ଭୁବନେଶ୍ବର: ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଶ୍ଵରୀ ମନ୍ଦିରର ବିକାଶ ପାଇଁ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ମା’ ସମଲେଶ୍ଵରୀ ମନ୍ଦିରର ବିକାଶ ପାଇଁ ୨ ଶହ କୋଟି ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି ସରକାର । ଏନେଇ ୨୦୦ କୋଟିର ‘ସମଲେଇ ଯୋଜନା’ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମା’ ସମଲେଇଙ୍କ ମନ୍ଦିର ଅଞ୍ଚଳର ବିକାଶ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତ ଚିଠା ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଉପସ୍ଥାପନା କରାଯାଇଥିଲା ।
୨୦୨୧-୨୨ ଆର୍ଥିକ ବର୍ଷରେ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସମଲେଶ୍ବରୀଙ୍କ ପୀଠ ତଥା ଆଖପାଖର ୧୦୮ ଏକର ଜମିରେ ବିକାଶ କରାଯିବ । ଏହି ଯୋଜନାରେ ମା’ଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ, ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ତଥା ପର୍ଯ୍ୟଟକ ଓ ଭକ୍ତଙ୍କ ପାଇଁ ଏକ ଅନନ୍ୟ ଅନୁଭୂତି ହେବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ କରିବ ।
୧. ମା’ଙ୍କ ମନ୍ଦିରର ସୁରକ୍ଷା ଓ ବିକାଶ…
ମା’ଙ୍କ ମନ୍ଦିରକୁ ଆସୁଥିବା ଭକ୍ତମାନେ ଯେଭଳି ସୁବିଧାରେ ମା’ଙ୍କର ଦର୍ଶନ କରିପାରିବେ, ସେଥିପାଇଁ ଧାଡି ପରିଚାଳନା ବ୍ୟବସ୍ଥା, ବିଭିନ୍ନ ଧାର୍ମିକ ଉତ୍ସବ ଅନୁଷ୍ଠାନ ପାଇଁ ସ୍ଥାନ ସହିତ ଭୋଗମଣ୍ଡପ ଓ ପୂଜାରୀଙ୍କ ବିଶ୍ରାମଗୃହ ନିର୍ମାଣ କରାଯିବ ।
ମନ୍ଦିରର ଚାରି ଦିଗରେ ୪ଟି ସୁଦୃଶ୍ୟ ଐତିହ୍ୟ ଦ୍ବାର ନିର୍ମାଣ କରାଯିବ । ଭକ୍ତମାନେ ପୂର୍ବ ଦ୍ବାର ଦେଇ ମନ୍ଦିରକୁ ପ୍ରବେଶ କରିବେ ଏବଂ ଅନ୍ୟ ୩ଟି ଦ୍ବାର ଦେଇ ବାହାରକୁ ବାହାରିବେ ।
ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ବାର ପାଖରେ ମନ୍ଦିର କାର୍ଯ୍ୟାଳୟ, ଇଣ୍ଟରପିଟେସନ ସେଣ୍ଟର ଏବଂ ଜନସାଧାରଣଙ୍କ ପାଇଁ ଜରୁରୀ ସୁବିଧାର ବିକାଶ କରାଯିବ । ମନ୍ଦିର ନିକଟରେ ଅବସ୍ଥିତ ଗୋପାଳଜୀ ମଠର ସଂରକ୍ଷଣ କରାଯିବ ଏବଂ ଏହାର ବିକାଶକୁ ମୂଳ ଯୋଜନା ସହ ସମନ୍ବିତ କରାଯିବ ।
୨. ଐତିହ୍ୟ କରିଡ଼ର…
