ସୁରଟ: ଗୁଜୁରାଟର ସୁରଟ ସହରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସୋମବାର ସକାଳେ କାଦୋଡ଼ାରର ଭାରେଲିରେ ଏକ ପ୍ୟାକେଜିଂ ୟୁନିଟରେ ଅଗ୍ନିକାଣ୍ଡ ଘଟି ୨ଜଣଙ୍କ ମୃତ୍ୟୁ ହୋଇଛି।
ଭିଭା ପ୍ୟାକେଜିଂ କମ୍ପାନୀର ପଞ୍ଚମ ମହଲାରେ କାମ ଚାଲିଥିଲା। କର୍ମଚାରୀମାନେ କାମ କରୁଥିବା ସମୟରେ ସକାଳ ୪ଟା ୩୦ରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବାର୍ଡ଼ୋଲି ଡ଼ିଭିଜନର ଡ଼େପୁଟି ସୁପରିଟେଣ୍ଡେଣ୍ଟ ରୁପାଲ ସୋଲାଙ୍କି ଦୁଇ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ମୃତ୍ୟୁରୁ ରକ୍ଷା ପାଇବା ପାଇଁ କିଛି ଲୋକ ବିଲଡ଼ିଂରୁ ଡ଼େଇଁପଡ଼ିଥିବା ରିପୋର୍ଟରୁ ଜଣାପଡ଼ିଛି।
ୟୁନିଟର ପ୍ରଥମ ମହଲାରେ ଏହି ଅଗ୍ନିକାଣ୍ଡ ଘଟି ଅନ୍ୟ ମହଲାରେ ବ୍ୟାପିଗଲା ବୋଲି କାଦୋଦରା ପୋଲିସ ଇନ୍ସପେକ୍ଟର ହେମନ୍ତ ପଟେଲ ଟାଇମ୍ସ ନ୍ୟୁଜକୁ ସୂଚନା ଦେଇଛନ୍ତି। ନିଆଁ ଲିଭାଇବା ପାଇଁ ୧୦ରୁ ଅଧିକ ଅଗ୍ନିଶମ ଇଞ୍ଜିନକୁ ଘଟଣାସ୍ଥଳକୁ ନିଆଯାଇଥିଲା। ଲୋକମାନେ ସାହାଯ୍ୟ ମାଗୁଥିବା ଏବଂ ଅଗ୍ନିଶମ କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ହାତ ବୁଲାଉଥିବା ଏକ ଭିଡ଼ିଓରେ ଦେଖିବାକୁ ମିଳିଥିଲା। ଅଗ୍ନିଶମ ବିଭାଗ ଦ୍ୱାରା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ୧୨୫ଜଣଙ୍କୁ ଉଦ୍ଧାର କରାଯାଇଛି ବୋଲି ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ କେ.ଜି ଭେଗେଲା ଗଣମାଧ୍ୟମକୁ କହିଛନ୍ତି।
ସେଥିମଧ୍ୟରୁ ବିଲଡ଼ିଂ ଭିତରେ ଫସି ରହିଥିବା ୧୦୦ରୁ ଅଧିକ ଲୋକଙ୍କୁ ହାଇଡ୍ରୋଲିକ୍ ଲିଫ୍ ଦ୍ୱାରା ଟାଣି ନିଆଯାଇଥିଲା। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ଥିର କରାଯାଇନାହିଁ ବୋଲି ଅଧିକାରୀମାନେ କହିଛନ୍ତି।
Comments are closed.