ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ଠାରେ ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ର ଆୟୋଜନ କରାଯିବ । ଅକ୍ଟୋବର ୧୦ ତାରିଖ ଠାରୁ ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଭାରତୀୟ ଆଥଲେଟିକ୍ସ ମହାସଂଘ, ଓଡ଼ିଶା ଆଥଲେଟିକ୍ସ ସଂଘ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏହା ଆୟୋଜିତ ହେବ ।
ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୨୦୦୦ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବେ । ଓଡ଼ିଶାରୁ ୩୮ଜଣ ପୁରୁଷ ଏବଂ ୩୭ ଜଣ ମହିଳା ସର୍ବମୋଟ ୭୫ ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବେ । ସର୍ବାଧିକ କ୍ରୀଡ଼ାବିତ୍ (୧୪୭ ଜଣ) ହରିୟାଣା ରାଜ୍ୟରୁ ଅଂଶଗ୍ରହଣ କରିବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି ।
କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ କହିଛନ୍ତି ଯେ, “ଅକ୍ଟୋବର ୧୦ ତାରିଖ ଠାରୁ ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ଅନୁଷ୍ଠିତ ହେବାକୁ ଯାଉଛି । ଏଥିସହ ଅକ୍ଟୋବର ୧୧ ତାରିଖ ଠାରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମ ଠାରେ ୨୮ତମ ଏସୀୟ ଟେବୁଲ ଟେନିସ ଟିମ୍ସ ଚାମ୍ପିୟନସିପ୍ ଅନୁଷ୍ଠିତ ହେବାକୁ ଯାଉଛି । ଏକ ସମୟରେ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରିବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । କ୍ରୀଡ଼ାବିତମାନେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟାମରେ ସଫଳତା ଅର୍ଜନ କରିବେ ବୋଲି ମୁଁ ଆଶା କରୁଛି।”
“ଓଡ଼ିଶାରେ କଳିଙ୍ଗ ଷ୍ଟାଡ଼ିୟମରେ ବିଗତ ଅଗଷ୍ଟ ମାସରେ ସଫଳତାର ସହ ୱାର୍ଲଡ଼ କଣ୍ଟିନେଣ୍ଟାଲ ଟୁର୍ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାର ଆୟୋଜନ ମାଧ୍ୟମରେ ବିଶ୍ୱ କ୍ରୀଡ଼ା ଜଗତରେ ଓଡ଼ିଶା ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପର ଆୟୋଜନ ମଧ୍ୟ ସଫଳତାର ସହ ହେବ”, ବୋଲି ଭାରତୀୟ ଆଥଲେଟିକ୍ସ ମହାସଙ୍ଗ ପକ୍ଷରୁ ଆଦିଲ୍ ସୁମାରିୱାଲା ମତପ୍ରକାଶ କରିଛନ୍ତି ।
Comments are closed.