ମନ୍ଦିର ଚାରିପଟେ ଭକ୍ତ ଯେପରି ସୁବିଧାରେ ପରିକ୍ରମା କରିପାରିବେ, ସେଥିପାଇଁ ୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ପାଦଚଲା ରାସ୍ତା ନିର୍ମାଣ କରାଯିବ । ସମ୍ବଲପୁରର ଜଳବାୟୁକୁ ଦୃଷ୍ଟିରେ ରଖି ପରିକ୍ରମା ପଥରେ ଛାୟାପ୍ରଦ ବୃକ୍ଷ ଆଦି ରୋପଣ କରାଯିବ ।
୩. ଯାତ୍ରୀ ସୁବିଧା…
ଯାତ୍ରୀଙ୍କ ପାଇଁ ସେଠାରେ ପର୍ଯ୍ୟାପ୍ତ ସୁବିଧାର ବିକାଶ କରାଯିବ ଏବଂ ତା’ସହିତ ପାର୍କିଂ ଯାଗା, ସ୍ବତନ୍ତ୍ର ଭେଣ୍ଡିଂଜୋନ୍, ଶୌଚାଳୟ, ସୂଚନା କେନ୍ଦ୍ର, ଦାନ କେନ୍ଦ୍ର ଇତ୍ୟାଦି ବ୍ୟବସ୍ଥା ରଖାଯିବ । ତା’ସହିତ ମନ୍ଦିର ପାଖରେ ଯାତ୍ରୀ ନିବାସର ମଧ୍ୟ ସୁବିଧା ଉପଲବ୍ଧ ହେବ ।
୪. ସେବାୟତ ପରିବାର ପାଇଁ ବାସଗୃହ…
ମନ୍ଦିର ନିକଟରେ ରହୁଥିବା ସେବାୟତଙ୍କ ପାଇଁ ସୁରକ୍ଷିତ ବାସଗୃହ ପ୍ରକଳ୍ପ ହାତକୁ ନିଆଯିବ ଏବଂ ଏଥିରେ ସମସ୍ତ ପ୍ରକାର ମୌଳିକ ସୁବିଧାର ବିକାଶ କରାଯିବ ।
୫.ମନ୍ଦିର ଓ ମହାନଦୀ ସଂଯୋଗ ରାସ୍ତା…
ମା’ଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଯେପରି ମନ୍ଦିରରୁ ମହାନଦୀ ଘାଟକୁ ସୁବିଧାରେ ଯାଇପାରିବେ, ସେଥିପାଇଁ ୩୦ ମିଟର ଚଉଡା ବିଶିଷ୍ଟ ପାଦଚଲା ରାସ୍ତାର ମଧ୍ୟ ବିକାଶ କରାଯିବ ।
୬. ମହାନଦୀ ଆଳତୀ…
ଉପରୋକ୍ତ ପାଦଚଲା ରାସ୍ତାର ମଧ୍ୟ ଭାଗରେ ଏକ ୩୦ ମିଟର ବିଶିଷ୍ଟ ଡେକ୍ ନିର୍ମାଣ କରାଯିବ, ଯେଉଁଠାରୁ କି ଉଭୟ ମହାନଦୀ ଓ ମା’ଙ୍କ ମନ୍ଦିର ସ୍ପଷ୍ଟ ଭାବରେ ଦେଖାଯିବ । ସେଠାରେ ପ୍ରତିଦିନ ମହାନଦୀ ଆଳତୀ ଭକ୍ତଙ୍କୁ ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭୂତି ଦେବ ।
୭. ରିଙ୍ଗ ରୋଡ ବିକାଶ…
ବର୍ତ୍ତମାନର ରିଙ୍ଗ ରୋଡକୁ ଚଉଡା କରାଯିବ ଏବଂ ସେଥିରେ ସ୍ବତନ୍ତ୍ର ଭାବରେ ନଦୀ କୂଳେ କୂଳେ ଚଲାପଥ ଓ ଅବସର ସୁବିଧା ରହିବ ।
୮. ନଦୀକୂଳର ବିକାଶ…
ନଦୀକୂଳର ଯୋଜନାବଦ୍ଧ ଭାବରେ ବିକାଶ କରାଯିବ ଏବଂ ଲୋକମାନେ ଯେପରି ସୁବିଧାରେ ସେମାନଙ୍କର ପରମ୍ପରା ଓ ରୀତିନୀତି ପାଳନ କରିପାରିବେ, ସେଥିପାଇଁ ପ୍ଲାଟଫର୍ମର ବ୍ୟବସ୍ଥା କରାଯିବ । ତା’ସହିତ ପର୍ଯ୍ୟଟକଙ୍କୁ ମହାନଦୀର ଦୃଶ୍ୟ ଅବଲୋକନ ପାଇଁ ପାଭିଲିୟନ, ପ୍ଲାଜା ଓ ଡେକ୍ ଆଦି ନିର୍ମାଣ କରାଯିବ । ପୁରୁଣା ଦିନ ଭଳି ମହାନଦୀରୁ ମନ୍ଦିର ସ୍ପଷ୍ଟ ଦେଖାଯିବ ।
୯. ହ୍ରଦ କୂଳର ବିକାଶ…
