Latest Odisha News

ନକଲି ସାର୍ଟିଫିକେଟ୍, ଚାକିରିରୁ ବିଦା ହେଲେ ୩ ଜଣ ପୋଷ୍ଟ ମାଷ୍ଟର

କେନ୍ଦ୍ରାପଡ଼ା: ନକଲି ସାର୍ଟିଫିକେଟ୍ ଦେଇ ପୋଷ୍ଟ ମାଷ୍ଟର ଚାକିରି କରିଥିବା ୩ ଜଣଙ୍କୁ ଚାକିରିରୁ ବିଦା କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ଅଲଗା ଅଲଗା ଡାକ ଘରେ କାର୍ଯ୍ୟରତ ପ୍ରସନ୍ନ କୁମାର ସେଠୀ, ସୌମ୍ୟରଞ୍ଜନ ସେଠୀ ଓ ମାମାଶ୍ରୀ ଭାରତୀଙ୍କୁ ଚାକିରିରୁ ବିଦା କରାଯାଇଛି ।

୩ ଜଣ ଯାକ ଭଦ୍ରକ ଜିଲ୍ଲାର ବୋଲି ଜଣାପଡ଼ିଛି । ଚାକିରିରୁ ବିଦା ହୋଇଥିବା ୩ ଜଣ ଯାକ ପୋଷ୍ଟ ମାଷ୍ଟର ପଦରେ ନିଯୁକ୍ତି ଲାଗି ବାହାର ରାଜ୍ୟର ବୋର୍ଡ ସାର୍ଟିଫିକେଟ୍ ଦେଇଥିଲେ । ୩ ଜଣଙ୍କ ମଧ୍ୟରୁ ଜଣେ ଡାକ ବିଭାଗରେ ୨ ବର୍ଷ ହେଲା କାର୍ଯ୍ୟ କରୁଥିବା ବେଳେ ଅନ୍ୟ ୨ ଜଣ ୬ ମାସ ତଳେ ନିଯୁକ୍ତି ପାଇଥିଲେ ।

ନକଲି ସାର୍ଟିଫିକେଟ୍ କଥା ଜଣା ପଡ଼ିବା ପରେ ୩ ଜଣଙ୍କୁ ଚାକିରିରୁ ବିଦା କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଡିଭିଜନ ଡାକ ଅଧୀକ୍ଷକ ଦେବରାଜ ସେଠୀ । ଯାଞ୍ଚ ବେଳେ ସେମାନେ ଦେଇଥିବା ସାର୍ଟିଫିକେଟ୍ ନକଲି ବୋଲି ଜଣାପଡ଼ିଥିଲା । ଅନ୍ୟମାନଙ୍କ ସାର୍ଟିଫିକେଟ୍ ମଧ୍ୟ ଯାଞ୍ଚ କରାଯାଉଥିବା ଜଣାପଡ଼ିଛି ।

Leave A Reply

Your email address will not be published.