Latest Odisha News

BREAKING NEWS

ଭବାନୀପାଟଣାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ ହସ୍‌ପିଟାଲ ଉଦ୍‌ଘାଟିତ

ଭୁବନେଶ୍ବର : ଭବାନୀପାଟଣାରେ ଉଦଘାଟିତ ହୋଇଛି ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ ହସ୍‌ପିଟାଲ । ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଭବାନୀପାଟଣାରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ଉଦ୍‌ଘାଟନ କରିଛନ୍ତି । ଏଥିରେ ୧୬ଟି ଆଇସିୟୁ ଓ ୧୬ଟି ଏଚଡିୟୁ ଶଯ୍ୟା ସହିତ ଏକ ସ୍ବତନ୍ତ୍ର ଶିଶୁ ଚିକିତ୍ସା ୱାର୍ଡ ରହିଛି । ଏଥିରେ ସମସ୍ତ ପ୍ରକାର ଆଧୁନିକ ଚିକିତ୍ସା ଉପକରଣ ରଖାଯାଇଛି । ଏହାଦ୍ବାରା କଳାହାଣ୍ଡି ଓ ଆଖପାଖ ଅଞ୍ଚଳର ଲୋକମାନେ ଉନ୍ନତମାନର କୋଭିଡ ଚିକିତ୍ସା ପାଇପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ହସ୍‌ପିଟାଲ ପାଇଁ ବେଦାନ୍ତ ଗ୍ରୁପ ତଥା ଏହାର ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ହସ୍‌ପିଟାଲରେ ଚିକିତ୍ସା ଠାରୁ ଆରମ୍ଭ କରି ରୋଗ ନିରୂପଣ, ଔଷଧ, ଖାଦ୍ୟ ଆଦି ସବୁ ମାଗଣାରେ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏକବିଂଶ ଶତାଦ୍ଦୀର କଳାହାଣ୍ଡି ବିଂଶ ଶତାଦ୍ଦୀର କଳାହାଣ୍ଡି ଠାରୁ ବହୁତ ଆଗକୁ ଯାଇପାରିଛି । ଗତ ଦୁଇ ଦଶକ ମଧ୍ୟରେ ବିକାଶର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି କରିଛି । ଏ ରୂପାନ୍ତର ବାସ୍ତବିକ ଉଲ୍ଲେଖନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କୋଭିଡ ମୁକାବିଲାରେ ରାଜ୍ୟର ପଦକ୍ଷେପ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ କିଛି ଦିନ ମଧ୍ୟରେ ରାଜ୍ୟରେ ୧୫ଟି ଅକ୍ସିଜେନ ପ୍ଲାଣ୍ଟ ପାଇଁ କାମ ଆରମ୍ଭ ହୋଇଛି । ଆଗାମୀ ଦୁଇ ମାସ ମଧ୍ୟରେ ଏଥିରୁ ଉତ୍ପାଦନ ଆରମ୍ଭ ହେବ । କୋଭିଡର ଦ୍ବିତୀୟ ଲହରରେ ରୋଗୀମାନଙ୍କ ପାଇଁ ଅକ୍ସିଜେନ୍ ସଙ୍କଟ ଦେଖା ଦେଇଥିଲା । ଏଭଳି ସମୟରେ ଓଡ଼ିଶା ୧୮ଟି ରାଜ୍ୟକୁ ଅକ୍ସିଜେନ ଯୋଗାଇ ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇପାରିଛି । ଏଭଳି ସଂକଟ ସମୟରେ ମାନବତାର ସେବା ପାଇଁ ସୁଯୋଗ ପାଇବା ଓଡ଼ିଶାବାସୀଙ୍କ ପାଇଁ ସମ୍ମାନର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କୋଭିଡର ଦ୍ବିତୀୟ ଲହରର ମୁକାବିଲାରେ କଳାହାଣ୍ଡିବାସୀ ଯେପରି ସାହସ ପ୍ରଦର୍ଶନ କରିଛନ୍ତି, ସେଥିପାଇଁ ଜିଲ୍ଲାବାସୀଙ୍କୁ ତଥା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡୀ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । ସେହିପରି ତୃତୀୟ ଲହର ପାଇଁ ଏବେଠାରୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କୁ ଡବଲ ମାସ୍କ ପିନ୍ଧିବା ସହିତ ଟିକା ନିଶ୍ଚୟ ନେବା ପାଇଁ ନିବେଦନ କରିଛନ୍ତି । କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଗ ଦେଇ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଶ୍ରୀ ଅନିଲ ଅଗ୍ରୱାଲ କଳାହାଣ୍ଡିର ବିକାଶ ଏବଂ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.