Latest Odisha News

BREAKING NEWS

ୟୁକ୍ରେନ ଉପରେ ରୁଷର ପ୍ରଚଣ୍ଡ ପ୍ରହାର : ଭୟଙ୍କର ବିସ୍ଫୋରଣରେ ୨୭ ମୃତ

କିଭ୍: ୟୁକ୍ରେନ ରାଜଧାନୀ କିଭ୍ ନିକଟସ୍ଥ ମାଇଲା ଗ୍ରାମରେ ଥିବା ଏକ ଗୋଦାମ ଘର ଉପରେ ରୁଷିଆ ଭୟଙ୍କର ଡ୍ରୋନ୍ ଆକ୍ରମଣ କରିଛି। ଏହି ଆକ୍ରମଣ ଯୋଗୁଁ ଗୋଦାମ ଘରେ ଶକ୍ତିଶାଳୀ ବିସ୍ଫୋରଣ ସହ ଅଗ୍ନିକାଣ୍ଡ ସହ ଘଟି ଅନ୍ତତଃ ୨୭ ଜଣ ପ୍ରାଣ ହରାଇଛନ୍ତି ଏବଂ ୪୨ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ଜଣ ଶିଶୁ ମଧ୍ୟ ସାମିଲ ଅଛନ୍ତି।

ରୁଷୀୟ ଡ୍ରୋନ୍ ମାଡ଼ ହେବା ପରେ ଗୋଦାମ ଘରେ ଥିବା ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ରରେ କ୍ରମାଗତ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଆଖପାଖର ପ୍ରାୟ ୫୦ରୁ ଅଧିକ ଆବାସିକ ଗୃହ ଏବଂ ଏକ ବୃଦ୍ଧାଶ୍ରମ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ପ୍ରଶାସନ ପକ୍ଷରୁ ୩୮୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଏହି ଘଟଣା ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଏବଂ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ନିୟମ ଅନୁଯାୟୀ ଜନବସତି ନିକଟରେ ଗୋଳାବାରୁଦ ଗଚ୍ଛିତ ରଖିବା ନିଷିଦ୍ଧ ହୋଇଥିବାରୁ ଏହି ଘଟଣାରେ ଅପରାଧିକ ଅବହେଳା ନେଇ ୟୁକ୍ରେନ ସୁରକ୍ଷା ସେବା ତଦନ୍ତ ଆରମ୍ଭ କରିଛି। ଆଗାମୀ ସମୟରେ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।

ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଧ୍ୱଂସାବଶେଷ ତଳୁ ମୃତଦେହ ଗୁଡ଼ିକୁ ବାହାର କରିବା ପାଇଁ ଲଗାତାର ଉଦ୍ୟମ ଜାରି ରଖିଛନ୍ତି। ନିଖୋଜ ଥିବା ଲୋକଙ୍କର ସନ୍ଧାନ ପାଇଁ ସ୍ୱତନ୍ତ୍ର ସ୍ନିଫର ଡଗ୍ ଏବଂ ଡ୍ରୋନ୍‌ ସାହାଯ୍ୟରେ ସର୍ଚ୍ଚ ଅପରେସନ୍ ତୀବ୍ର କରାଯାଇଛି। ରୁଷର ଏହି ଆକ୍ରମଣକୁ ଆନ୍ତର୍ଜାତୀୟ ସ୍ତରରେ ତୀବ୍ର ନିନ୍ଦା କରାଯିବା ସହ ୟୁକ୍ରେନ ନାଗରିକଙ୍କ ସୁରକ୍ଷା ପାଇଁ ବିଶ୍ୱ ନେତାମାନେ ଚିନ୍ତା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.