Latest Odisha News

୪୫ ମିନିଟ ଭିତରେ କୋରାପୁଟରେ ୨୯ ହଜାର ଥର ବଜ୍ରପାତ, କାଳବୈଶାଖୀ ନେଇ ୧୧ ଜିଲ୍ଲାକୁ ସତର୍କ ଘଣ୍ଟି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଏହାରି ସାଙ୍ଗରେ ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ବଜ୍ରପାତ ଏବଂ ଘୂର୍ଣ୍ଣିଝଡ଼ ଦେଖିବାକୁ ମିଳିଛି। ପବନର ବେଗ ଘଣ୍ଟା ପ୍ରତି ୫୦ କିଲୋମିଟର ବହୁଛି। ତେବେ ବଜ୍ରପାତ ଓ ଘଡ଼ଘଡ଼ି ଯୋଗୁଁ ରାଜ୍ୟରେ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ରାଜ୍ୟର ୧୧ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦେଇଛି।

ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।‌ ତେଣୁ ଏହି ଗୁରୁତ୍ବପୂର୍ଣ୍ଣ ସମୟରେ ନିଜ ସୁରକ୍ଷା ପାଇଁ ଲୋକେ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ସମୟ ମଧ୍ୟରେ ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନ ହୋଇପାରେ। ପାଣିପାଗ ବିଭାଗ ମୟୂରଭଞ୍ଜ,ବାଲେଶ୍ୱର, କନ୍ଧମାଳ, ରାୟଗଡ଼ା, ନୟାଗଡ଼, ବୌଦ୍ଧ, ଅନୁଗୁଳ, ସୋନପୁର, ସମ୍ବଲପୁର, ଦେବଗଡ଼ ଏବଂ ଝାରସୁଗୁଡ଼ା ଭଳି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି।

ଏହିସବୁ ଜିଲ୍ଲାବାସୀ ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ପାଣିପାଗ ଗତିବିଧି ଉପରେ ନଜର ରଖିବା ସହ ବଜ୍ରପାତ ମୁକ୍ତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ଆଜି କୋରାପୁଟ ଦେଖିଛି ପ୍ରକୃତିର କରାଳ ରୂପ । ମାତ୍ର ୪୫ ମିନିଟ ସାରା ସହରବାସୀଙ୍କୁ ମୃତ୍ୟୁର ଚେହେରା ଦେଖାଇଦେଇଛି ଆକାଶ । ୪୫ ମିନିଟ ଭିତରେ କୋରାପୁଟରେ ୨୯,୨୫୮ ଥର ବଜ୍ରପାତ ହୋଇଛି। ଭିନ୍ନ ସ୍ଥାନରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ୬ଟି ଘର ବଜ୍ରାଘାତରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସାରା ସହରବାସୀଙ୍କ ମନରେ ଆତଙ୍କ ଖେଳି ଯାଇଥିଲା । ଏହି ବଜ୍ରପାତ ପ୍ରଭାବରେ ବୋରିଗୁମ୍ମା ବ୍ଲକର ପ୍ରାୟ ୬ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନ୍ୟାନ୍ୟ ଅଞ୍ଚଳରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ବୈପାରିଗୁଡ଼ା, ବୋରିଗୁମ୍ମା, କୋରାପୁଟ, ଲମତାପୁଟ, ଜୟପୁର, ସେମିଳିଗୁଡ଼ା, ନନ୍ଦପୁର ଏବଂ କୁନ୍ଦୁରା ବ୍ଲକରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି ।

Comments are closed.