ଭୁବନେଶ୍ୱର: ଓଡ଼ିଶାର କୃଷି ତଥା ଖାଦ୍ୟ ସଂସ୍କୃତିକୁ ଏବେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଏକ ନୂଆ ପରିଚୟ ମିଳିବାକୁ ଯାଉଛି । ରାଜ୍ୟର ଅନେକ ପାରମ୍ପରିକ ଉତ୍ପାଦକୁ ଭୌଗୋଳିକ ସୂଚକ ବା ଜିଆଇ ଟ୍ୟାଗ୍ ମାନ୍ୟତା ଦେବା ପାଇଁ ପ୍ରକ୍ରିୟା ଜୋରଦାର ହୋଇଛି । ସଦ୍ୟତମ ରିପୋର୍ଟ ଅନୁଯାୟୀ, ଓଡ଼ିଶାର ୩ଟି ପ୍ରମୁଖ ଉତ୍ପାଦର ଜିଆଇ ଟ୍ୟାଗ୍ ଆବେଦନ ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ତାଲିକାରେ ରହିଛି ଢେଙ୍କାନାଳର ପ୍ରସିଦ୍ଧ ‘ପାଳ ବାଇଗଣ’, ସମ୍ବଲପୁରର ଲୋକପ୍ରିୟ ପାରମ୍ପରିକ ମିଠା ‘ସରସତିଆ’ ଏବଂ ପୁରୀ-ଚିଲିକା ଅଞ୍ଚଳର ବହୁ ପରିଚିତ ‘ମାଣିକପାଟଣା ଦହି’।
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୬୫ତମ ପ୍ରତିଷ୍ଠା ଦିବସ ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଏହି ଉତ୍ସାହଜନକ ସୂଚନା ପ୍ରଦାନ କରିଛନ୍ତି । କୁଳପତିଙ୍କ କହିବା ଅନୁଯାୟୀ, ଏହି ୩ଟି ଉତ୍ପାଦକୁ ସ୍ୱତନ୍ତ୍ର ମାନ୍ୟତା ଦେବା ପାଇଁ ଆବଶ୍ୟକୀୟ ସମସ୍ତ ତଥ୍ୟ ଏବଂ ନଥିପତ୍ର ସଫଳତାର ସହ ଦାଖଲ କରାଯାଇସାରିଛି । ବିଶେଷକରି ମାଣିକପାଟଣା ଦହିର ଐତିହାସିକ ଗୁରୁତ୍ୱ, ଏହାର ପାରମ୍ପରିକ ପ୍ରସ୍ତୁତି ପ୍ରଣାଳୀ ଏବଂ ଏଥିରେ ବ୍ୟବହୃତ ସ୍ୱତନ୍ତ୍ର ଉପାଦାନଗୁଡ଼ିକର ଏକ ବିସ୍ତୃତ ଦସ୍ତାବିଜ୍ ପ୍ରସ୍ତୁତ କରାଯାଇଛି, ଯାହାକି ଏହି ଆବେଦନକୁ ଅଧିକ ଦୃଢ଼ କରୁଛି ।
ଏହାବ୍ୟତୀତ, ଉତ୍ତର ଓଡ଼ିଶାର କେନ୍ଦୁଝର ଜିଲ୍ଲାରୁ ଆଉ ଦୁଇଟି ସ୍ୱତନ୍ତ୍ର ଉତ୍ପାଦ ପାଇଁ ମଧ୍ୟ ଉଦ୍ୟମ ଜାରି ରହିଛି। କେନ୍ଦୁଝରର ସୁସ୍ୱାଦୁ ‘ବଡ଼ି’ ଏବଂ ଏହି ବଡ଼ି ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ସ୍ୱତନ୍ତ୍ର କିସମର ଡାଲି ‘ଫେଣୁଆ ବିରି’କୁ ଜିଆଇ ମାନ୍ୟତା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ ଯେ, ଏହି ‘ଫେଣୁଆ ବିରି’ ମୁଖ୍ୟତଃ କେନ୍ଦୁଝରର ବାଂଶପାଳ ଅଞ୍ଚଳରେ ଚାଷ କରାଯାଏ ଏବଂ ଏଥିରୁ ପ୍ରସ୍ତୁତ ବଡ଼ିର ମାନ ବେଶ୍ ଉନ୍ନତ ଧରଣର ହୋଇଥାଏ। ଏଥିପାଇଁ ମଧ୍ୟ ଆବଶ୍ୟକୀୟ ପ୍ରମାଣ ପତ୍ର ଓ ଡକ୍ୟୁମେଣ୍ଟେସନ୍ କାମ ସରିଥିବା ଓୟୁଏଟି କୁଳପତି ପ୍ରକାଶ କରିଛନ୍ତି ।
କୌଣସି ସ୍ଥାନୀୟ ବା ପାରମ୍ପରିକ ଉତ୍ପାଦକୁ ଜିଆଇ ଟ୍ୟାଗ୍ ମିଳିଲେ, ତାହାକୁ ବଜାରରେ ଏକ ସ୍ୱତନ୍ତ୍ର ପରିଚୟ ଏବଂ ସୁରକ୍ଷା ମିଳିଥାଏ। ପ୍ରଫେସର ରାଉଳଙ୍କ ମତରେ, ଏହି ସ୍ୱୀକୃତି ଦ୍ୱାରା କେବଳ ଓଡ଼ିଶାର କୃଷି ଓ ଖାଦ୍ୟ ଐତିହ୍ୟକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରୋତ୍ସାହନ ମିଳିବ ତାହା ନୁହେଁ, ବରଂ ଏହା ସ୍ଥାନୀୟ ଚାଷୀ, କାରିଗର ଓ ଉତ୍ପାଦକମାନଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବ । ସେମାନେ ନିଜ ଉତ୍ପାଦର ଉପଯୁକ୍ତ ମୂଲ୍ୟ ପାଇବା ସହିତ ପିଢ଼ି ପରେ ପିଢ଼ି ଧରି ଚାଲିଆସିଥିବା ଏହି ପାରମ୍ପରିକ ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ବଞ୍ଚି ରହିପାରିବ ।

