ଭଦ୍ରକ:ଭଦ୍ରକ ଜିଲାରେ ଜାରି ରହିଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ୪ ବ୍ଲକର ୨୦୫ ସ୍କୁଲ ଓ ୨୬୫ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଶିଶୁମାନଙ୍କ ସୁରକ୍ଷା ପାଇଁ ତିହିଡ଼ି, ଭଦ୍ରକ, ଚାନ୍ଦବାଲି ଓ ଧାମନଗର ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଭଦ୍ରକ ଜିଲ୍ଲାର ଆଖୁଆପଦାରେ ସର୍ବାଧିକ ବର୍ଷା ୫୮.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ୧୦୦୦ମିମି ଅତିକ୍ରମ କରିଛି ମୌସୁମୀ ବର୍ଷା । ଚଳିତ ବର୍ଷ ମୌସୁମୀ ଋତୁରେ ୧ଜୁନରୁ ୧୯ ଅଗଷ୍ଟ ମଧ୍ୟରେ ଏଯାବତ ୧୦୦୬.୫ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସ୍ୱାଭାବିକ ବର୍ଷା ୭୮୬.୫ ମିମି ତୁଳନାରେ ୨୨୦ ମିମି ଅଧିକ ବର୍ଷା ସହ ୨୮% ଅଧିକ ରେକର୍ଡ ।
ସୂଚନାଥାଉକି, ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତାକାଲିଠୁ ବଢିବ ବର୍ଷା ପରିମାଣ । ଆସନ୍ତାକାଲିଠୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା । ଆସନ୍ତା ୨୪ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି ଆସନ୍ତାକାଲି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

