ବୋଚୁମ୍: ଜର୍ମାନୀର ବୋଚୁମ୍ ସହରରେ ଏକ ଆବାସିକ କୋଠାରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ତିନିଜଣ ଭାରତୀୟ ନାଗରିକଙ୍କ ପ୍ରାଣହାନି ଘଟିଛି। ମୃତକମାନଙ୍କ ମଧ୍ୟରେ ୨୫ ଏବଂ ୨୭ ବର୍ଷ ବୟସ୍କା ଦୁଇ ଯୁବତୀ ଏବଂ ୨୬ ବର୍ଷ ବୟସ୍କ ଜଣେ ଯୁବକ ରହିଛନ୍ତି। କୋଠାର ଦ୍ୱିତୀୟ ମହଲାରେ ଥିବା ଏକ ଆପାର୍ଟମେଣ୍ଟରୁ ଅଗ୍ନିଶମ ବାହିନୀ ସେମାନଙ୍କର ମୃତଦେହ ଉଦ୍ଧାର କରିଛି। ତେବେ ମୃତକମାନଙ୍କର ପ୍ରକୃତ ପରିଚୟ ଏବଂ ସେମାନେ ଭାରତର କେଉଁ ରାଜ୍ୟର, ସେ ସମ୍ପର୍କରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।
ଏହି ଦୁର୍ଘଟଣାରେ ଅନ୍ୟ ୫ ଜଣ ବ୍ୟକ୍ତି ଗୁରୁତର ଭାବେ ମେଡିକାଲ୍ ରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ ଜଟିଳ ଥିଲା, କାରଣ ନିଆଁ କୋଠାର କାଠ ସିଡ଼ି ଦେଇ ଦ୍ରୁତ ଗତିରେ ଉପର ମହଲାକୁ ବ୍ୟାପି ଯାଇଥିଲା। ଫଳରେ ଅଗ୍ନିଶମ କର୍ମଚାରୀମାନଙ୍କୁ ସିଡ଼ି ଏବଂ ସୁରକ୍ଷା କୁସନ୍ ବ୍ୟବହାର କରି ଅନେକ ବାସିନ୍ଦାଙ୍କୁ ଜୀବନ ବିପନ୍ନ କରି ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ପଡ଼ିଥିଲା।
ତଦନ୍ତକାରୀ ଅଧିକାରୀମାନେ ପ୍ରାଥମିକ ତଦନ୍ତରୁ କୋଠାରେ କୌଣସି ବୈଷୟିକ ତ୍ରୁଟି ବା ସର୍ବସର୍କିଟ୍ ଯୋଗୁଁ ନିଆଁ ଲାଗି ନଥିବା ସ୍ପଷ୍ଟ କରିଛନ୍ତି। ଏହା ଏକ ଯୋଜନାବଦ୍ଧ ଅଗ୍ନିକାଣ୍ଡ ବା ଜାଣିଶୁଣି ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ କରାଯାଉଛି। ଏହି ସମ୍ପର୍କରେ ପୋଲିସ ସେହି କୋଠାରେ ରହୁଥିବା ୪୧ ବର୍ଷ ବୟସ୍କ ଜଣେ ରୋମାନିଆ ନାଗରିକଙ୍କୁ ହତ୍ୟା ସନ୍ଦେହରେ ଗିରଫ କରିଛି। ହୋମିସାଇଡ୍ ସ୍କ୍ୱାଡ୍ ଦ୍ୱାରା ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି ଏବଂ ଏହି ମର୍ମନ୍ତୁଦ ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ ଅଭିଯୁକ୍ତଙ୍କ ଅପରାଧିକ ଉଦ୍ଦେଶ୍ୟ ସମ୍ପର୍କରେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

