Latest Odisha News

ଘୋଷଯାତ୍ରା ପାଇଁ ଜୋରଦାର ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ପୁରୀ : ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ଜୋରଦାର ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ । ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ସମ୍ପାଦନ ହୋଇଥିବା ବେଳେ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ରଥ ନିର୍ମାଣ ପାଇଁ ଭୋଇ ସେବାୟତ ମାନେ ରଥଖଳାରେ ଆବଶ୍ୟକୀୟ କାଠ ପହଞ୍ଚାଇବା ପରେ କରତି ସେବାୟତମାନେ ତୁମ୍ୱ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ କରିଛନ୍ତି।

ତୃତୀୟ ଦିନରେ ତିନି ରଥ ପାଇଁ ତିନୋଟି ତୁମ୍ଭ କଟାଯାଇଛି । ରଥଖଳାର ଚତୁପାର୍ଶ୍ୱକୁ ଧଳା କପଡ଼ା ଗୁଡାଯାଇ ରଥନିର୍ମାଣ କାର୍ଯ୍ୟ କରାଯାଉଛି। ତିନିରଥ ପାଇଁ ୪୨ ଗୋଟି ଚକର ଆବଶ୍ୟକତା ଥିବା ବେଳେ ୪୨ ଗୋଟି ତୁମ୍ୱର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ବିଶ୍ବକର୍ମା ଓ କରତି ସେବାୟତ।

ସାଧାରଣ ଲୋକଙ୍କ ଠାରୁ ରଥଖଳାକୁ ଦୂରରେ ରଖିବା ପାଇଁ ସମଗ୍ର ରଥଖଳାକୁ ଧଳା କପଡ଼ା ଦ୍ୱାରା ଆଦୃତ କରି ରଖାଯାଇଛି। ତିନି ରଥ ପାଇଁ ଭୋଇ ସେବାୟତ ମାନେ ୬ ଟି ତୁମ୍ବ ଯୋଗାଇବା ପରେ ରଥର ମୁଖ୍ୟ ବିଶ୍ଵକର୍ମା ନିର୍ଦ୍ଧିଷ୍ଟ ମାପ ଓ ସାଇଜ ଅନୁଯାୟୀ ତୁମ୍ବ ଗୁଡ଼ିକ ସାଇଜ କରୁଛନ୍ତି। ତେବେ ତୁମ୍ବ ନିର୍ମାଣ ସରିବା ପରେ ଏଥିରେ ବିନ୍ଧ ଅନୁକୂଳ କରାଯାଇ ଖୋଦେଇ ସହ ପଇ ଓ ଅର ପର୍ଯ୍ୟାୟ କ୍ରମେ ନିର୍ମାଣ କରାଯିବ।

ସେପଟେ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ ରଥକାଠର ଆବଶ୍ୟକତା ଥିବାବେଳେ ଗତ ବର୍ଷ ୧୧୮ ଖଣ୍ଡ କାଠ ବଳକା ରହିଛି। ଆଜିସୁଦ୍ଧା ସମୁଦାୟ ୪୪୯ ଖଣ୍ଡ ରଥକାଠ ପୁରୀରେ ଆସି ପହଞ୍ଚିଛି। ଅବଶିଷ୍ଟ ରଥକାଠ ଆସି ରଥଖଳାରେ ପହଞ୍ଚିଯିବ ବୋଲି ବରିଷ୍ଠ ରଥ ତତ୍ତ୍ଵାବଧାରକ କହିଛନ୍ତି।

 

Leave A Reply

Your email address will not be published.