Latest Odisha News

BREAKING NEWS

ଆଜି ଲଘୁଚାପ, କାଲି ଡିପ୍ରେସନ୍, ୧୧ରୁ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ଦାନା ବାନ୍ଧିବ ଲଘୁଚାପ ବଳୟ । ଏହା ଧୀରେ ଧୀରେ ଘନୀଭୂତ ହେବ । ଲଘୁଚାପ କ୍ଷେତ୍ର ଆସନ୍ତା ୨୪ ଘଣ୍ଟା ଭିତରେ ନେବ ଡିପ୍ରେସନର ରୂପ । ଭାରତୀୟ ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି । ଡିପ୍ରେସନର ଧୀରେ ଧୀରେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ମୁହାଁ ହେବ ।

ଏହାର ପ୍ରଭାବରେ ୧୧ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ବର୍ଷା । ତିନି ଦିନ ବର୍ଷିବ । ୧୧ ଓ ୧୨ ତାରିଖ ପାଇଁ ୪ଟି ଜିଲ୍ଲା ଗଞ୍ଜାମ, ଗଜପତି, କୋରାପୁଟ ଓ ରାୟଗଡ଼ାକୁ ଜାରି ହୋଇଛି ୟେଲୋ ଓ୍ୱାର୍ଣ୍ଣିଂ । ଏସବୁ ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

ସେହିପରି ୧୩ ତାରିଖରେ ୬ଟି ଜିଲ୍ଲା ପାଇଁ ବି ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ସେସବୁ ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କନ୍ଧମାଳ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ ନବରଙ୍ଗପୁର । ଏସବୁ ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳ ବୃଷ୍ଟିପାତ ନେଇ ସତର୍କ ସୂଚାନ ଜାରି କରିଛି ପାଣିପାଗ ବିଭାଗ ।

ଦକ୍ଷିଣ ଓଡ଼ିଶା ଉପକୂଳରେ ଆସନ୍ତା ୧୧ ତାରିଖରେ ୪୫-୫୫ କିଲୋମିଟର ବେଗରେ ପବନ ବହିବ । ଅଶାନ୍ତ ରହିବ ସମୁଦ୍ର । ବଡ଼ ବଡ଼ ଜୁଆର ଉଠିବା ସମ୍ଭାବନା ରହିଛି । ଏଥିପାଇଁ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଛି ପାଣିପାଗ ବିଭାଗ ।

Leave A Reply

Your email address will not be published.