Latest Odisha News

BREAKING NEWS

କଳିଙ୍ଗ ଷ୍ଟୁଡିଓକୁ ଦିଆଯିବ ନୂଆ ରୂପ, ଖର୍ଚ୍ଚ ହେବ ପ୍ରାୟ ୨ ଶହ କୋଟି

ଭୁବନେଶ୍ବର: ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓକୁ ଦିଆଯିବ ନୂଆ ରୂପ । ପ୍ରତିଷ୍ଠା ହେବ ‘ଷ୍ଟେଟ୍ ଅଫ୍ ଦି ଆର୍ଟ’ ଆଧୁନିକ ସିନେମା ଷ୍ଟୁଡିଓ । ନୂଆ ରୂପରେଖ ପାଇଁ ଖର୍ଚ୍ଚ ହେବ ପ୍ରାୟ ୨ ଶହ କୋଟି । ଷ୍ଟୁଡିଓକୁ ଏକ ନିଯୁକ୍ତି ସୃଷ୍ଟିକାରୀ ୟୁନିଟରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । 

ଚଳଚ୍ଚିତ୍ର ଜଗତରେ ବେଶ ସୁନାମ ଅର୍ଜନ କରିଥିବା ଭୁବନେଶ୍ବର ସ୍ଥିତ ଐତିହାସିକ କଳିଙ୍ଗ ଷ୍ଟୁଡିଓକୁ ଏକ ଆଧୁନିକ ଷ୍ଟେଟ୍ ଅଫ୍ ଦି ଆର୍ଟ ସିନେମା ଷ୍ଟୁଡିଓ ଭାବେ ବିକଶିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରାୟ ୨ ଶହ କୋଟି ଟଙ୍କାର ପୁନର୍ବିନ୍ୟାସ ଯୋଜନାକୁ ଅନୁମୋଦନ ଦିଆଯାଇଛି ।

ଗତ ରବିବାର ମୁଖ୍ୟ ଶାସନ ସଚିବ ନିଜେ କଳିଙ୍ଗ ଷ୍ଟୁଡିଓ ଯାଇ କ୍ଷେତ୍ରସ୍ତରୀୟ ସ୍ଥିତିର ଅନୁଧ୍ୟାନ କରିବା ସହ ପୁନର୍ବିନ୍ୟାସ ଯୋଜନା ପ୍ରସ୍ତୁତ କରିବାକୁ ବିଭାଗୁ ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟ ଲୋକସେବା ଭବନଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ସଚ୍ଚିବ ହେମନ୍ତ କୁମାର ଶର୍ମା ପୁନର୍ବିନ୍ୟାସ ଯୋଜନା ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । 

ପ୍ରସ୍ତାବିତ ପୁନର୍ବିନ୍ୟାସ ନିମନ୍ତେ ପାଣ୍ଠି ବିନିଯୋଗ, ଏହା ମାଧ୍ୟମରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି, ଷ୍ଟୁଡିଓକୁ ଆତ୍ମନିର୍ଭରଶୀଳ ଏବଂ ନିରନ୍ତର କରିବା ନିମନ୍ତେ ରାଜସ୍ବ ସଂଗ୍ରହ ପନ୍ଥା ଆଦି ଉପରେ ବିଶେଷ ଭାବେ ଧ୍ୟାନ ଦେବା ପାଇଁ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି । 

ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି ବର୍ତ୍ତମାନ କଳିଙ୍ଗ ଷ୍ଟୁଡିଓରେ ରେକଡିଂ ପରୀକ୍ଷାଗାର, ଇନଡୋର ସୁଟିଂ ସ୍ଥାନ, ଖୋଲା ଉଦ୍ୟାନ, ମନ୍ଦିର ଏବଂ କୁଡିଆ ଆଦି ରହିଛି । ବର୍ତ୍ତମାନ ଏହା ମାସିକ ପ୍ରାୟ ଚାରି ଲକ୍ଷ ଟଙ୍କାର ରାଜସ୍ବ ସଂଗ୍ରହ କରୁଛି । 

ନୂତନ ଆଧୁନିକ ଷୁଡିଓରେ ମୁଖ୍ୟତଃ ତିନୋଟି ଜୋନ ପ୍ରସ୍ତୁତ କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଛି । ଜୋନ-୧ରେ ଇନଡୋର ସୁଟିଂ ଫ୍ଳୋର, ସୁଟିଂ ମୁଖଶାଳା, ଫିଲ୍ମ ଟେକ ଜୋନ, ବ୍ୟବସାୟିକ ସ୍ଥାନ, ଖୋଲା ଅଗଣା ଆଦି ରହିବ

ଜୋନ-୨ରେ ଆଉଟ୍ ଡୋର ସୁଟିଂ ସୁବିଧା, ବିଷୟ ଭିତ୍ତିକ ସୁଟିଂ ଉଦ୍ୟାନ, ପିଲାଙ୍କ ଜୋନ୍, ଦୁର୍ଗ ଦୃଶ୍ୟ, ବରଫ ଜୋନ୍ ଏବଂ ସାହସିକତା ପ୍ରଦର୍ଶନ କାର୍ଯ୍ୟକ୍ରମ ସ୍ଥାନ ଆଦି ରହିବ

ଜୋନ-୩ରେ ଖାଦ୍ୟ ପ୍ରାଙ୍ଗଣ, ଫିଲ୍ମ କଳାକାରଙ୍କ ନିିମନ୍ତେ ରହିବା ଖାଇବା ସୁବିଧା, ସାମାଜିକ କାର୍ଯ୍ୟକ୍ରମ କେନ୍ଦ୍ର ଆଦି ରହିବ

ବର୍ତ୍ତମାନ ରହିଥିବା କେତେକ ମୁଖ୍ୟ ଗୃହ ଏବଂ ସୁବିଧା ଆଦିକୁ ଷ୍ଟୁଡିଓର ଐତିହ୍ୟ ନିମନ୍ତେ ସୁରକ୍ଷିତ ରଖାଯିବ ବୋଲି ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଜଣାଇଛନ୍ତି ।

ବୈଠକରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଶିଳ୍ପ ବିଭାଗ ଯୁଗ୍ମ ଶାସନ ସଚିବ ଶୁଭେନ୍ଦ୍ର କୁମାର ନାୟକଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।                                                                                                

Leave A Reply

Your email address will not be published.