Latest Odisha News

BREAKING NEWS

ରାଜ୍ୟରେ ମଞ୍ଜୁର ହେଲା ୩,୭୯୩ କୋଟିର ୨୪ ପ୍ରକଳ୍ପ, ସୃଷ୍ଟି ହେବ ପ୍ରାୟ ୨୦ ହଜାର ନିଯୁକ୍ତି

ଭୁବନେଶ୍ବର: ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତି କ୍ଷେତ୍ରରେ ଏକ ବଡ଼ ସଫଳତା । ମଞ୍ଜୁର ହେଲା ୩ ହଜାର ୭୯୩ କୋଟିର ୨୪ ପ୍ରକଳ୍ପ । ଏହା ଦ୍ବାରା ସୃଷ୍ଟି ହେବ ପ୍ରାୟ ୨୦ ହଜାର ନିଯୁକ୍ତି । ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୪୭ତମ ରାଜ୍ୟ ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।

ତେବେ ଏହି ନିବେଶ ଓଡ଼ିଶାର ଅର୍ଥନୀତିକୁ ସଦୃଢ଼ କରିବା ସହ ବେକାରୀ ସମସ୍ୟା ଦୂର କରିବାରେ ବେଶ୍ ସହାୟକ ହେବ ।

ରାଜ୍ୟର ସମସ୍ତ ଅଞ୍ଚଳରେ ଶିଳ୍ପର ସନ୍ତୁଳିତ ବିକାଶ ପାଇଁ ଏହି ପ୍ରକଳ୍ପଗୁଡ଼ିକୁ ୧୪ଟି ଜିଲ୍ଲାରେ ପ୍ରତିଷ୍ଠା କରାଯିବ । ଏହି ଜିଲ୍ଲାଗୁଡ଼ିକ ହେଲା- ଖୋର୍ଦ୍ଧା, ଢେଙ୍କାନାଳ, ଝାରସୁଗୁଡ଼ା, କୋରାପୁଟ, ଯାଜପୁର, ସମ୍ବଲପୁର, କେନ୍ଦୁଝର, ବଲାଙ୍ଗୀର, ପୁରୀ, କଟକ, ସୁନ୍ଦରଗଡ଼, ଗଞ୍ଜାମ, ଜଗତସିଂହପୁର ଏବଂ ମୟୂରଭଞ୍ଜ । ଇସ୍ପାତ, ଗ୍ରୀନ୍ ଏନର୍ଜି, ବେଦଶୀ ପୋଷାକ, ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ ଓ ଇଭି ଭଳି ବିଭିନ୍ନ ବିଭିନ୍ନ କ୍ଷେତ୍ରକୁ ଏଥିରେ ସାମିଲ କରାଯାଇଛି ।

କପଡ଼ା ଓ ଗାର୍ମେଣ୍ଟସ କ୍ଷେତ୍ରରେ ସର୍ବାଧିକ ନିଯୁକ୍ତି । ଖୋର୍ଦ୍ଧାରେ ୧୬୮.୬୪ କୋଟି ଟଙ୍କା ନିବେଶରେ ଏକ କପଡ଼ା ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍ ପ୍ରତିଷ୍ଠା କରିବ, ଯାହା ସବୁଠାରୁ ଅଧିକ ୧୦,୩୦୬ ଜଣଙ୍କୁ ଚାକିରି ଦେବ ନନ୍ଦରାଜ ଟେକ୍ସଟାଇଲ୍ସ ପ୍ରାଇଭେଟ୍ ଲିମିଟେଡ୍ । ସେହିପରି, ସମ୍ବଲପୁରରେ ୧୪୫.୫୦ କୋଟି ଟଙ୍କା ବ୍ୟୟରେ ଗାର୍ମେଣ୍ଟସ ୟୁନିଟ୍ ପ୍ରତିଷ୍ଠା କରି ୧,୮୪୦ ଜଣଙ୍କୁ ନିଯୁକ୍ତି ଦେବ ଶାହୀ ଏକ୍ସପୋର୍ଟସ୍ । ମା’ ତାରାତାରିଣୀ ଟେକ୍ସଟାଇଲ୍ ପାର୍କ, ଗଞ୍ଜାମରେ ୭୦ କୋଟି ଟଙ୍କାର ଏକ ଇଣ୍ଟିଗ୍ରେଟେଡ୍ ପ୍ରକଳ୍ପ ପ୍ରତିଷ୍ଠା ହେବ ୩୫୦ ନିଯୁକ୍ତି ଦେବ ।

