Latest Odisha News

BREAKING NEWS

ରାଜସୱ ନିରୀକ୍ଷକ ଚାକିରି ଆଶା ଦେଖାଇ ଯୁବକଙ୍କ ଠାରୁ ସାଢେ ୫ ଲକ୍ଷ ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ

କେନ୍ଦୁଝର: ଚାକିରି ଦେବାକୁ କହି ଯୁବକଙ୍କ ଠାରୁ ଠକି ନେଲେ ସାଢେ ୫ ଲକ୍ଷ ଟଙ୍କା । ଏଭଳି ଖବର ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲାରୁ । ଏହି ଠକେଇ ମାମଲାରେ ପୋଲିସ ଅଭିଯୁକ୍ତକୁ ବାନ୍ଧିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ମୂଳ ବାସିନ୍ଦା ରଞ୍ଜିତ କୁମାର ଦାସ (୩୦) ବୋଲି ଜଣା ପଡିଛି ।

ଅଭିଯୁକ୍ତ ରଞ୍ଜିତ ବର୍ତ୍ତମାନ ସମ୍ବଲପୁରର ହୀରାକୁଦ ଅଞ୍ଚଳରେ ରହୁଥିଲେ । ଅଭିଯୋଗକାରୀ ଗୌର ଚନ୍ଦ୍ର ସାହୁଙ୍କୁ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ରାଜସୱ ନିରୀକ୍ଷକ (RI) ପଦବୀରେ ନିଯୁକ୍ତି ଦେବା ପାଇଁ ପ୍ରଲୋଭନ ଦେଖାଇଥିଲେ । ସେ ନିଜକୁ ସରକାରୀ ସ୍ତରରେ ପରୀକ୍ଷା କରାଉଥିବା ସଂସ୍ଥା ସହିତ ଭଲ ସମ୍ପର୍କ ଥିବା ଦାବି କରିଥିଲେ । ଟଙ୍କା ବଦଳରେ ସେ ସରକାରୀ ଚାକିରି କରାଇଦେବେ ବୋଲି ବିଶ୍ୱାସ ଜନ୍ମାଇଥିଲେ । ତାଙ୍କ କଥାରେ ବିଶ୍ୱାସ କରି ଅଭିଯୋଗକାରୀ ବିଭିନ୍ନ କିସ୍ତିରେ ମୋଟ ୫ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଥିଲେ ।

ଏହା ପରେ ନିଯୁକ୍ତି ପତ୍ର ଦେବା ତ ଦୂରର କଥା ପରବର୍ତ୍ତୀ ସମୟରେ ସେ ଅଭିଯୋଗକାରୀଙ୍କ ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ କରିବା ସହ ନିଜ ରହୁଥିବା ସ୍ଥାନ ଛାଡ଼ି ଫେରାର୍‌ ହୋଇଯାଇଥିଲେ । ଠକେଇର ଶିକାର ହେବା ପରେ ଗୌର ଚନ୍ଦ୍ର ସାହୁ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହା ପରେ କେନ୍ଦୁଝର ଟାଉନ ପୋଲିସର ଏକ ସ୍ପେଶାଲ ଟିମ ତଦନ୍ତ ଆରମ୍ଭ କରି ରଞ୍ଜିତ ଦାସକୁ ଗିରଫ କରିବାରେ ସଫଳ ହୋଇଛି । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି । ତା ନିକଟରୁ ଏକ ମୋବାଇଲ ଫୋନ୍ ଏବଂ ଗୋଟିଏ ବାଇକ ମଧ୍ୟ ଜବତ କରାଯାଇଛି ।

Leave A Reply

Your email address will not be published.