ପାଟନା: ପୁଣି ସାମ୍ନାକୁ ଆସିଲା ସାଂଘାତିକ ଘଟଣା । ଯେତିକି ଲଜ୍ଜାଜନକ ସେତିକି ହୃଦୟବିଦାରକ । ୫ ବର୍ଷର ଝିଅକୁ ବଳାତ୍କାର ଆଉ ଅଭିଯୁକ୍ତକୁ ମିଳିଲା ଉଠବସ ସଜା । ବିହାରର ନାବାଦାରେ ଘଟିଛି ଏପରି ଘଟଣା । ହେଲେ ଅଭିଯୁକ୍ତକୁ କଠୋରରୁ କଠୋର ସଜା ଦେବା ପରିବର୍ତ୍ତେ ଗ୍ରାମବାସୀ ଏକ ବୈଠକ କରି ଅଭିଯୁକ୍ତକୁ ସର୍ବସମ୍ମୁଖରେ ଉଠବସ କରାଇ ଛାଡ଼ି ଦେଇଛନ୍ତି । ଆଶ୍ଚର୍ଯ୍ୟ ନୁହେଁ ତ କ’ଣ ? ଏପରି ଜଘନ୍ୟ ଅପରାଧ ପାଇଁ ଏତେ ସାମାନ୍ୟ ଦଣ୍ଡ ?
ଘଟଣା ନବାଦା ଜିଲ୍ଲାର ଅକବରପୁର ପ୍ରଖଣ୍ଡ କନୌଜ ଗାଁର । ଏଠାରେ ୫ ବର୍ଷର ଜଣେ ନୀରିହ ଝିଅ ହୋଇଛି ବଳାତ୍କାର । ଖବର ସାମ୍ନାକୁ ଆସିବା ପରେ ପଞ୍ଚାୟତ ବୈଠକ ଡକା ଯାଇଥିଲା । ସେଠାରେ ସଂପୃକ୍ତ ଅଭିଯୁକ୍ତ ବି ଉପସ୍ଥିତ ଥିଲା । ସାମାନ୍ୟ ଉଠବସ କରାଇବା ପରେ ଅଭିଯୁକ୍ତକୁ ନିର୍ଦ୍ଦୋଷ ପ୍ରମାଣପତ୍ର ଦେଇ ଛାଡି ଦିଆଯାଇଥିଲା ।
ଅଭିଯୁକ୍ତ ଜଣକ ଗାଁରେ ଏକ କୁକୁଡା ଫାର୍ମ କରିଥିବା ଅରୁଣ ପଣ୍ଡିତ । ସେହି କୁକୁଡା ଫାର୍ମରେ ହିଁ ଏହି କୁକର୍ମ କରିଥିବା କୁହାଯାଉଛି । ହେଲେ ଯେଉଁ ପ୍ରକାରରେ ଗାଁର ମୁରବୀ ମାମଲାର ରଫାଦଫା କରିଦେଲେ ତାହା ସମସ୍ତଙ୍କୁ ଚକିତ କରିଛି । ତେବେ ଆଶ୍ୱାସନାର କଥା ଗାଁ ବୈଠକରେ ଅଭିଯୁକ୍ତର ବସଉଠ ହେବା ଭିଡିଓ ଭାଇରାଲ ହେବା ପରେ କଥା ସାମ୍ନାକୁ ଆସିଛି ଏବଂ ପୋଲିସ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି ।
ଭିଡିଓରେ ଦେଖିବାକୁ ମିଳିଛି, ବୈଠକରେ ଅନେକ ଲୋକ ବସିଛନ୍ତି । ମୁହଁକୁ ସାଲରେ ଘୋଡାଇ ଅଭିଯୁକ୍ତ ବସଉଠ ହୋଉଛି । ୫ ଥର ଉଠବସ ହୋବ ପରେ ତାହାର ସଜା ଶେଷ ହୋଇ ଯାଉଛି ଏବଂ ତାକୁ ଛାଡ଼ି ଦିଆଯାଉଛି । ୫ ବର୍ଷୀୟ ଝିଅ ସହ ଏପରି କୁକର୍ମ କରିଥିବା ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡାଦେଶ ରହିଥିବାବେଳେ ଏଠାରେ ମାତ୍ର ୫ ଥର ବସଉଠ !
ସୂଚନାଥାଉ କି, ନଭେମ୍ବର ୨୧ ତାରିଖ୍ରେ କନୌଜ ଗାଁର ଏହି ୫ବର୍ଷର ଝିଅକୁ ମିଛ ପ୍ରଲୋଭନ ଦେଖାଇ କୁକୁଡା ଫାର୍ମକୁ ନେଇ ଅରୁଣ ପଣ୍ଡିତ କୁକର୍ମ କରିଥିଲେ । ପରେ ପରିବାର ଲୋକ ପହଞ୍ଚି ଝିଅକୁ ଉଦ୍ଧାର କରିଥିଲେ । ପରିବାର ଲୋକେ ଯେତେବେଳେ ପୋଲିସରେ ଅଭିଯୋଗ କରିବାକୁ କହିଥିଲେ, ଗାଁ ଲୋକେ ଘଟଣାକୁ ଚାପି ଦେବାକୁ ଚେଷ୍ଟା କରିଥିଲେ । ତେବେ ଏହି ଘଟଣାକୁ ଚାପି ଦେବା ପାଇଁ ଜଣେ ପୂର୍ବ ମୁଖିଆ ଚେଷ୍ଟା କରୁଥିବା କୁହାଯାଉଛି । ଘଟଣା ପଦାକୁ ଆସିଲା ପରେ ଅଭିଯୁକ୍ତ ତୁରନ୍ତ ଉକ୍ତ ମୁଖିଆଙ୍କ ପାଖକୁ ସାହାଯ୍ୟ ପାଇଁ ଆସିଥିଲେ । ଏହା ଜାଣିବା ପରେ ମୁଖିଆ ବୈଠକ ଡାକି ଅଭିଯୁକ୍ତକୁ ଉଠବସ କରିବା ପରେ ଛାଡ଼ି ଦେଇଥିଲେ ।
Comments are closed.