Latest Odisha News

BREAKING NEWS

୩୯ ଲକ୍ଷ ହଡ଼ପ ଅଭିଯୋଗରେ ବନ୍ଧା ହେଲେ ଫ୍ଲିପକାର୍ଟର ୩ କର୍ମଚାରୀ

ବୌଦ୍ଧ: ବନ୍ଧା ହେଲେ ଫ୍ଲିପକାର୍ଟର ୩ କର୍ମଚାରୀ । ପ୍ରାୟ ୩୯ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ବୌଦ୍ଧ ଜିଲ୍ଲା ପୋଲିସ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟର ୩ ଜଣ କର୍ମଚାରୀଙ୍କୁ ଗିରଫ କରିଛି ।

ଏନେଇ ବୌଦ୍ଧ ଏସପି ରାଜ ପ୍ରସାଦ କହିଛନ୍ତି, ୩ ଜଣ କର୍ମଚାରୀ ହବରେ କାମ କରୁଥିବା ବେଳେ ବିଭିନ୍ନ ସ୍ଥାନକୁ ଯୋଗାଣ ପାଇଁ କମ୍ପାନୀରେ ନିୟୋଜିତ ଥିଲେ ।

ତେବେ ତିନୋଟି ସ୍ଥାନରେ ଟଙ୍କା ହଡ଼ପ ହୋଇଥିବା ନେଇ ଫ୍ଲିପକାର୍ଟ କର୍ତ୍ତୃପକ୍ଷ ଜାଣି ପାରିଥିଲେ । ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ପୋଲିସରେ ୨୮ ଲକ୍ଷ ହଡ଼ପ ନେଇ ଏତଲା ଦିଆ ଯାଇଥିବା ବେଳେ କଣ୍ଟାମାଳରେ ୧.୯୪ ଲକ୍ଷ ଓ ଅନୁଗୁଳର ବାମୁରରେ ୯ ଲକ୍ଷ ହଡ଼ପ ନେଇ ଏତଲା ଦିଆ ଯାଇଥିଲା ।

ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା । ଅଭିଯୁକ୍ତଙ୍କ ମୋବାଇଲ୍ ଟ୍ରେସ୍ କରି ପୋଲିସ ଜାଣିବାକୁ ପାଇଥିଲେ ୩ ଅଭିଯୁକ୍ତ ବୌଦ୍ଧ ଆସୁଛନ୍ତି । ୨ଟି ଦାମୀ ବାଇକରେ ୩ ଅଭିଯୁକ୍ତ ଆସିଥିବା ବେଳେ ସୀମାନ୍ତରେ ମାଡ଼ି ବସିଥିଲା ପୋଲିସ । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଲାପଟପ୍ ସହ ୩ଟି ମୋବାଇଲ୍, ୪.୫ ଲକ୍ଷ ଟଙ୍କା ଜବତ ହୋଇଥିବା ଏସପି ସୂଚନା ଦେଇଛନ୍ତି ।

ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ନୟାଗଡ଼ର ସୁନୀଲ ପ୍ରିୟରଞ୍ଜନ ପାଲ୍, ଖୋର୍ଦ୍ଧା ବ୍ରହ୍ମଗିରିର ଆଶିଷ ରଞ୍ଜନ ପ୍ରଧାନ ଓ ବାଲେଶ୍ୱର ଜଲେଶ୍ୱରର ବ୍ୟୋମକେଶ ଗିରି । ଅଭିଯୁକ୍ତ ମାନେ କ୍ୟାସ୍ ଅନ୍ ଡେଲିଭରି ହୋଇଥିବା ସାମଗ୍ରୀର ଟଙ୍କାକୁ ଗ୍ରାହକଙ୍କ ଠାରୁ ଆଣି କମ୍ପାନୀ ଆକାଉଣ୍ଟରେ ଜମା କରୁ ନଥିଲେ । ଏପରିକି ବେନାମୀ ଆକାଉଣ୍ଟ ଓ ଠିକଣାରେ ନିଜେ କ୍ୟାସ୍ ଅନ୍ ଡେଲିଭରି ଅର୍ଡର କରି ଉକ୍ତ ସାମଗ୍ରୀକୁ ବଜାରରେ ବିକ୍ରି କରୁଥିଲେ ।

Comments are closed.