Latest Odisha News

BREAKING NEWS

ନବୀନଙ୍କ କ୍ୟାବିନେଟରୁ ରୋହିତ ପୂଜାରୀ ବାଦ୍ ପଡ଼ିବା ପଛର ୫ ବଡ଼ କାରଣ !

ଭୁବନେଶ୍ୱର: ଦୁଇ ଥରର ବିଧାୟକ । ଠିକ୍ ବର୍ଷକରେ ନବୀନ କାଢ଼ି ନେଲେ ମନ୍ତ୍ରୀ ପଦ । ଉଚ୍ଚଶିକ୍ଷା ମନ୍ତ୍ରୀ ଥିବା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ନବୀନ ତାଙ୍କ କ୍ୟାବିନେଟରୁ ବିଦା କରିଛନ୍ତି । ଗତବର୍ଷ ଜୁନ୍ ମାସରେ ଅରୁଣ ସାହୁଙ୍କ ପରେ ରୋହିତ ନବୀନଙ୍କ କ୍ୟାବିନେଟରେ ସାମିଲ୍ ହୋଇଥିଲେ ।

ତେବେ ସାଧାରଣ ନିର୍ବାଚନର ଠିକ୍ କିଛି ମାସ ପୂର୍ବରୁ କାହିଁକି ରୋହିତ ପୂଜାରୀଙ୍କୁ କ୍ୟାବିନେଟରୁ ହଟାଇଲେ ନବୀନ ? ଆସନ୍ତୁ ଜାଣିବା ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବା ପଛରେ କଣ ହୋଇ ଥାଇପାରେ ୫ଟି ସମ୍ଭାବ୍ୟ କାରଣ…

ଖରାପ ପ୍ରଦର୍ଶନ: ସୂତ୍ର ଅନୁସାରେ, ମନ୍ତ୍ରୀ ଭାବେ ରୋହିତ ପୂଜାରୀଙ୍କ ପ୍ରଦର୍ଶନ ସେତେଟା ଭଲ ନଥିଲା । ବିଭାଗରେ ଏକାଧିକ ଫାଇଲ୍ ପଡ଼ି ରହିଥିବା କୁହାଯାଉଛି । ପୂର୍ବରୁ ଉଚ୍ଚଶିକ୍ଷା ବିଭାଗର ଓଏସଡି ଓ ବ୍ୟକ୍ତିଗତ ସଚିବ ବଦଳି ଥିଲେ । ଯାହାକି ପୂଜାରୀଙ୍କ ପାଇଁ ଏକ ସଂକେତ ଥିଲା ।

ବିଭାଗୀୟ ସଚିବଙ୍କ ସହ ମତାନ୍ତର: କୁହାଯାଉଛି, ରୋହିତ ପୂଜାରୀ ଓ ଉଚ୍ଚଶିକ୍ଷା ବିଭାଗର ସଚିବ ବିଷ୍ଣୁପଦ ସେଠୀଙ୍କ ମଧ୍ୟରେ କୁଆଡ଼େ ପଡ଼ୁ ନଥିଲା । ଯାହାକି ବିଭାଗର ପ୍ରଦର୍ଶନକୁ ଖରାପ କରିଥିଲା । ମନ୍ତ୍ରୀ ଓ ସଚିବଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ଗୋଟିଏ ଫାଇଲ୍ କାମ ପାଇଁ ଦୀର୍ଘ ସମୟ ଲାଗୁଥିଲା ।

ପରିବର୍ତ୍ତିତ ରାଜନୈତିକ ସ୍ଥିତି: ପରିବର୍ତ୍ତିତ ରାଜନୈତିକ ସ୍ଥିତିରେ ଦଳର ମୁଖିଆଙ୍କ ଆଶୀର୍ବାଦ ପୂଜାରୀଙ୍କ ଉପରେ ରହିଲା ନାହିଁ । ବିଶେଷକରି ନବ ଦାସଙ୍କ ହତ୍ୟା ପରେ ପୂଜାରୀଙ୍କ ସାଂଗଠନିକ କାର୍ଯ୍ୟ ଓ ପ୍ରତିଶ୍ରୁତି ଦଳୀୟ ନେତାଙ୍କ ନଜରକୁ ଆସିଥିଲା । ଏପରିକି ପଶ୍ଚିମ ଓଡ଼ିଶାରେ ବିଜେଡିର ଶକ୍ତିଶାଳୀ ଗୋଷ୍ଠୀ ପୂଜାରୀଙ୍କୁ ବିରୋଧ କରୁଥିଲେ । ଝାରସୁଗୁଡ଼ା ଉପନିର୍ବାଚନରେ ବି ବିଜେଡି ରୋହିତ ପୂଜାରୀଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ଦେଇ ନଥିଲା ।

ନେତା ୬୦ରେ ନିଅନ୍ତୁ ଅବସର ମନ୍ତବ୍ୟ: ମେ ମାସ ଶେଷ ସପ୍ତାହରେ ରୋହିତ ପୂଜାରୀ କହିଥିଲେ, ରାଜନେତା ୬୦ ବର୍ଷ ବୟସରେ ଅବସର ନେବା ଉଚିତ୍ । ଯାହାକି ବିବାଦ ସୃଷ୍ଟି କରିଥିଲା । ତାପରେ ପୂଜାରୀ ସ୍ପଷ୍ଟ କରି କହିଥିଲେ, ସେ ତାଙ୍କ ନିର୍ବାଚନ ମଣ୍ଡଳୀକୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି । କିନ୍ତୁ ପୂଜାରୀଙ୍କ ଏଭଳି ମନ୍ତବ୍ୟ ହୁଏତ ଶାସକ ଗୋଷ୍ଠୀକୁ ଅସନ୍ତୁଷ୍ଟ କରିଥିଲା ।

ଫେରିବେ ସୁଶାନ୍ତ ସିଂ ?: ନିକଟରେ ହୋଇଥିବା ମନ୍ତ୍ରିମଣ୍ଡଳରେ ଭଟ୍ଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ସାମିଲ୍ କରାଯାଇ ନଥିଲା । ଯାହାକୁ ନେଇ ପଶ୍ଚିମ ଓଡ଼ିଶାର ଅନେକ ନେତା ମୁହଁ ଖୋଲି ବିଦ୍ରୋହର ଚେତାବନୀ ଦେଇଥିଲେ । ଯାହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଥିଲେ ସୁଶାନ୍ତ ସିଂ । ରୋହିତ ପୂଜାରୀ ଓ ସୁଶାନ୍ତ ସିଂ ଦୁଇଜଣ ପଶ୍ଚିମ ଓଡ଼ିଶାରୁ ଆସୁଥିବା ବେଳେ ପୂଜାରୀଙ୍କ ପ୍ରସ୍ଥାନ ସୁଶାନ୍ତଙ୍କ ଆଗମନର ବାଟ ଖୋଲିପାରେ ।

Leave A Reply

Your email address will not be published.