ଭୁବନେଶ୍ବର: ୫ଜି ସମୟରେ ରାଜ୍ୟରେ ଏବେବି ମୋବାଇଲ ସେବାରୁ ବଞ୍ଚିତ ଅଛନ୍ତି ଅନେକ ଗ୍ରାମ । ମୋବାଇଲ୍ ସେବା ସେମାନଙ୍କ ପାଇଁ ଏକ ପ୍ରକାର ସ୍ବପ୍ନ ହୋଇ ରହିଛି । ଟେଲିକମ୍ ବିଭାଗ ତଥ୍ୟ ଅନୁସାରେ ରାଜ୍ୟର ୧୨୦୦ରୁ ଅଧିକ ଗାଁରେ ମୋବାଇଲ୍ ସେବା ପହଞ୍ଚିପାରିନାହିଁ ।
ଗ୍ରାମାଞ୍ଚଳ, ଦୁର୍ବଳ ଓ ଅପହଞ୍ଚ ଅଞ୍ଚଳରେ ମୋବାଇଲ୍ ସେବା ପହଞ୍ଚାଇବା ପାଇଁ ଡିଜିଟାଲ ଭାରତ ନିଧି (ଡିବିଏନ୍) ଅଧୀନରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ୨୦୨୬ ଫେବ୍ରୁଆରି ସୁଦ୍ଧା ସାରା ଦେଶର ୪୬,୩୩୧ଟି ଗାଁରେ ମୋବାଇଲ୍ ସେବା ପହଞ୍ଚାଇବା ଲାଗି ୩୪,୭୮୦ଟି ମୋବାଇଲ୍ ଟାୱାର ସ୍ଥାପନ କରିବାକୁ ଯୋଜନା ରହିଥିବା ଟେଲିକମ୍ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ।
ସେ କହିଛନ୍ତି ଯେ, ଗ୍ରାମୀଣ ମୋବାଇଲ୍ ସେବା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଟେଲିକମ୍ କମ୍ପାନିଗୁଡ଼ିକୁ ୨୨୨୯ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ସେଥିରୁ ୧୮୫୯.୯୫ କୋଟି ଟଙ୍କା ସମ୍ବିଧାନର ପଞ୍ଚମ ଅନୁଚ୍ଛେଦରେ ଥିବା ଓଡ଼ିଶାର ଜିଲ୍ଲାଗୁଡ଼ିକ ପାଇଁ ଦିଆଯାଇଛି ।
ଓଡ଼ିଶାରେ ୫୧୮୨ଟି ମୋବାଇଲ୍ ଟାୱାର ସ୍ଥାପନ କରାଯିବ। ଏହାଦ୍ବାରା ରାଜ୍ୟର ୭୧୫୭ଟି ଗାଁର ବାସିନ୍ଦାମାନେ ଉପକୃତ ହେବେ । ସ୍ଥାପନ ହେବାକୁ ଥିବା ମୋଟ୍ ଟାୱାର ମଧ୍ୟରୁ ୪୪୭୦ଟି ଟାୱାର ଓଡ଼ିଶାର ୧୩ଟି ଜିଲ୍ଲାରେ ସ୍ଥାପନ କରିବା ଯୋଜନା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି ।
Comments are closed.