଡି ନେତାଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

କଳି ପରେ କାରଣ ଦର୍ଶାଅ

ଭୁବନେଶ୍ବର ବିଜେଡିରେ ଅନ୍ତକନ୍ଦଳ ପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଦଳ । ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତଙ୍କ ପକ୍ଷରୁ ୪ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ବିଜେଡି କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୁପକାରଙ୍କ ସହ ବିଜେଡି ନେତା ରାକେଶ ପାତ୍ର ଓ ବିଜୁ ଛାତ୍ର ଜନତା ଦଳ ନେତା ବିବେକ ସ୍ବାଇଁଙ୍କୁ ନୋଟିସ୍ ଜାରି କରାଯାଇଛି । ସେମାନଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ, ସେନେଇ ୧୫ଦିନ ଭିତରେ ଉତ୍ତର ଦେବାକୁ ନୋଟିସରେ କୁହାଯାଇଛି ।

‘ଦଳରେ ଫାଟ ସୃଷ୍ଟି କରିନୁ’

ନୋଟିସ୍ ହେବା ପରେ କେବେବି ବିଜେଡିରେ ଫାଟ ସୃଷ୍ଟି କରିନଥିବା କର୍ପୋରେଟର ଅମରେଶ ଜେନା କହିଛନ୍ତି । ଭୁବନେଶ୍ବରରେ ଯାହା ଘଟିଛି ସମସ୍ତଙ୍କୁ ଜଣାଅଛି । ସମସ୍ତଙ୍କ ସହଯୋଗରେ ଦଳ ଏତେ ଉପରକୁ ଉଠିଛି । ବିଜେଡିରେ କେବଳ ନବୀନଙ୍କ ଗୋଟି ଚାଳନା କାମଦିଏ ବୋଲି ଅମରେଶ କହିଛନ୍ତି । ସେହିପରି ବିରଞ୍ଚି ନାରାୟଣ ମହାସୁପକାର ବି କୌଣସି ବିଶୃଙ୍ଖଳା କିମ୍ବା ଦଳ ବିରୋଧୀ କାମ କରିନଥିବା କହିଛନ୍ତି। ଖାଲି ସେମାନଙ୍କୁ ନୁହେଁ ଅନ୍ୟମାନଙ୍କୁ ବି ନୋଟିସ୍ ହେଉ । ଯିଏ ଭୁଲ କରିଛି ସମସ୍ତଙ୍କ ପ୍ରତି ସମାନ ଆଇନ ଲାଗୁ ହେଉ ବୋଲି ବିରଞ୍ଚି କହିଛନ୍ତି ।

ବସରେ ପୁରୀ ଗଲେ କର୍ପୋରେଟର

କର୍ପୋରେଟର କଳିକୁ ନେଇ ରାଜଧାନୀର ପାରଦ ବଢିଥିବା ବେଳେ ୨୫ରୁ ୩୦ କର୍ପୋରେଟର ଏକ ବସରେ ପୁରୀ ଯାଇଛନ୍ତି । ସେମାନେ ଅମରେଶ ଜେନା ଓ ବିରଞ୍ଚି ମହାସୂପକାରଙ୍କୁ ବିରୋଧ କରି ପୁରୀ ଲୋକନାଥ ମନ୍ଦିର ଦର୍ଶନ ପାଇଁ ଯାଇଥିବା କୁହାଯାଉଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ କାମନା କରିବାକୁ ଲୋକନାଥ ମନ୍ଦିର ଯାଇଥିବା କହିଛନ୍ତି କର୍ପୋରେଟର । ହେଲେ ପ୍ରକୃତ କାରଣ ଭିନ୍ନ ବୋଲି ଚର୍ଚ୍ଚା ହେଉଛି ।

କୁହୁଳୁଛି ପାଉଁଶ ତଳର ନିଆଁ

ନିର୍ବାଚନ ପୂର୍ବରୁ ହିଁ ଭୁବନେଶ୍ବର ବିଜେଡିରେ ଅସନ୍ତୋଷର ନିଆଁ କୁହୁଳୁଛି । ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ଅନନ୍ତ ଜେନା ଓ ଅମରେଶ ଜେନାଙ୍କ ମଧ୍ୟରେ ଟିକେଟ ପାଇଁ ଟକ୍କର ତ ଏକାମ୍ରରେ ଅଶୋକ ପଣ୍ଡା ଓ ବିରଞ୍ଚି ନାରାୟଣ ମହାସୁପକାର ମୁହାଁମୁହିଁ ହୋଇଥିଲେ। ଶେଷରେ ଅନନ୍ତ ଜେନା ଓ ଅଶୋକ ପଣ୍ଡା ନିର୍ବାଚନ ଲଢିଲେ । ହେଲେ ବିଦ୍ରୋହର ଫଳ ଭୋଗିଲା ବିଜେଡି । ଏକାମ୍ର ବିଜେଡି ହାତରୁ ଗଲା ତ ଅଳ୍ପକେ ଜିତିଲେ ଅନନ୍ତ ଜେନା। ଏହାପରଠୁ ରାଜଧାନୀ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହୋଇଛି। ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଓ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ଜେନା ନିଜ ପତିଆରା ବଢାଇବାକୁ ଦଳୀୟ କର୍ପୋରେଟରଙ୍କୁ ଭାଗ ଭାଗ କରିବାକୁ ଉଦ୍ୟମ କରୁଥିବା ଅମରେଶ ଜେନା ଅଭିଯୋଗ କରିଥିଲେ। ଏପରିକି ଦଳରେ ବିଭୀଷଣଙ୍କୁ ନେଇ ବୟାନ ଦେଇଥିଲେ । ଏହାପରେ ଭୁବନେଶ୍ବରର ଏକ ହୋଟେଲରେ ୨୪ଜଣ ବିଜେଡି କର୍ପୋରେଟର ଏକାଠି ହୋଇଥିଲେ । କିଛି ଦିନ ତଳେ ଶଙ୍ଖଭବନରେ ବସିଥିବା ବୈଠକରେ ଜୋରଦାର ହୋହଲ୍ଲା ହୋଇଥିଲା । ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନାଁ ନନେଇ ତାଙ୍କୁ ଟାର୍ଗେଟ୍ କରିଥିଲେ ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୁପକାର । ପରେ ଅଶୋକ ପଣ୍ଡା ଓ ରାକେଶ ପାତ୍ରଙ୍କ ନାଁରେ ଥାନାରେ ଫେରାଦ ହୋଇଥିଲେ ବିରଞ୍ଚିଙ୍କ ସମର୍ଥକ। ଦିନକୁ ଦିନ ଭୁବନେଶ୍ବର କଳି ବଢୁଥିବା ବେଳେ ସମସ୍ତଙ୍କୁ ଏକାଠି ରଖିବା ବିଜେଡି ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି ।

Leave A Reply

Your email address will not be published.