Latest Odisha News

BREAKING NEWS

କୁହୁଡି କାରଣରୁ ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା, ୨ ମୃତ ୧୭ ଆହତ

କଟକ/ମୟୂରଭଞ୍ଚ/ବାଲେଶ୍ୱର: ଆଜି ସକାଳୁ ରାଜ୍ୟର ପୃଥକ ପୃଥକ ସ୍ଥାନରୁ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଯେଉଁଥିରେ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଅନେକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ଭିନ୍ନ ଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଆଜି ଭୋର ସମୟରେ ବାଲେଶ୍ୱର ଜିଲ୍ଲା ସୋର ଥାନା ଦହିସଡା ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତା ଉପରେ ଠିଆ ହୋଇଥିବା ଏକ ବାଲି ବୋଝେଇ ଡମ୍ପରକୁ ପଛରୁ ପିଟିଥିଲା ବରଯାତ୍ରୀ ଧରି ଫେରୁଥିବା ଏକ ବୋଲେରୋ । ଏଥିରେ ୭ ଜଣ ଗୁରୁଜଣ ହୋଇଛନ୍ତି । ସମସ୍ତଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ୯ ଜଣ ବରଯାତ୍ରୀଙ୍କୁ ଧରି କଟକରୁ ପାରଦୀପା ଗାଁ ଅଭିମୁଖେ ଫେରୁଥିଲା ଏହି ବୋଲେରୋ ।

ସେହିପରି କଟକ-ଚାନ୍ଦବାଲି ରାସ୍ତାରେ ଘଟିଛି ଦୁର୍ଘଟଣା । କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ ଏକ ବାଇକ୍‌କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଦୁଇ ବାଇକ୍‌ ଆରୋହୀ ଗୁରୁତର ହୋଇଥିଲେ । ସେମାନଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ତାଟ ନିକଟରେ ଦୁର୍ଘଟଣା ଘଟିଛି । ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ବରଯାତ୍ରୀ ବସ୍ । ଯେଉଁଥିରେ ୧୦ରୁ ଅଧିକ ବରଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ବସ୍‌ରେ ମୋଟ ୪୧ ଜଣ ବରଯାତ୍ରୀ ଥିଲେ ।

Leave A Reply

Your email address will not be published.