Latest Odisha News

BREAKING NEWS

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟରରେ ପୁଣି ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଗୁରୁବାର ଗତରାତିରେ ଶ୍ରୀନଗର ଉପକଣ୍ଠରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ପୋଲିସ ସୂଚନା ଦେଇଛି । ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଚଳିତ ମାସ ପ୍ରାରମ୍ଭରେ ପୋଲିସ ବସ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିଲେ । ପନ୍ଥାଚୌକରେ ହୋଇଥିବା ଗୁଳି ବିନିମୟ ଘଟଣାରେ ୩ଜଣ ପୋଲିସ କର୍ମଚାରୀ ଓ ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି ବୋଲି ଜଣାଯାଇଛି ।

ସେନାଙ୍କ ଗୁଳିରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ହେଉଛି ସୁହେଲ ଅହମ୍ମଦ ରାଠେର । ଶ୍ରୀନଗର ଉପକଣ୍ଠ ଜେୱାନସ୍ଥିତ ପୋଲିସ କ୍ୟାମ୍ପ ନିକଟରେ ଆକ୍ରମଣରେ ସେ ସମ୍ପୃକ୍ତ ଥିଲେ । ଏହି ଆକ୍ରମଣରେ ୩ଜଣ ପୋଲିସ କର୍ମଚାରୀ ସହିଦ ହୋଇଥିଲା । ଗୁରୁବାର ରାତିରେ ଶ୍ରୀନଗରରେ ସର୍ଚ୍ଚ ଅପରେସନବେଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳିବିନିମୟ ହୋଇଥିଲା ।

ଜମ୍ମୁ-କାଶ୍ମୀର ପୋଲିସ ଟ୍ୱିଟ କରି ସୂଚନା ଦେଇଛନ୍ତି ଯେ, ଯେଉଁ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି, ସେମାନଙ୍କଠାରୁ ବିପୁଳ ମାରଣାସ୍ତ୍ର, ବନ୍ଧୁକ ଜବତ କରାଯାଇଛି । ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି । ୩୬ଘଣ୍ଟା ମଧ୍ୟରେ ଏହା ହେଉଛି ତୃତୀୟ ମୁକାବିଲା । ନିହତ ଆତଙ୍କବାଦୀଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ଏହା ପୂର୍ବରୁ ଜମ୍ମୁ-କାଶ୍ମୀରର ଅନନ୍ତନାଗ ଏବଂ କୁଲଗାମ ଜିଲ୍ଲାର ସୁରକ୍ଷାବାହିନୀ ସହିତ ଦୁଇଟି ପୃଥକ ମୁକାବିଲାରେ ଦୁଇଜଣ ପାକିସ୍ତାନୀ ନାଗରିକଙ୍କ ସମେତ ୬ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା ।

Leave A Reply

Your email address will not be published.