Latest Odisha News

BREAKING NEWS

କାବୁ ହେଉଛି କରୋନା, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ୨ଟି ଆଶ୍ୱସ୍ତିକର ଖବର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା କମୁଥିବା ବେଳେ ଆଉ ୨ଟି ଖୁସି ଖବର ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ପ୍ରଥମଟି ହେଉଛି- ୩୩ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ୫ ହଜାରରୁ କମ୍ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି । ଦ୍ୱିତୀୟଟି ହେଉଛି ବିଗତ ୨୪ ଘଣ୍ଟାରେ ୧୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଜଣଙ୍କର ବି କରୋନାରେ ମୃତ୍ୟୁ ହୋଇନାହିଁ ।

ଏବେ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩୯ ହଜାର ୬୩୭ ରହିଛି । ଦେଶରେ ମୋଟ ସଂକ୍ରମଣ ମାମଲାରୁ ୧.୨୮ ପ୍ରତିଶତ ହେଉଛି ସକ୍ରିୟ ସଂକ୍ରମଣ । ତ୍ରିପୁରା ଓ ଡାମନ ଡିଉରେ ମାତ୍ର ୨ଟି ଲେଖାଏଁ ସକ୍ରିୟ ମାମଲା ରହିଛି । ଯେତେବେଳେ କି ୫ ହଜାରରୁ କମ୍ ବର୍ଗରେ ତାମିଲନାଡ଼ୁରେ ସର୍ବାଧିକ ୪ ହଜାର ୨୬୦ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

ଦେଶରେ ସବୁଠୁ ଅଧିକ ସକ୍ରିୟ କରୋନା ସଂକ୍ରମିତ କେରଳ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ରାଜ୍ୟରେ ଅଛନ୍ତି । ଏହି ୩ ରାଜ୍ୟରେ ଦେଶର ମୋଟ ସକ୍ରିୟ ମାମଲାର ୭୬.୫ ପ୍ରତିଶତ ସଂକ୍ରମିତ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । କେରଳ ଓ ମହାରାଷ୍ଟ୍ର ଦୁଇ ରାଜ୍ୟରେ ୭୪.୭୨ ପ୍ରତିଶତ ସକ୍ରିୟ ସଂକ୍ରମିତ ଅଛନ୍ତି ।

ବିଗତ ୨୪ ଘଣ୍ଟାରେ ୧୮ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ କରୋନାରେ କାହାରି ମୃତ୍ୟୁ ହୋଇନାହିଁ । ଆସାମ, ରାଜସ୍ଥାନ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ହରିୟାଣା, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ମଣିପୁର, ନାଗାଲାଣ୍ଡ, ଲାକ୍ଷାଦ୍ୱୀପ, ମେଘାଳୟ, ସିକ୍କିମ, ଆଣ୍ଡାମାନ ଓ ନିକୋବର, ଲଦାଖ, ମିଜୋରାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଡାମନଡିଉ ଓ ଦାଦ୍ରା ନଗରରେ କେହି ମୃତ୍ୟୁବରଣ କରିନାହାଁନ୍ତି । ଏଯାଏଁ ଦେଶରେ ପାଖାପାଖି ୮୩ ଲକ୍ଷ ଲୋକଙ୍କୁ କୋଭିଡ୍ ଟିକା ଦିଆଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

Leave A Reply

Your email address will not be published.