Latest Odisha News

BREAKING NEWS

୧୨ ହଜାର କୋଟି ଟଙ୍କା ବିନିଯୋଗରେ ରାଜ୍ୟବ୍ୟାପୀ ନିର୍ମାଣ ହେବ ୨୨୦୦ ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା କୁମାରବସ୍ତ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସେ କହିଛନ୍ତି ଯେ, ସତ୍ୟବାଦୀ ବକୁଳବନ ବିଦ୍ୟାଳୟ ଢାଞ୍ଚାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ବିକାଶ କରାଯିବ

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜାନୁଆରୀ ମାସରେ ବାଣପୁର ଠାରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୨,୦୦୦ କୋଟି ଟଙ୍କା ବିନିଯୋଗରେ ରାଜ୍ୟବ୍ୟାପୀ ୨୨୦୦ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ପ୍ରଥମ ପର୍ଯ୍ୟାୟର ଏହି ୨୨୦୦ ବିଦ୍ୟାଳୟ ମଧ୍ୟରୁ ମୁଖ୍ୟମନ୍ତ୍ରୀ ପ୍ରଥମେ ବାଣପୁରରେ ୧୧୮ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ଆଜି ଖୋର୍ଦ୍ଧାରେ ଆଉ ୨୦୪ଟି ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି । ଏହାଦ୍ୱାରା ରାଜ୍ୟରେ ବର୍ତ୍ତମାନ ୩୨୨ଟି ଆଦର୍ଶ ବିଦ୍ୟାଳୟର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରାଥମିକ ଶିକ୍ଷା ହେଉଛି ଜଣେ ଛାତ୍ରର ଶିକ୍ଷାଗ୍ରହଣର ମୂଳଦୁଆ। ମୂଳଦୁଆ ଯେତିକି ସୁଦୃଢ ହେବ, ପିଲାର ଭବିଷ୍ୟତ ସେତିକି ଉଜ୍ଜ୍ୱଳ ହେବ । ତେଣୁ, ଆମ ସରକାର ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହା ମାଧ୍ୟମରେ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାର ବାତାବରଣ ସୁଦୃଢ ଏବଂ ସଂଗଠିତ କରାଯିବ। ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷା ଦିଆଯିବ । ପିଲାମାନେ ସର୍ବୋତ୍ତମ ଓ ଗୁଣାତ୍ମକ ମାନର ଶିକ୍ଷା ପାଇପାରିବେ ।

ସେ ପୁଣି କହିଥିଲେ ଆଜିର ବଦଳୁଥିବା ନିଯୁକ୍ତି ବଜାରରେ ପିଲାମାନେ କେବଳ ପାଠ ପଢିବା ଯଥେଷ୍ଟ ନୁହେଁ, ବରଂ ସେମାନେ କିପରି ନିଯୁକ୍ତିଯୋଗ୍ୟ ହେବେ, ସମସ୍ୟାର ସମାଧାନ କରିପାରିବେ ଏବଂ ସୃଜନଶୀଳ ହେବେ ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଶିକ୍ଷା କ୍ଷେତ୍ରରେ ସର୍ବାଙ୍ଗୀନ ବିକାଶ ଆମର ସର୍ବୋଚ୍ଚ ପ୍ରାଥମିକତା। ଜାତୀୟ ଶିକ୍ଷାନୀତି-୨୦୨୦ ଲାଗୁ, ପି.ଏମ୍ ଶ୍ରୀ, ଶିଶୁ ବାଟିକା, ଐତିହ୍ୟ ବିଦ୍ୟାଳୟ ଯୋଜନା, ଜନଜାତି ଛାତ୍ରଛାତ୍ରୀଙ୍କ ଡ୍ରପ୍-ଆଉଟ୍ ହାର ରୋକିବା ପାଇଁ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା, ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ମଧ୍ୟାହ୍ନ ଭୋଜନ ଆଦି ଅନେକ ଯୋଜନା ଓ କାର୍ଯ୍ୟକ୍ରମ ଆଜି ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିଛି। ରାଜ୍ୟର ଶିକ୍ଷକ ଅଭାବ ସମସ୍ୟାକୁ ଗମ୍ଭୀରତାର ସହ ନେଇ ବିଗତ ୨ ବର୍ଷ ମଧ୍ୟରେ ୨୬,୬୧୫ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଆଗାମୀ ୩ ବର୍ଷ ମଧ୍ୟରେ ୪୫,୦୦୦ ଶିକ୍ଷକଙ୍କ ନିଯୁକ୍ତି ପାଇଁ ଆମେ ପଦକ୍ଷେପ ନେଉଛୁ । Child Tracking Survey ଓ ଆସ ସ୍କୁଲ ଯିବା ଅଭିଯାନ ମାଧ୍ୟମରେ ବିଦ୍ୟାଳୟ ବାହାରେ ଥିବା ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ପୁଣି ଫେରାଇ ଅଣାଯାଇପାରୁଛି । ଆମର ଏହିସବୁ କାର୍ଯ୍ୟକ୍ରମ ରାଜ୍ୟରେ କେବଳ ଶିକ୍ଷାର ଭିତ୍ତିଭୂମିକୁ ସଦୃଢ କରିବ ନାହିଁ, ବରଂ ସମୃଦ୍ଧ ଓଡିଶା ଓ ବିକଶିତ ଭାରତ ଗଠନ ପାଇଁ ମାର୍ଗ ପ୍ରଶସ୍ତ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଭାସୀ ଜରିଆରେ ମୟୂରଭଞ୍ଜ ଜିଲ୍ଲା ଦେଉଳୀ ସ୍କୁଲର ଛାତ୍ରୀ ଅଭିଲିପ୍ସା ସିଂ, କୋରାପୁଟ ଜିଲ୍ଲା ମାଛକୁଣ୍ଡ ସରକାରୀ ଉଚ୍ଚ ବିଦ୍ୟାଳୟର ବିଦ୍ୟାର୍ଥୀ ସତ୍ୟପ୍ରକାଶ ଭୂୟାଁ ଓ ରାଧିକା, ବାଲେଶ୍ୱର ଜିଲ୍ଲା ଗେଙ୍ଗୁଟି ପ୍ରାଥମିକ ବିଦ୍ୟାଳୟର ଛାତ୍ର ଆୟୁଷ କୁମାର ଘଡା ଏବଂ ନୂଆପଡା ଜିଲ୍ଲାର ଶିକ୍ଷୟିତ୍ରୀ ପ୍ରମିଳା କୁଣ୍ଡୁଙ୍କ ସହିତ ସେମାନଙ୍କର ପାଠପଢା ଓ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସମ୍ପର୍କରେ ଆଲୋଚନା କରିଥିଲେ।

Leave A Reply

Your email address will not be published.