Latest Odisha News

ବ୍ରହ୍ମପୁରରୁ ୩୦୦୦ କେଜି ନକଲି ମସଲା ଗୁଣ୍ଡ ଜବତ

ଭୁବନେଶ୍ୱର: ବ୍ରହ୍ମପୁରରେ ଦୁଇଟି ବଡ଼ ନକଲି ମସଲା ମିଲ ଉପରେ ପୁଲିସ ଚଢ଼ାଉ କରି ୩୦ କୁଇଣ୍ଟାଲ ନକଲି ମସଲା ସହ ୪ ମିଲିଙ୍ଗ୍ ମେସିନ୍ ଜବତ କରିଛି।

ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରେ ନକଲି ହଳଦୀ ଗୁଣ୍ଡ ଏବଂ ଲଙ୍କା ଗୁଣ୍ଡ କାରବାର ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ପୋଲିସ। ଏହାପରେ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯିବା ରବିବାର ବିଳମ୍ବିତ ରାତିରେ ଲକ୍ଷ୍ମୀ ନୃସିଂହ ନଗର ସେଭେନ ଲାଇନ ଓ ପ୍ରହଲ୍ଲାଦ ନଗରରେ ଚଢ଼ାଉ କରିଥିଲା ।

ଚଢ଼ାଉ ସମୟରେ କାରଖାନା ମଧ୍ୟରେ ଗଚ୍ଛିତ ହୋଇ ରହିଥିବା ବସ୍ତା ବସ୍ତା ନକଲି ହଳଦୀ ଓ ମରିଚ ଗୁଣ୍ଡ ଜବତ କରିଥିଲା।ମସଲାରେ କଲର୍ ଓ ଖୁଦ ଗୁଣ୍ଡ ମିଶାଇ କମ୍ ଦାମରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି।

କାରଖାନାର ଜିଏସଟି ନଥିବା ବେଳେ ପ୍ୟାକେଟରେ ମଧ୍ୟ କୌଣସି ନାମ ନାହିଁ। ତାକୁ ସେହିଭଳି ବିକ୍ରୀ କରୁଥିଲେ ବ୍ୟବସାୟୀ। ପୋଲିସ ଉଭୟ ସ୍ଥାନରୁ ଦୁଇ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।

ବ୍ୟବହୃତ ହୋଇଥିବା ନିର୍ଦ୍ଦିଷ୍ଟ ବିଷାକ୍ତ ପଦାର୍ଥ ଓ ରଙ୍ଗ ଚିହ୍ନଟ କରିବା ପାଇଁ ଉଭୟ ପ୍ରକ୍ରିୟାକରଣ କେନ୍ଦ୍ରରୁ ନମୁନାଗୁଡ଼ିକୁ ବିସ୍ତୃତ ରାସାୟନିକ ପରୀକ୍ଷଣ ନିମନ୍ତେ ରାଜ୍ୟ ଖାଦ୍ୟ ପରୀକ୍ଷଣାଗାରକୁ ପଠାଯାଇଛି। ଭାରତୀୟ ନ୍ୟାୟ ସଂହିତା (BNS) ଏବଂ ଖାଦ୍ୟ ସୁରକ୍ଷା ଓ ମାନକ ଆଇନର ସମ୍ପୃକ୍ତ ଧାରା ଅନୁଯାୟୀ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଛି।

Leave A Reply

Your email address will not be published.