ଏହି ପ୍ରକଳ୍ପ ଅଧୀନରେ ୨୨ ଏକର ଜମିରେ ହ୍ରଦ କୂଳର ବିକାଶ କରାଯିବ । ଏଥିରେ ଓ୍ବେଟଲାଣ୍ଡ ବିକାଶ ସହିତ 5 MLD Sewerage Treatment Plant ନିର୍ମାଣ କରାଯିବ । ଓ୍ବେଟଲ୍ୟାଣ୍ଡ ଅଞ୍ଚଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରାଯିବ । ଏହାସହିତ ସେଠାରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଫୁଡ ପାର୍କ, ସ୍ଥାପତ୍ୟ ପାର୍କ ତଥା ମୁକ୍ତାକାଶ ରଙ୍ଗମଞ୍ଚର ବ୍ୟବସ୍ଥା ରହିବ । ସମ୍ବଲପୁରର ପ୍ରସିଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ସହିତ ବିଭିନ୍ନ ସ୍ମାରକୀ ସାମଗ୍ରୀର ବିକ୍ରି ପାଇଁ ଭେଣ୍ଡିଂ ବ୍ୟବସ୍ଥା କରାଯିବ ।
- ରେଲୱେ ରାସ୍ତର ପ୍ରଶସ୍ତିକରଣ…
ରେଳଷ୍ଟେସନରୁ ମନ୍ଦିରର ଉତ୍ତର ପାର୍ଶ୍ବକୁ ସଂଯୁକ୍ତ କରୁଥିବା ରାସ୍ତାକୁ ପ୍ରଶସ୍ତ କରାଯିବ । ଯାହାଫଳରେ ଟ୍ରାଫିକ ସମସ୍ୟା ଦୂର ହୋଇପାରିବ ।
- ଶଶ୍ମାନର ପୁନର୍ବିନ୍ୟାସ…
ବର୍ତ୍ତମାନ ଥିବା ଶଶ୍ମାନକୁ ପୂର୍ବପଟକୁ ସ୍ଥାନାନ୍ତର କରାଯିବ । ଏଠାରେ ଆଧୁନିକ ସୁବିଧାର ବିକାଶ କରାଯିବ । ଏହି ଶଶ୍ମାନଟି ୯ ମିଟର ବିଶିଷ୍ଟ ପାଦଚଲା ରାସ୍ତା ଦ୍ୱାରା ମହାନଦୀ ସହ ସଂଯୁକ୍ତ ହେବା ଫଳରେ ଲୋକମାନେ ସୁବିଧାରେ ନଦୀଘାଟକୁ ଯାଇ ପରମ୍ପରା ଓ ରୀତିନୀତି ପାଳନ କରିପାରିବେ । ଶଶ୍ମାନ ପାଖରେ ଶେଷକୃତ୍ୟ, ସ୍ଥାନ ଶ୍ରାଦ୍ଧମଣ୍ଡପ ଓ ବିଶ୍ରାମଗୃହର ବ୍ୟବସ୍ଥା କରାଯିବ ।
ଏହି ନୂଆ ଯୋଜନା ଫଳରେ ପ୍ରଭାବିତ ହେଉଥିବା ଜନସାଧାରଣଙ୍କ ପାଇଁ ମାନବୀୟ ଦୃଷ୍ଟିରୁ ବିଚାର କରି ଏକ ଉଦାର ଥଇଥାନ ଓ ପୁରର୍ବାସ ପ୍ୟାକେଜ ପ୍ରସ୍ତୁତ କରାଯାଉଛି । ଏଥିରେ ଘରୋଇ ଜମିରେ ଘର, ସରକାରୀ ଜମିରେ ଥିବା ବସ୍ତି, ସରକାରୀ ଜମିରେ ଅନ୍ୟ ବାସଗୃହ, ସରକାରୀ ଜମିରେ ଦୋକାନ ଘର, ସରକାରୀ ଜମିରେ ଭେଣ୍ଡର ମାନଙ୍କ ପାଇଁ ସୁବିଧା ପାଇଁ ପ୍ୟାକେଜରେ ବିସ୍ତୃତ ବ୍ୟବସ୍ଥା ରଖାଯିବ । ସେହିପରି ସରକାରୀ ଜମିରେ ଥିବା କ୍ଲବ, ଧାର୍ମିକ ଅନୁଷ୍ଠାନ, ସରକାରୀ ଅଫିସ ଓ ପ୍ରତିଷ୍ଠାନ ମାନଙ୍କ ପାଇଁ ସହାୟତା ପ୍ରଦାନ କରାଯିବ ।
ଏହି ମାଷ୍ଟର ପ୍ଲାନ ସଂପର୍କରେ ଜନସାଧାରଣ development.samalei@gmail.com ଜରିଆରେ ମାର୍ଚ୍ଚ ୧୫ ସୁଦ୍ଧା ସେମାନଙ୍କର ମୂଲ୍ୟବାନ ମତାମତ ଦେଇପାରିବେ । ସମଲାଇ ପ୍ରକଳ୍ପର ସଫଳ ରୂପାୟନ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନ କରିଥିଲେ ।
Comments are closed.