ସିଇଏସସି (CESC) ଗ୍ରୀନ୍ ପାୱାର: ଢେଙ୍କାନାଳରେ ୬୮୩.୮୩ କୋଟି ଟଙ୍କା ନିବେଶରେ ଏକ ‘ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍ ସିଷ୍ଟମ’ (BESS) ସ୍ଥାପନ କରିବ । ଏଭିପି ଷ୍ଟାର୍ ପ୍ରାଇଭେଟ୍ ଲିମିଟେଡ୍: ଖୋର୍ଦ୍ଧାରେ ୫୦୦ କୋଟି ଟଙ୍କା ବ୍ୟୟରେ ଏକ ‘ଲ୍ୟାବ୍ ଗ୍ରୋନ୍ ଡାଇମଣ୍ଡ’ (କୃତ୍ରିମ ହୀରା) ତିଆରି କାରଖାନା ପ୍ରତିଷ୍ଠା ହେବ, ଯେଉଁଠି ୫୦୦ ଜଣ ନିଯୁକ୍ତି ପାଇବେ ।

ଜିର ବୈଠକରେ କର୍ତ୍ତୃପକ୍ଷ ହୋଟେଲ ଓ ଆତିଥେୟତା କ୍ଷେତ୍ରର ଅନେକ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ସେଥିରେ କୋରାପୁଟରେ ସ୍ବସ୍ତି ପ୍ରିମିୟମର ୨୫୦ କୋଟି ବ୍ୟୟରେ ହେବାକୁ ଥିବା ଏକ ପଞ୍ଚ ତାରକା ହୋଟେଲ ରହିଛି । ଏସ୍‌ଏନ୍‌ଏମ୍‌ ହୋଟେଲ୍‌ସ ଆଣ୍ଡ୍‌ ରିସର୍ଟସ ପ୍ରା. ଲିଃ. କୋରାପୁଟରେ ୧୩୩.୩୪ କୋଟି ନିବେଶରେ ମଧ୍ୟ ଏକ ରିସର୍ଟ କରିବ । ଏହି ଦୁଇ ପକଳ୍ପରେ ଯଥାକ୍ରମେ ୪୮୦ ଓ ୧୭୩ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଶ୍ରୀ ଇକୋ ରିସର୍ଟସ କେନ୍ଦୁଝରରେ ୧୦୫.୬୦ କୋଟି ଟଙ୍କା ବ୍ୟୟରେ ଏକ ଇକୋ-ରିସର୍ଟ ଏବଂ ୱାଟର ଆମ୍ୟୁଜମେଣ୍ଟ ପାର୍କ ସ୍ଥାପନ କରିବ ଯେଉଁଥିରେ ୨୪୦ ନିଯୁକ୍ତି ସୁଯୋଗ ମିଳିବ । ଶୈଳବାଳା ଇନଫ୍ରାଷ୍ଟ୍ରକଚର ପ୍ରା. ଲିଃ. ପୁରୀରେ ୯୨.୮୦ କୋଟି ଟଙ୍କାରେ ଏକ ରିସର୍ଟ କରିବ ଯେଉଁଥିରେ ୧୭୦ ଜଣ ଚାକିରି ପାଇପାରିବେ। ସୂର୍ଯ୍ୟ ଉଦ୍ୟୋଗ ଲିମିଟେଡ ପାରାଦୀପରେ ଏକ ୪ ତାରକା ହୋଟେଲ ଖୋଲିବ ।

ଯାଜପୁରରେ ୨୧୫ କୋଟି ଟଙ୍କା ନିବେଶରେ ଷ୍ଟିଲ୍ ଫ୍ୟାବ୍ରିକେସନ ୟୁନିଟ୍ କରିବ ୧,୪୦୦ ନିଯୁକ୍ତି ଦେବ ଜେଏସଡବ୍ଲ୍ୟୁ (JSW) ସେଭରଫିଲ୍ଡସ ଷ୍ଟ୍ରକ୍ଚର୍ସ । କୋଶଲ ସେରାମିକ୍ସ: ଝାରସୁଗୁଡ଼ାରେ ୨୭୫.୦୭ କୋଟି ଟଙ୍କା ବ୍ୟୟରେ ନିଜର ଇଟା ଫ୍ୟାକ୍ଟ୍ରିର ସମ୍ପ୍ରସାରଣ କରିବ (୧,୦୦୦ ନିଯୁକ୍ତି) । ହିନ୍ଦୁସ୍ତାନ କୋକାକୋଲା ବେଭରେଜେସ୍: ଖୋର୍ଦ୍ଧାରେ ନିଜର ସପ୍ଟ ଡ୍ରିଙ୍କସ୍ ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ ୩୦୦ କୋଟି ଟଙ୍କା ନିବେଶ କରିବ, ଯାହା ଦ୍ୱାରା ୯୯୦ ଜଣଙ୍କୁ ଚାକିରି ମିଳିବ । ଲିଥ୍ରୋସ୍ ବ୍ୟାଟେରିଜ୍: ଖୋର୍ଦ୍ଧାରେ ୬୦ କୋଟି ଟଙ୍କା ବ୍ୟୟରେ ଇଭି (EV) ଗାଡ଼ି ଓ ବ୍ୟାଟେରୀ କାରଖାନା ପ୍ରତିଷ୍ଠା ହେବ।

Leave A Reply

Your email address will not be published.