ମୁମ୍ବାଇ: ବିଗତ ଶତାବ୍ଦୀର ଅନ୍ୟତମ ସଫଳ ଚଳଚ୍ଚିତ୍ର ‘ଦିଲ୍ୱାଲେ ଦୁଲ୍ହନିଆ ଲେ ଯାୟେଙ୍ଗେ’ ଆସନ୍ତା ଅକ୍ଟୋବର ୨୦ରେ ତାର ପଚିଶ ବର୍ଷ ପୂରଣ କରିବ। ଆଦିତ୍ୟ ଚୋପ୍ରାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ବକ୍ସ ଅଫିସ୍ରେ ଅନେକ ନୂଆ ରେକର୍ଡ ସୃଷ୍ଟି କରିଥିଲା।
ଆଉ କିଛି ରେକର୍ଡ ଏବେ ବି ପ୍ରସ୍ତୁତ ହେଉଛି। ସିନେମା ହଲ୍ରେ ଦୀର୍ଘ ସମୟ ଧରି ଚାଲୁଥିବା ହିନ୍ଦୀ ଚଳଚ୍ଚିତ୍ରର ରଜତ ଜୟନ୍ତୀ ବର୍ଷରେ ବିଶ୍ୱର ସମସ୍ତ ଗଣମାଧ୍ୟମ ଅନୁଷ୍ଠାନ ଏହି ଚଳଚ୍ଚିତ୍ରକୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି।
ଡିଡିଏଲ୍ଜେର ୨୫ ବର୍ଷ ପୂର୍ତ୍ତି ଅବସରରେ ଏହାର ମୁଖ୍ୟ ଅଭିନେତା ଶାହାରୁଖ୍ ଖାନ୍ ଏବଂ କାଜୋଲ ଆମେରିକାରେ ପ୍ରକାଶିତ ସମ୍ମାନଜନକ ପତ୍ରିକା ‘ମେରି କ୍ଲେୟର୍’ ସହିତ ଏକ ବିଶେଷ ଚାଟ୍ କରିଛନ୍ତି।
ଏହି ପତ୍ରିକାଟି ଫିଲ୍ମକୁ ବଲିଉଡ୍ର ବେଷ୍ଟ ଲଭ୍ ଷ୍ଟୋରୀ ବୋଲି କହିଛି। ମେରି କ୍ଲେୟର୍ ସହ ବାର୍ତ୍ତାଳାପରେ ଶାହାରୁଖ୍ କହିଛନ୍ତି, ଅନ୍ସ୍କ୍ରିନ୍ରେ ରାଜ ଏବଂ ସିମ୍ରନ୍ଙ୍କର ଯେଉଁ କେମିଷ୍ଟ୍ରି ନଜର ଆସିଥିଲା ତାହା କାଜୋଲ ଏବଂ ମୋ ଭିତରେ ଥିବା ବାସ୍ତବ ଜୀବନର ବନ୍ଧୁତାର ପ୍ରଭାବ ଥିଲା। ସେପଟେ କାଜୋଲ ମଧ୍ୟ ଫିଲ୍ମକୁ ନେଇ ଅନେକ ମିଠା ମିଠା ଅନୁଭୂତି ବଖାଣିଛନ୍ତି।
ତେବେ ଉଲ୍ଲେଖନୀୟ କଥା ହେଉଛି ଡିଡିଏଲ୍ଜେ ଚଳଚ୍ଚିତ୍ର ୧୦ଟି ଫିଲ୍ମଫେୟାର୍ ପୁରସ୍କାର ଜିତି ହିନ୍ଦୀ ସିନେମାର ଚେହେରା ବଦଳାଇଛି। ସେହି ସମୟରେ ଫିଲ୍ମର ବଜେଟ୍ର ଥିଲା ୪ କୋଟି ଏବଂ ୧୯୯୫ରେ ଏହା ଭାରତରେ ୮୯ କୋଟି ଏବଂ ବିଶ୍ୱବ୍ୟାପୀ ୧୦୨.୫୦ କୋଟି ଟଙ୍କା ସଂଗ୍ରହ କରିବାରେ ସଫଳ ହୋଇଥିଲା।
Comments are closed.